ରାସ୍ତା ନିର୍ମାଣ ଦାବୀ ରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ମଳାଭଞ୍ଜା ପଞ୍ଚାୟତ ଖୋଲଡି ଗ୍ରାମର ରାସ୍ତା ଗତ ‘ଅର୍ଣ୍ଣବ’ ବାତ୍ୟା ଜନିତ ବନ୍ୟା ପାଣି ରେ ସମ୍ପୂର୍ଣ ଧୋଇ ଯାଇଛି। ଗତ ୪ ଦିନ ହେଲା ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହୁଥିଲେ। ବିଦ୍ୟୁତ ବିଚ୍ଛିନ୍ନ କାରଣରୁ ପାନୀୟ ଜଳ ପ୍ରକଳ୍ପ ଅଚଳ।ଲୋକଙ୍କୁ ମିଳୁନି ପିଇବା ପାଣି। ସ୍ଥିତି ଦେଖିବାକୁ କୌଣସି ପ୍ରଶାସନିକ ଅଧିକାରୀ ଗାଁ ରେ ପହଞ୍ଚି ନାହାନ୍ତି।ବନ୍ୟା ପ୍ରଭାବିତ ଲୋକଙ୍କୁ ରବିବାର ସୁଦ୍ଧା କୌଣସି ରିଲିଫ ଦିଆଯାଇନଥିବା ବେଳେ ମଳାଭଞ୍ଜା ଠାରୁ ଖୋଲଡି ଗ୍ରାମକୁ ରାସ୍ତା ନିର୍ମାଣ କରାଯାଉନଥିବା ପ୍ରତିବାଦରେ ଖୋଲଡ଼ି ଗ୍ରାମର ବହୁସଂଖ୍ୟକ ବ୍ୟକ୍ତି ଦିଗପହଣ୍ଡି ଥାନା ଅଧିନ ମଳାଭଞ୍ଜା ଗ୍ରାମ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ଆନ୍ଦୋଳନ କାରୀ ମାନେ ରାସ୍ତାରେ ଟାୟାର ଜାଳି ବାଇକ କୁ ମଧ୍ୟ ଛାଡି ନଥିଲେ ।ରାସ୍ତା ଅବରୋଧ ଯୋଗୁଁ ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା,କୋରାପୁଟ,କଳାହାଣ୍ଡି, ମାଲକାନାଗିରି ସମେତ ପଡୋଶୀ ମଧ୍ୟପ୍ରଦେଶ,ଛତିଶଗଡ଼ କୁ ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟ କଡ ରେ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଥିଲା। ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ସେଠାରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀ ଙ୍କୁ ବୁଝାଶୁଝା କରିବା ପରେ ଅପରାହ୍ନ ପ୍ରାୟ ୩ ଟାରେ ରାସ୍ତା ଅବରୋଧ ହଟିଥିଲା।ଖୋଲଡି ଗ୍ରାମ ଦେଇ ସିଙ୍ଗପୁର ପଞ୍ଚାୟତ ହରିଣା ଗ୍ରାମକୁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ବିଦ୍ୟୁତ ତାର ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଗ୍ରାମରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି।ତେଣୁ ଏହି ବିଦ୍ୟୁତ ତାର କୁ ଗ୍ରାମରୁ ହଟାଇବା ପାଇଁ ଗ୍ରାମବାସୀ ପୂର୍ବରୁ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି। ଶନିବାର ରାତି ପ୍ରାୟ ୧୧ ଟାରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ରେ ଥିବା ଖବର ପାଇ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ବିଳମ୍ବିତ ରାତି ରେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଗ୍ରାମର ସେମାନଙ୍କ ଗ୍ରାମର ପ୍ରମୁଖ ସମସ୍ୟା ନେଇ ଉପସ୍ଥିତ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ଜରିଆରେ ଜିଲାପାଳ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।ସକାଳେ ବ୍ଲକ ପ୍ରଶାସନିକ ଅଧିକାରୀ ବୃନ୍ଦ ପହଞ୍ଚି ଗ୍ରାମବାସୀ ଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ।ରବିବାର ମଧ୍ୟାହ୍ନ ସୁଦ୍ଧା ଗ୍ରାମରେ କୌଣସି ଅଧିକାରୀ ପହଞ୍ଚି ନଥିବା ପ୍ରତିବାଦ ରେ ରାସ୍ତା ଅବରୋଧ କରାଯାଇଥିଲା ବୋଲି ଗ୍ରାମବାସୀ ଜଣାଇଛନ୍ତି।


