କେବେ ସମ୍ପୂର୍ଣ୍ଣ ହେବ ବୈତରଣୀର ଅସମ୍ପୂର୍ଣ୍ଣ ନଦୀବନ୍ଧ : ବନ୍ୟା ଆସିଲେ ଆତଙ୍କିତ ଅବସ୍ଥାରେ ୯ ପଞ୍ଚାୟତବାସୀ

ହାଟଡ଼ିହି(ଓ୍ବାଇଏନଏସ):  ବର୍ଷାଋତୁ ଆସିଲେ ଚିନ୍ତା ବଢ଼ାଉଛି ନଦୀ କୁଳିଆଙ୍କ ଚିନ୍ତା ବଢ଼ାଉଛି ଅସମ୍ପୂର୍ଣ୍ଣ ବୈତରଣୀ ନଦୀବନ୍ଧ।  ଏନେଇ ଆଶଙ୍କାରେ ରହୁଛନ୍ତି ୯ଟି ପଞ୍ଚାୟତର  ୪୦ଟି ଗ୍ରାମର ଗ୍ରାମବାସୀ।  ଅସମ୍ପୁର୍ଣ୍ଣ ନଦୀବନ୍ଧ ପାଇଁ ଦୁଃଖ ଭୋଗୁଛନ୍ତି ଲୋକେ।  ବୈତରଣୀ ନଦୀରେ ବନ୍ୟା ଆସିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରାଘବପୁର, ଆଇତିପୁର, ନୂଆଗାଁ, ଜଳସରପୁର, ସମଣା, କରଗୋଳା, ତେଲସିଙ୍ଗା, ଲାଇଛଣପୁର ଭଳି ଅନେକ ନଈ କୁଳିଆ ଗାଁର ଲୋକଙ୍କ ମନରେ ଛନକା ପସେ। ଭୟରେ ରାତି ଉଜାଗର ହୋଇ ନିଜର ଆସବାପତ୍ର ସୁରକ୍ଷିତ ରଖିବା ସହିତ ଜୀବନ କୁ ସୁରକ୍ଷିତ ରଖିବା ପାଇଁ ସ୍କୁଲ କିମ୍ବା ଆଶ୍ରୟ ସ୍ଥଳକୁ ପଳାଇଥାନ୍ତି। ଯାହାକି ଚଳିତ ବନ୍ୟାରେ ୯ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ବ ଗାଁର ୩୧ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହା ଯାଉଛି । ଦୀର୍ଘ ୮ବର୍ଷ ଧରି ଅସମ୍ପୁର୍ଣ୍ଣ ଥିବା ନଦୀବନ୍ଧ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ଆମ୍ବୋ ଠାରୁ ସମଣା ଓ ରାଘବପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ନଦୀ ବନ୍ଧ ସମ୍ପୁର୍ଣ୍ଣ ହେଉ ନଥିବାରୁ ପ୍ରତି ବନ୍ୟାରେ ହାଟଡିହି ବ୍ଲକ କ୍ଷତିଗ୍ରସ୍ଥ ହେଉଛି। ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ସମ୍ପୂର୍ଣ୍ଣ ହୋଇ ଥିଲେବି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନି। ନଦୀକୂଳରେ ଥିବା ଏହି ଗ୍ରାମର ଲୋକମାନଙ୍କ ଅଭିଯୋଗ ଅନୁଯାଇ ଗତ ୮ବର୍ଷ ଧରି ଦୁଃଖରେ କାଳ କାଟୁଛନ୍ତି। ପୂର୍ବରୁ ବନ୍ୟା ଆସୁଥିଲେ ବି ବିଶେଷ କ୍ଷତି ହେଉ ନଥିଲା। କିନ୍ତୁ  ୨୦୧୭ ମସିହାରୁ ହାବଳେଶ୍ୱର ନିକଟରୁ ନଦୀବନ୍ଧ ଆସି ବେଲେଇ ନାଳ ପାଖରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଏହା ଏବେ ଆଖପାଖ ଗାଁ ଗୁଡିକ ପାଇଁ ବିପଦ ସୃଷ୍ଟି କରିଛି। ବର୍ଷାଦିନେ ବୈତରଣୀ ନଦୀର ବନ୍ୟାଜଳ ଏହିବାଟ ଦେଇ ରାଘବପୁର ଗାଁରେ ପସି ବ୍ୟାପକ କ୍ଷୟକ୍ଷତି କରିଥାଏ। ଲୋକମାନେ ଦୀର୍ଘ ଦିନ ଜଳବନ୍ଦୀ ଜୀବନ ବିତାଇବା ସହିତ ଶହ ଶହ ଏକର ଚାଷଜମି ବାଲିଚର ହୋଇଯାଉ ଥିବାରୁ ଚାଷୀମାନେ ନାନା ସମସ୍ୟା ଭୋଗ କରୁଛନ୍ତି। ଏହି ବାଟ ଦେଇ ବନ୍ୟଜଳ ଆଇତିପୁର ଓ ଗେଡମା, ହାବଳେଶ୍ୱର , ସଡଙ୍ଗ, ସମଣା ଆଦି ପଞ୍ଚାୟତର ଅନେକ ଗ୍ରାମ ପ୍ରଭାବିତ ହୁଏ। ଆଇତିପୁର ପଞ୍ଚାୟତର ରାଘବପୁର, ଆଇତିପୁର, ରତକଣା, ନୂଆଗାଁ, ମଦରଙ୍ଗା, ଅମୃତପୁର, ମଧୁପୁର, ଗେଡମା, ଜଳସରପୁର, ସାହାପୁର, କମେଶ୍ୱରପୁର ଆଦି  ୧୫ରୁ ଉର୍ଦ୍ଧ୍ବ ଗାଁର ୧୦ହଜାରରୁ ଉର୍ଦ୍ଧ୍ବ ଲୋକେ ଅସମ୍ପୁର୍ଣ୍ଣ ନଦୀବନ୍ଧ ପାଇଁ ବର୍ଷା ଦିନେ ଅସୁରକ୍ଷିତ ହୋଇ ପଡନ୍ତି । ଏହିସବୁ ଗାଁ ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହେ। ଲୋକଙ୍କ ଘରେ ପାଣି ପସିଯିବା ସହ, ଘରେ ଥିବା ଧାନ ଚାଉଳ ସବୁ ନଷ୍ଟ ହୁଏ। ଅନେକ ଗ୍ରାମ ପାଣିଘେରରେ ରହୁଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରି ନଥାନ୍ତି। ରୋଗୀ ମାନଙ୍କୁ ଡାକ୍ତରଖାନା ନିଆଯାଇ ପାରେ ନାହିଁ। ସେହିପରି ଗିରିଗାଁ ଓ ତେଲସିଙ୍ଗା ବାଟଦେଇ ବନ୍ୟାଜଳ ପ୍ରବେଶ କରି ତଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ  ବହୁବାର ଦାବି କରାଯାଉଥିଲେ ମଧ୍ୟ ଜଳସମ୍ପଦ ବିଭାଗ କିମ୍ବା ପ୍ରଶାସନ ନଦୀବନ୍ଧ ସମ୍ପୂର୍ଣ୍ଣ କରିବା ଦିଗରେ  ଆଗଭର ଦେଖାଉ ନାହାନ୍ତି। ଅନେକ ଥର ଆସି ସର୍ଭେ ଓ ମାପଚୁପ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ଏଣୁ ଓଡ଼ିଶାର  ଜନପ୍ରିୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେଇ ଏହି ଅସମ୍ପୁର୍ଣ୍ଣ ନଦୀବନ୍ଧ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେବାକୁ ଆଇତିପୁର ସରପଞ୍ଚ ଲତିକା ଜେନା, ପୂର୍ବତନ ସରପଞ୍ଚ ପ୍ରଭାକର ଜେନା, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ଗେଡ଼ମା ସରପଞ୍ଚ ଶିଲାରାଣୀ କାଣ୍ଡି, ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ସଡ଼ଙ୍ଗ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଆମ୍ବୋ ସରପଞ୍ଚ, ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ ସେଠୀ, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ଅମୁଲ୍ୟ କୁମାର ବାରିକ, ଶ୍ରୀଧର ବେହେରା, ଅନାଦି ଚରଣ ଜେନା, କୃଷ୍ଣଚନ୍ଦ୍ର ବେହେରା, ଜୟଦେବ ଜେନା, ସୁଦର୍ଶନ ଜେନା, ଗୋପିନାଥ ବାରିକ ପ୍ରମୁଖ ଦାବି କରିଛନ୍ତି। ଏହି ନଦୀବନ୍ଧ ନିର୍ମାଣ ହେଲେ ହାଟଡିହି ବ୍ଲକରେ ବନ୍ୟା ବିପତ୍ତି ଦୂର ହୋଇ ପାରନ୍ତା ବୋଲି ସେମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ