ଲଗାଣ ବର୍ଷାରେ କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ
ଝାରପୋଖରିଆ,(ଭଗୀରଥ ମହାନ୍ତ) : ସାରସକଣା ବ୍ଲକ୍ ଅନ୍ତର୍ଗତ ଜାଲଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଅଧୀନରେ ରହିଥିବା ପୁନାସିଆ ଗ୍ରାମ ଅଞ୍ଚଳରେ ଗତ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଝାରପୋଖରିଆ ଥାନା ଅନ୍ତର୍ଗତ ଜାଲଦା ଗ୍ରାମପଞ୍ଚାୟତର ପୁନାସିଆ ଗ୍ରାମରେ ମାଟି କାନ୍ଥ ପଡି ଜନୈକ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପୁନାସିଆ ଗ୍ରାମର ଶ୍ରୀହରି ନାଏକଙ୍କ ସ୍ତ୍ରୀ ଚୁନୁ ନାଏକ (ବୟସ ୬୫ ବର୍ଷ) । ପରିବାର ଲୋକଙ୍କ ସୂଚନା ମୁତାବକ ରାତିରେ ସମସ୍ତେ ଶୋଇଥିବା ବେଳେ ରାତ୍ରୀ ପ୍ରାୟ ତିନିଟା ପରେ ହଠାତ୍ ଜୋରରେ ଶବ୍ଦ ହେବାରୁ ସମସ୍ତେ ଉଠି ଦେଖିବା ବେଳକୁ ମହିଳାଙ୍କ ଉପରେ ମାଟି କାନ୍ଥ ପଡିଯାଇଥିବା ଫଳରେ ସେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ । ପରିବାର ଲୋକଙ୍କ ପକ୍ଷେ ଉଦ୍ଧାର କରିବା ସମ୍ଭବ ହୋଇ ନଥିବାରୁ ଗ୍ରାମବାସୀଙ୍କୁ ଡାକିଥିଲେ ବୋଲି ତାଙ୍କ ପୁଅ ପଦ୍ମ ଲୋଚନ ନାଏକ ପ୍ରକାଶ କରିଛନ୍ତି । ଖବର ପାଇ ଝାରପୋଖରିଆ ପୋଲିସ୍ ଷ୍ଟେସନର ଆଇ.ଆଇ.ସି. ସତ୍ୟବ୍ରତ ଗ୍ରହଚାର୍ଯ୍ୟ ତାଙ୍କର କର୍ମଚାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରିଥିଲେ । ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ କେସ୍ ନମ୍ବର ୩୩/୨୦୨୬ ରେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିବା ପରେ ମୃତ ଦେହ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଛି । ଖବର ପାଇ ସାରସକଣା ତହସିଲର ତହସିଲଦାର ମନୋଜ କୁମାର କାର୍ଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।


