ଅବହେଳିତ ହୋଇ ପଡିରହିଛି “ଆଇ ଲଭ୍‍ ଆସିକା”

ଆସିକା (ୱାଇଏନ୍‍ଏସ୍‍) ଆସିକା ସହରର ଘରୋଇ ବସ୍‍ଷ୍ଟାଣ୍ଡକୁ ପ୍ରବେଶ କରିବା ପାଇଁ ଉଦ୍ଦିଷ୍ଟ ପ୍ରବେଶପଥକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଆସିକା ଏନ୍‍ଏସି ପକ୍ଷରୁ ଲକ୍ଷାଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଆଇ ଲଭ୍‍ ଆସିକାର ସୌନ୍ଦର୍ଯ୍ୟକରଣ ପଏଣ୍ଟକୁ ଗତ ୨୦୨୦ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଲୋକାର୍ପଣ କରାଯାଇଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗତ କିଛି ମାସ ହେଲା ଏହି ଆଇ ଲଭ୍‍ ଆସିକା ଅବହେଳିତ ହୋଇପଡିରହିଥିବା ସାଙ୍ଗକୁ ସୌନ୍ଦର୍ଯ୍ୟ ହରାଇଥିବା ଦେଖିବାକୁ ମିଳୁଛି । ଆସିକା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏନ୍‍ଏସି ପକ୍ଷରୁ ସରକାରଙ୍କ ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଆଇ ଲଭ୍‍ ଆସିକା ଉଦ୍‍ଘାଟନ ସମୟରେ ଆସିକା ସହରର ଅନ୍ୟତମ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସନ୍ଧ୍ୟା ହେବା କ୍ଷଣି ଏହି ଆଇ ଲଭ୍‍ ଆସିକା ପଏଣ୍ଟରେ ଫଟୋ ଓ ସେଲ୍‍ଫି ନେବାକୁ ଅତୀତରେ ନାହିଁ ନଥିବା ଭିଡ ବି ହେଉଥିଲା । ଏକ ଝରଣା ମଧ୍ୟ ନିର୍ମାଣ କରାଯାଇଥିଲା । ରାତ୍ରରେ ସୁସଜ୍ଜିତ ଆଲୋକରେ ଆଇ ଲଭ୍‍ ଆସିକା ପଏଣ୍ଟ ଝଲସି ଉଠୁଥିଲା । କିନ୍ତୁ କାଳକ୍ରମେ ଏହାର ରକ୍ଷଣାବେକ୍ଷଣ ଦିଗରେ ଏନ୍‍ଏସି ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯାହାରି ଫଳରେ ଏହି ଆଇ ଲଭ୍‍ ଆସିକା ପଏଣ୍ଟର ସୌନ୍ଦର୍ଯ୍ୟ କାଳକ୍ରମେ ନଷ୍ଟ ହୋଇଗଲା । ଏପରିକି ବର୍ତ୍ତମାନ୍‍ ଆଇ ଲଭ୍‍ ଆସିକା ପଏଣ୍ଟଟି ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ବେଳେ ତାହାକୁ ପରିଷ୍କାର ଓ ପରିଚ୍ଛନ୍ନ କରାଯାଉନଥିବା ବି ଅଭିଯୋଗ ହେଉଛି । ଯେଉଁ ଆଇ ଲଭ୍‍ ଆସିକା ପଏଣ୍ଟ ଅତୀତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବର୍ତ୍ତମାନ ତାହା କଦର୍ଯ୍ୟ ଅବସ୍ଥାକୁ ଆସିବା ସହ ସୌନ୍ଦର୍ଯ୍ୟ ହରାଇବାକୁ ବସିଛି । ଆଇ ଲଭ୍‍ ଆସିକା ପଏଣ୍ଟରେ ସ୍ଥାପନ ହୋଇଥିବା ପାଣିର ଝରଣାରେ ଲାଗିଥିବା ମୋଟର୍‍ ଖରାପ ଯୋଗୁଁ ଆଉ ପାଣି ଝରୁ ନାହିଁ ଓ ରାତିରେ ପୂର୍ବରୁ ଲାଗୁଥିବା ସୌନ୍ଦର୍ଯ୍ୟକରଣ ଲାଇଟ୍‍ ଗୁଡିକ ମଧ୍ୟ ଆଉ ଲାଗୁନାହିଁ । ସେହିଭଳି ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଥିବା ବେଳେ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯୀଉନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି । ଏନ୍‍ଏସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ନାନା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସାଙ୍ଗକୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ଲାଇଟ୍‍ ବୋର୍ଡ ଓ ପାଚେରୀ ସୌନ୍ଦର୍ଯ୍ୟକରଣ ପଦକ୍ଷେପ ନିଆଯାଉଥିଲା ବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଆଇ ଲଭ୍‍ ଆସିକା ପଏଣ୍ଟକୁ ପୂର୍ବପରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆନଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଆସିକା ଘରୋଇ ବସ୍‍ଷ୍ଟାଣ୍ଡର ପ୍ରବେଶ ପଥରେ ଥିବା ଆଇ ଲଭ୍‍ ଆସିକା ପଏଣ୍ଟକୁ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ