ପୀରଜାହାନିଆଁରେ କିଏ କଲା ରକ୍ଷିତ ଜମିରେ 7 ଟି କଟେଜ୍
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ୍ ଛୁରିଆନା ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୀର ଜାହାନିଆଁ ବେଳାଭୂମି ନିକଟରେ ୬୫. ୧୪୦ ଏକର ସରକାରୀ ଜମିରେ ଚାଲିଥିବା ୭ ଟି ବେଆଇନ କଟେଜ୍ ନିର୍ମାଣକୁ ତହସିଲ୍ ପ୍ରଶାସନ ବନ୍ଦ କରିଦେଇଛି।
ଆରଓଆର ରେକର୍ଡ ଅନୁଯାୟୀ ଜମିର ଖାତା ନଂ ୪୫୮, ପ୍ଲଟ୍ ନଂ ୨୨୬୧, କ୍ଷେତ୍ରଫଳ ୨୬. ୩୬୨ ହେକ୍ଟର ବା ୬୫. ୧୪୦ ଏକର। ଜମିର ମାଲିକ ‘ରକ୍ଷିତ ଅବାଦ ଯୋଗ୍ୟ ଅନାବାଦୀ’। ଓଏଲଆର ଆକ୍ଟ ୧୯୬୨ଧାରା ୨(i) ଅନୁଯାୟୀ ଏଇ ଜମି ସରକାରୀ ସମ୍ପତ୍ତି। ବିନା ଅନୁମତିରେ ବ୍ୟବହାର ଅପରାଧ। ମାଣ୍ଡୁକି ସର୍କଲ ରାଜ୍ଵସ ନିରୀକ୍ଷକ ତପନ କୁମାର ପୃଷ୍ଟିଙ୍କ ରିପୋର୍ଟ ପରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ବୁଧବାର ଘଟଣାସ୍ଥଳ ପରିଦର୍ଶନ କଲେ। ତଦନ୍ତରେ ଜଣାପଡ଼ିଲା ଜନୈକ ବ୍ୟକ୍ତି ବିନା ଅନୁମତିରେ ୭ଟି ପର୍ଯ୍ୟଟନ କଟେଜ୍ ନିର୍ମାଣ କରୁଛନ୍ତି। ତହସିଲଦାର ତତ୍କାଳ କାର୍ଯ୍ୟ ବନ୍ଦ ନିର୍ଦେଶ ଦେଇ କହିଛନ୍ତି, ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ଏହା ଭଙ୍ଗାଯିବ।
ପ୍ରଶ୍ନ ଉଠୁଛି – ୬୫ ଏକର ରକ୍ଷିତ ଜମିରେ ୭ ଟି କଂକ୍ରିଟ୍ କଟେଜ୍ ରାତାରାତି ଉଠିଲା କି? ପ୍ରତିଦିନ ସିମେଣ୍ଟ, ବାଲି, ଲେବର୍ ଗଲା। ସ୍ଥାନୀୟ ରାଜସ୍ୱ କର୍ମଚାରୀ, ପଞ୍ଚାୟତ ପ୍ରତିନିଧି, ପୋଲିସ୍ କ’ଣ ଦେଖିନଥିଲେ? ଓଏଲଆର ଧାରା ୭ଏ ଅନୁଯାୟୀ ବେଆଇନ ଜବରଦଖଲ ହେଲେ ତହସିଲଦାର ତତ୍କାଳ ଉଚ୍ଛେଦ ସହ ଜରିମାନା କରିପାରିବେ। ଧାରା ୨୩ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ମଧ୍ୟ ଅଛି। ଆରଓଆର ରେକର୍ଡ, ସାଟେଲାଇଟ୍ ଇମେଜ୍, ଘଟଣାସ୍ଥଳ ଫଟୋ ସବୁ ପ୍ରମାଣ ଏବେ ପ୍ରଶାସନ ପାଖରେ। ସ୍ଥାନୀୟ ଲୋକେ ପୁରୀ ଜିଲ୍ଲାପାଳଙ୍କ ପାଖରେ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରିଛନ୍ତି। ଜାହାନିଆଁର ଉନ୍ନତି ପାଇଁ କୋଟି କୋଟି ଟଙ୍କା ପଡ଼ିଥିବା ବେଳେ ସରକାରୀ ଜମି ଲୁଟ୍ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକେ କହୁଛନ୍ତି – “ବିକାଶ ଟଙ୍କା ନୁହେଁ, ବିକାଶ ହେଲା ଜମି ରକ୍ଷା। ଦୋଷୀ ଧରାପଡ଼ୁ, ଜମି ମୁକ୍ତ ହେଉ”। ଓଏଲଆର ଧାରା ୭ଏ ଅନୁଯାୟୀ ନିର୍ଦ୍ଧାରିତ ସମୟ ଭିତରେ ଉଚ୍ଛେଦ ଓ ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ପ୍ରଶାସନର ନିଷ୍କ୍ରିୟତା ପ୍ରଶ୍ନ ଉଠିବ। କିଏ କଲା, କିପରି କଲା, କିଏ ସହଯୋଗ କଲା – ତଦନ୍ତ ହେବା ଦରକାର।


