ବିଶ୍ବ କିଡ୍‌ନି ଦିବସ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାର ନରସିଂହପୁର, ଢେଙ୍କାନାଳ, ବଲାଙ୍ଗୀର ଓ ଝାରସୁଗୁଡ଼ା ଏବେ କିଡ୍‌ନି ରୋଗର ହଟସ୍ପଟ୍‌ ପାଲଟିଛି। ଏହି ଅଞ୍ଚଳରେ ଭୂତଳ ଜଳରେ ଥିବା ସିସା, କ୍ୟାଡମିୟମ୍, ମର୍‌କ୍ୟୁରି, ଫ୍ଲୋରାଇଡ୍‌ର ମାତ୍ରା ଅଧିକ ଯୋଗୁଁ ଏଯାଏଁ ୧୯ ହଜାର ୮୮୮ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରୁ ଗଲା ୩ ବର୍ଷ ଭିତରେ ୪ ହଜାର ୭୯୮ ଜଣ ରୋଗୀଙ୍କ ଜୀବନ ଗଲାଣି। ୧୪ ପ୍ରତିଶତ ମାମଲା ୧୫ ବର୍ଷ ବୟସ ପରେ ଚିହ୍ନଟ ହୋଇଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁହାର ଅଧିକ ରହୁଛି। ଏସ୍‌ସିବିରେ କିଡ୍‌ନି ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପରାମର୍ଶ ଦିଆଯାଇଛି। ମାର୍ଚ୍ଚ ୧୨ରେ ବିଶ୍ବ କିଡ୍‌ନି ଦିବସ ପାଳିତ ହେଉଛି। ୨୦୨୩-୨୪ ବର୍ଷରେ କଟକ ବଡ଼ଡାକ୍ତରଖାନାରେ ୪୧ ହଜାର ୨୨୬ ଜଣ କିଡ୍‌ନି ରୋଗୀ ବହିର୍ବିଭା‌ଗରେ ଚିକିତ୍ସିତ ହୋଇଥିଲେ। ଆଇପିଡିରେ ୮ ହଜାର ୨୫୬ ଜଣ ଚିକିତ୍ସିତ ହୋଇଛନ୍ତି। ୨୦୨୪-୨୫ ବର୍ଷରେ ଓପିଡିରେ ୪୪ ହଜାର ୮୨୯ ଜଣ ଚିକିତ୍ସିତ ହୋଇଥିବା ବେଳେ ଆଇପିଡିରେ ୭ ହଜାର ୨୯୪ ଜଣ ଭର୍ତ୍ତି ହୋଇଛନ୍ତି। ଗଲା ୩୦ ବର୍ଷ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁ କିଡ୍‌ନି ରୋଗ ହେଉଥିବା ବେଳେ ଏବେ ଦୂଷିତ ପାଣିରୁ କିଡ୍‌ନି ରୋଗ ବ୍ୟାପିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। କଟକ ବଡ଼ଡାକ୍ତରଖାନାରେ ୨୦୧୬ରେ ପ୍ରଥମ କିଡ୍‌ନି ରୋଗୀ ଚିହ୍ନଟ ହୋଇଥିଲେ। ଏସ୍‌ସିବି ମେଡିକାଲ୍‌ର ତଥ୍ୟ ମୁତାବକ, ଏହି ଧାତୁଗୁଡ଼ିକ ମଣିଷ ପିଉଥିବା ପାଣିରେ ରହିଲେ କିଡ୍‌ନିର ସୂକ୍ଷ୍ମ କୋଷଗୁଡ଼ିକୁ ନଷ୍ଟ କରିଦିଏ। ଶେଷରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ। କ୍ୟାଡମିୟମ୍ ସବୁଠାରୁ ଅଧିକ ବିପଜ୍ଜନକ ପଦାର୍ଥ। ଏହା ଶରୀରକୁ ଗଲେ ପ୍ରାୟ ୧୦ ରୁ ୩୦ ବର୍ଷ ପର୍ଯ୍ୟନ୍ତ କିଡ୍‌ନିରେ ଜମି ରୁହେ। ଯାହାଫଳରେ ପରିସ୍ରା ଦେଇ ଶରୀରର ଆବଶ୍ୟକ ପ୍ରୋଟିନ୍‌ ବାହାରିଯାଏ। କିଡ୍‌ନିରେ ଷ୍ଟୋନ୍‌ ସୃଷ୍ଟି ହେବାର ଆଶଙ୍କା ବଢ଼ାଇଦିଏ। ମରକ୍ୟୁରି ପାଣି ମାଧ୍ୟମରେ ଶରୀରକୁ ଗଲେ ଏହା କିଡ୍‌ନିର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହିତ କୋଷଗୁଡ଼ିକୁ ନଷ୍ଟ କରିଦିଏ। ସେହିଭଳି ଫ୍ଲୋରାଇଡ୍ ପ୍ରତି ଲିଟର ପାଣିରେ ୧.୫ ଏମ୍‌ଜିରୁ ଅଧିକ ରହିଲେ ଏହା କିଡ୍‌ନିର ଗ୍ଲୋମେରୁଲାର ଫିଲଟେସନ୍ ରେଟ୍‌(ଜିଏଫ୍‌ଆର୍‌)କୁ କମାଇଦିଏ। ଏସ୍‌ସିବି ମେଡିକାଲ୍ କଲେଜର ନେଫ୍ରୋଲଜି ଏବଂ ରେନାଲ୍ ଟ୍ରାନ୍ସପ୍ଲାଣ୍ଟେସନ୍ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିବେକାନନ୍ଦ କରଙ୍କ କହିବା ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ କିଡ୍‌ନି ରୋଗର କୌଣସି ବିଶେଷ ଲକ୍ଷଣ ଦେଖାଏ ନାହିଁ। ତେବେ ପାଦ, ଗୋଇଠି କିମ୍ବା ଆଖି ଚାରିପଟ ଫୁଲିବା ସହ ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାରେ ଫେଣ ହେବା, ପରିସ୍ରାର ମାତ୍ରା କମିଯିବା କିମ୍ବା ପରିସ୍ରାର ରଙ୍ଗ ଲାଲ୍‌ ହେବା, ଅଧିକ କ୍ଲାନ୍ତି ଓ ଦୁର୍ବଳତା ଅନୁଭବ କରିବା, ଭୋକ କମିବା ଓ ବାନ୍ତି ଲାଗିବା ହେଉଛି ଏହାର କେତେକ ଲକ୍ଷଣ। ପ୍ରଚୁର ପାଣି ପିଇବା, ଖାଦ୍ୟରେ ଲୁଣ କମ୍‌ କରିବା, ରକ୍ତଚାପ ଓ ସର୍କରା ନିୟନ୍ତ୍ରଣ, ନିଶାଦ୍ରବ୍ୟରୁ ଦୂରେଇ ରହିଲେ କିଡ୍‌ନି ରୋଗରୁ ନିଜକୁ ଦୂରେଇ ରଖାଯାଇପାରିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ