ଆସିକାରେ ସରକାରଙ୍କ ବଦଳି ନିୟମ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କେବେ?

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ଆସିକା ଅଞ୍ଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ବହୁ ସରକାରୀ କର୍ମଚାରୀ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିଲେ ମଧ୍ୟ ସରକାରୀ ନୀତି ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ଅବଧି ଶେଷ ପରେ ସେମାନଙ୍କୁ ବଦଳି କରାଯାଉନଥିବା ଯୋଗୁଁ ସାଧାରଣ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ସରକାରୀ ନୀତିନିୟମ ଅନୁଯାୟୀ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନେ କେତେ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯିବାର ନିୟମ ରହିଛି କିନ୍ତୁ ଆସିକା ଅଞ୍ଚଳରେ ଥିବା କେତେକ ସରକାରୀ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଘଟୁଥିବା ଅଭିଯୋଗ ହେଉଛି । କାହାର ଆଶୀର୍ବାଦରେ ଗୋଟିଏ ଗୋଟିଏ କାର୍ଯ୍ୟାଳୟରେ ବହୁ କର୍ମଚାରୀ ବର୍ଷ ବର୍ଷ ଧରି କୋଳି ଖାଇ ମଞ୍ଜି ପୋତିଲା ଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ବି ହେଉଛି । ଏପରିକି କେତେକ କର୍ମଚାରୀ ଭାବି ନେଇଛନ୍ତି ଯେ ସେମାନଙ୍କ ଅବସର ମଧ୍ୟ ଆସିକାରେ ହିଁ ହେବ । ଆସିକା ଅଞ୍ଚଳରେ ଥିବା ବହୁ ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ସରକାରୀ ନୀତିନିୟମ ଅନୁଯାୟୀ ବଦଳି କରାଯାଉଥିଲା ବେଳେ ଅନ୍ୟ କେତେକ କର୍ମଚାରୀଙ୍କୁ ବଦଳି କରାନଯିବା ଘଟଣାକୁ ନେଇ ଦାୟିତ୍ୱରେ ଥିବା କେତେକ ବରିଷ୍ଠ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଆସିକା ଅଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଥିବା କେତେକ ସରକାର କର୍ମଚାରୀ ନିଜ ଚାକିରୀ କାଳର ଅଧାରୁ ଅଧିକ ସମୟ ଆସିକାରେ ହିଁ ଅତିବାହିତ କରିସାରିଲେଣି ବୋଲି ଚର୍ଚ୍ଚା ବି ହେଉଛି । ବର୍ଷ ବର୍ଷ ଧରି ଗାଦି ମାଡିବସିଥିବା କେତେକ କର୍ମଚାରୀ ନିଜ ବିଭାଗର ପ୍ରଶାସନିକ ଅଧିକାରୀଙ୍କୁ ତୋଷମତ ତ ଅନ୍ୟ କେତେକ କର୍ମଚାରୀ ରାଜନୈତିକ ଆଶୀର୍ବାଦରେ ବଦଳି ହେଉନଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସରକାରୀ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା କର୍ମଚାରୀଙ୍କୁ କେବେ ପ୍ରଶାସନ ନୁଆଁ ଠିକଣା ଦେଖାଇବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ବଦଳି ନୀତିରେ ଗତ କିଛି ଦିନ ତଳେ ବଡ ସଂସ୍କାର ଅଣାଯାଇ ନୁଆଁ ନିୟମ କାର୍ଯ୍ୟକାରୀ କରାଯାଇ ଗାଇଡ୍‍ଲାଇନ୍‍କୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିବା ଜଣାପଡିଛି । ନୁଆଁ ବଦଳି ନିୟମରେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଜନସ୍ୱାର୍ଥ ଦୃଷ୍ଟିରେ ଆବଶ୍ୟକ ପଡିଲେ ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ । ଗ୍ରୁପ-ଏ ଏବଂ ଗ୍ରୁପ-ବି ପାହ୍ୟାର କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସେହିପରି ଗ୍ରୁପୃସି ପାହ୍ୟାର କର୍ମଚାରୀ ମଧ୍ୟ କେତେ ଦିନ ଗୋଟିଏ କାର୍ଯ୍ୟାଳୟରେ କାମ କରିପାରିବେ ସେ ସଂକ୍ରାନ୍ତରେ ନିୟମ କାର୍ଯ୍ୟ କରାଯିବା ସାଙ୍ଗକୁ ପ୍ରତିବର୍ଷ ଏପ୍ରିଲ ମାସ ୧୫ ତାରିଖରୁୁ ଜୁନ ମାସ ୧୫ ତାରିଖରେ ବଦଳି କରାଯିବ । ଜୁନ୍‍ ମାସ ୧୫ ତାରିଖ ଶେଷ ହେବାକୁ ହାତରେ ମାତ୍ର ଆଉ କିଛି ଦିନ ବାକିଥିଲା ବେଳେ ଆସିକା ଅଞ୍ଚଳରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ସରକାରୀ କର୍ମଚାରୀଙ୍କୁ ଉକ୍ତ ସମୟ ଅବଧି ମଧ୍ୟରେ ବଦଳି ହେବ କି ନାହିଁ ତାହାକୁ ନେଇ ନାନା କଥା ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ