ମହିଳା ସଫେଇ କର୍ମଚାରୀଙ୍କୁ ଆକ୍ରମଣ ମାମଲା; ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମର ମହିଳା ସଫେଇ କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ପୁଲିସ ଅଭିଯୁକ୍ତ ଙ୍କୁ ଗିରଫ କରି ଶନିବାର ବ୍ରହ୍ମପୁର ଏସଡିଜେଏମ କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଅନନ୍ତେଇ ଗ୍ରାମର ବିଦେଶୀ ଦାସ । ଗତ ଅକ୍ଟୋବର ୩୦ ତାରିଖରେ ମିରା ସେଠୀ ନାମ୍ନୀ ଜଣେ ସଫେଇ କର୍ମଚାରୀ ଗ୍ରାମ ପରିସରରେ ସଫେଇ କାମ କରୁଥିବା ବେଳେ ଅଭିଯୁକ୍ତ ବିଦେଶୀଙ୍କ ସ୍ତ୍ରୀ ଝୁମୁରୀ ଦାସଙ୍କ ମଧ୍ୟରେ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ଉତ୍ତେଜିତ ହୋଇ ଘର ଭିତରୁ ଏକ ଲୁହା ଫୁଙ୍କନଳା ଆଣି ମିରାଙ୍କ ମୁଣ୍ଡକୁ ଆଘାତ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ମିରାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ମିରା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଗିରଫ ଭୟରେ ଅଭିଯୁକ୍ତ ଘଟଣା ପରଠାରୁ ଫେରାର ହୋଇଥିଲେ ମଧ୍ୟ ଶୁକ୍ରବାର ସେ ଘରକୁ ଆସିଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ବିଶେଷ ସୁତ୍ରରୁ ଖବରପାଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ । ଏନେଇ ଥାନା କେସ୍ ନଂ ୩୯୨/୨୫ ପ୍ରକାରେ ଶନିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ତାଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।


