ଘରକୁ ଘର ସର୍ଭେ ପାଇଁ ରାଜ୍ୟ ନିର୍ବାଚନ କମିଶନ ଦ୍ୱାରା ପର୍ଯ୍ୟବେକ୍ଷକଙ୍କ ନୀଳଗିରି ବ୍ଲକ ଗସ୍ତ
ବାଲେଶ୍ୱର,(ସରୋଜ ପଣ୍ଡା):ନୀଳଗିରି ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଭୋଟର ତାଲିକା ଚିଠାକୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା । ଏଠାରେ ଅତିରିକ୍ତ ସଚିବ ଶ୍ରୀମତୀ ନିବେଦିତା ମିଶ୍ର ସମୀକ୍ଷା କରିଥିଲେ । ସେ ବାଲେଶ୍ୱର ଜିଲ୍ଲା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅଛନ୍ତି । ଏହି ବୈଠକରେ ନୀଳଗିରି ବିଡିଓ ଶ୍ରୀଯୁକ୍ତ ବିକ୍ରମ କିଶୋର ପରିଡ଼ା, ଔପଦା ବିଡିଓ ଶ୍ରୀମତୀ ସାସ୍ୱତୀ ସଢୁଆଲ, ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ, ସହାୟକ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ଘୋଷ, ଜିଲ୍ଲା ପଞ୍ଚାୟତ ଅଫିସର ଶ୍ରୀଯୁକ୍ତ ଦେବାନନ୍ଦ ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ, ନୀଳଗିରି ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ାଙ୍କ ସହିତ ବିଏଲ୍ଓ, ସୁପରଭାଇଜର, ପିଇଓ ପ୍ରମୁଖ ଯୋଗ ଦେଇଥିଲେ । ପରିବାରର ସମସ୍ତ ଭୋଟରଙ୍କୁ ଗୋଟିଏ ଜାଗାରେ ରଖିବା ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ସର୍ବେକ୍ଷଣ ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ସମ୍ପର୍କରେ ତଥ୍ୟ ଯାଞ୍ଚ କରିବା ଏବଂ ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ନିୟମାନୁସାରେ ସଂଶୋଧନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।


