ସାବିତ୍ରୀ ବ୍ରତ ପାଇଁ ଶଙ୍ଖା ଓ ସିନ୍ଦୁର ଦୋକାନରେ ମହିଳାଙ୍କ ଭିଡ
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ଥିବା ଆସିକା ଅଞ୍ଚଳ ବର୍ତ୍ତମାନ ସାବିତ୍ରୀ ବ୍ରତ ବେପାରରେ ମସଗୁଲ । ଆସନ୍ତା ୨୬ତାରିଖ ସୋମବାର ଦିନ ସାବିତ୍ରୀ ବ୍ରତ। ଓଡିଆ ଘରର ପ୍ରତ୍ୟେକ ସ୍ତ୍ରୀଲୋକ ଏହି ବ୍ରତ ପାଳନ କରିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଏହି ବ୍ରତ କାହିଁ କେଉଁ କାଳରୁ ପାଳନ କରିଆସୁଛନ୍ତି । ତେବେ ସାବିତ୍ରୀ ବ୍ରତ ପାଇଁ ଏବେ ଘରେ ଘରେ ବିଭିନ୍ନ ସାମଗ୍ରୀ କିଣାବିକାରେ ମାହୋଲ । ଦୋକାନ ବଜାରରେ ଭିଡ । ମଧ୍ୟବିତ୍ତ ଶ୍ରେଣୀର ସାବିତ୍ରୀମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ କ୍ରୟ କରି ସତ୍ୟବାନ ମାନଙ୍କ ପକେଟ ଢିଲା ହୋଇପଡିଲାଣି । ବଜାରରେ ଶାଢୀ, ଚୁଡି, ଫଳଠୁ ଫୁଲ ଯାଏଁ ସବୁ ମହରଗ । ଏ ଦୋକାନ ସେ ଦୋକାନ ବୁଲାବୁଲି କରି ଅଧିକାଂଶ ସତ୍ୟବାନ ହାଲିଆ ହୋଇଗଲେଣି । କିଏ ଝିଅ ଘରକୁ ଭାର ପଠାଇବାକୁ ଯୋଜନା କରୁଛି ତ ଆଉ କିଏ ନିଜ ପାଇଁ ସାବିତ୍ରୀ ବ୍ରତ ଆବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ ବ୍ୟସ୍ତ । ଆସିକା ସହରର ବିଭିନ୍ନ ଲୁଗାଦୋକାନ ଠାରୁ ଆରମ୍ଭ କରି ଫଳଦୋକାନ ଗୁଡିକରେ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଶାଢୀଦୋକାନୀ ମାନେ ମଧ୍ୟ ବିଭିନ୍ନ ଆକର୍ଷଣୀୟ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଠ କରିବାରେ ଲାଗିଛନ୍ତି । ଆସିକା ବସଷ୍ଟାଣ୍ଡ କଳିଙ୍ଗରୋଡ, ଲକ୍ଷ୍ମୀବଜାର ସମେତ ପ୍ରମୁଖ ସ୍ଥାନମାନଙ୍କରେ ଥିବା ଶାଢୀ ଓ ଶଙ୍ଖାସିନ୍ଦୁର ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି । କେବଳ ଶାଢୀଦୋକାନ ନୁହେଁ ଷ୍ଟେସନାରୀ ଦୋକାନ ଗୁଡିକରେ ମଧ୍ୟ ଚୁଡି, ସିନ୍ଦୁର ଭଳି ପ୍ରସାଧନ ସାମଗ୍ରୀ କ୍ରୟ ପାଇଁ ଭିଡ ଜମୁଛି । ସାବିତ୍ରୀ ବ୍ରତ ସମୟରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ବ୍ୟବସାୟୀ ବିଭିନ୍ନ ଆକର୍ଷଣୀୟ ରଙ୍ଗର ଚୁଡି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆଣି ସୁଲଭ ମୂଲ୍ୟରେ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ସାବିତ୍ରୀ ବ୍ରତରେ ଭୋଗ ପାଇଁ ଆବଶ୍ୟକ ପଡୁଥିବା ଫଳମୂଳର ଦାମ ମଧ୍ୟ ସାଧାରଣ ଦିନ ଠାରୁ ଅଧିକ ରହିଛି । ଦର ଯେତେ ଅଧିକ ରହିଲେ ମଧ୍ୟ ଗ୍ରାହକମାନେ ତାହା କ୍ରୟ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପଡୁଥିବା ଆମ୍ବ, ସପୁରୀ, ସେଓ, ପଣସ, ନଡିଆ, କଦଳୀ, ଲିଚୁ, କାକୁଡି, ଖଡୁରୀକୋଳି, ଅଙ୍ଗୁରକୋଳି ସମେତ ଅନ୍ୟାନ୍ୟ ଫଳର ଦର ଆକାଶଛୁଆଁ ହୋଇପଡିଥିବା ବେଳେ ଧନୀକ ଶ୍ରେଣୀର ସାଧାରଣ ଜନତା ଝିଅଘରକୁ ଭାର ଦେବା ପାଇଁ ପେଟିପେଟି ଫଳମୂଳ କ୍ରୟ କରୁଥିବା ବେଳେ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ନିଜ କ୍ଷମତା ଅନୁସାରେ ଫଳମୂଳ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି ।


