କେନ୍ଦ୍ରାପଡାରେ ପହଞ୍ଚିଲା ଯାତ୍ରା ବିବାଦ: ଟିକସ ଫାଙ୍କନ୍ତି ଯାତ୍ରାପାର୍ଟି ମାଲିକ

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): ବର୍ତ୍ତମାନ ସମୟରେ ଯାତ୍ରାପାଟି ମାଲିକ, କଳାକାରଙ୍କ ମଧ୍ୟରେ ବିବାଦ ଦେଖାଯାଇଛି । ଏହା ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଦେଖାଯାଇଛି । ଏହି ପରିପ୍ରେକ୍ଷିରେ ଗରାପୁର ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟର ସଭାପତି ମିହିର ସାମଲ କହିଛନ୍ତି ଆଜି ଯାତ୍ରା ପାର୍ଟିରେ ଯେଉଁ ଝଡ଼ ସୃଷ୍ଟି ହୋଇଛି ସେଥିପାଇଁ ଯାତ୍ରା ମାଲିକମାନେ ଅଧିକାଂଶରେ ଦାୟୀ । ଆହୁରି ସେମାନେ କହିଛନ୍ତି ଯେ ଯାତ୍ରା ପାର୍ଟି ମାଲିକ ଓ କଳାକାରମାନେ ବହୁ ଟଙ୍କା ରୋଜଗାର କରୁଥିବା ବେଳେ ସେମାନେ ସରକାରଙ୍କୁ ଟିକସ ଦିଅନ୍ତି ନାହିଁ। ଟିକସ ଫାଙ୍କି ସେମାନେ ବଡ଼ଲୋକ ହୋଇଥାନ୍ତି। ତେଣୁ ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ଠାରୁ ଟିକସ ଆଦାୟ କରାଯାଉ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ପକ୍ଷରୁ ଏହି ସମ୍ମିଳନୀରେ ପ୍ରକାଶ କରାଯାଇଛି। ପିୟୁଷ ତ୍ରିପାଠୀ ହେଉ କି ନରି ପଣ୍ଡା ଘଟଣା ହେଉ ସବୁ କ୍ଷେତ୍ରରେ ମାଲିକମାନେ ହିଁ ଦାୟୀ। କାରଣ ସେମାନେ ଅଧିକ ଟଙ୍କା ଦେଇ କଳାକାରଙ୍କୁ କିଣୁଛନ୍ତି। ହେଲେ ଯାତ୍ରା ଆୟୋଜନ କରୁଥିବା ଯାତ୍ରା କମିଟି ହିଁ କ୍ଷତି ସହୁଛି। ଗୋଟିଏ ରାତି ଯାତ୍ରା କରିବା ପାଇଁ ୩ ଲକ୍ଷରୁ ସାଢେ ୩ ଲକ୍ଷ ଖର୍ଚ୍ଚ ହେଉଛି। ହେଲେ ପ୍ରଥମ ରାତିରେ ଆୟ କମ ହୋଇଥାଏ। ଏହାର କାରଣ ହେଉଛି ଯାତ୍ରା ବିଳମ୍ବରେ ପରିବେଷଣ କରାଯାଇଥାଏ। କିନ୍ତୁ ଯାତ୍ରା ପାର୍ଟି ମାଲିକ ଟଙ୍କାଟିଏ ଛାଡନ୍ତି ନାହିଁ। ଯାତ୍ରା କମିଟି ସବୁ କ୍ଷତି ସହିବାକୁ ପଡେ। ଏହାଦ୍ୱାରା ଯାତ୍ରା କମିଟି ଦେବାଳିଆ ହୋଇଯାଏ। ଏହା ଯାତ୍ରା ପାର୍ଟିର୍ ମାଲିକମାନେ ବୁଝିବା ଆବଶ୍ୟକ। ପଶ୍ଚିମ ଓଡ଼ିଶାରେ ଯେଉଁ ଯାତ୍ରା ହୁଏ ଯାତ୍ରା ପାର୍ଟି ମାଲିକ ମାନେ ପରସେଣ୍ଟ ନେଇଥାନ୍ତି। ଅର୍ଥାତ ଟିକେଟ ବିକ୍ରିରୁ ଯାହା ରୋଜଗାର ହୁଏ ସେହି ଅନୁଯାୟୀ ଯାତ୍ରା ପାର୍ଟି ମାଲିକ ଅର୍ଥ ନେଇଥାନ୍ତି। କିନ୍ତୁ ଉପକୂଳ ଓଡ଼ିଶାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଯାତ୍ରା ପାର୍ଟି ମାଲିକ ଯାତ୍ରା ପରିବେଷଣ କରିବା ପାଇଁ କମିଟି ସହ ଚୁକ୍ତି କରିଥାନ୍ତି। ତେଣୁ ସାଧାରଣ ଲୋକମାନେ ଯାତ୍ରାଦେଖିବାକୁ ବଞ୍ଚିତ ହେବେ । ଯାତ୍ରା ଦେଖିବା ପାଇଁ ଦର୍ଶକ ଆସନ୍ତୁ କି ନାହିଁ ମାଲିକ ଚୁକ୍ତି ଅନୁଯାୟୀ ଟଙ୍କା ନେବେ। ଏହାଦ୍ୱାରା ଯାତ୍ରା କମିଟି ଦେବାଳିଆ ହୋଇଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୧୯୬ଟି ଯାତ୍ରା କମିଟି ରହିଛି। ହେଲେ ସେଗୁଡିକ ଦେବାଳିଆ ହୋଇଗଲାଣି। ସେମାନଙ୍କ ମଧ୍ୟରୁ ଅନେକ ବଡ଼ ଯାତ୍ରା ପାର୍ଟି ଆଣିବା ପାଇଁ ସକ୍ଷମ ହେଉନାହାଁନ୍ତି। ଏହାକୁ ନେଇ ଗାଁ ଗାଁରେ ବିଶୃଙ୍ଖଳା ମଧ୍ୟ ହେଉଛି। କାରଣ ଗୋଟିଏ ଗାଁର ଯାତ୍ରା କମିଟି ଯଦି ବଡ଼ ପାର୍ଟି ଆଣୁଛି ଓ ଅନ୍ୟ ଗାଁର ଯାତ୍ରା କମିଟି ବଡ଼ ପାର୍ଟି ଆଣି ପାରୁନାହିଁ ତେବେ ସେ ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ତେଣୁ ଏଥିରେ ଭାରସାମ୍ୟ ଆଣିବା ପାଇଁ ହେଲେ ଯାତ୍ରା ପାର୍ଟି ମାଲିକ ମାନେ ପର୍ସେଣ୍ଟଣ୍ଟ ଅନୁଯାୟୀ ନିଜର ପ୍ରାପ୍ୟ ନିଅନ୍ତୁ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଂପାଦକ ବୈକୁଣ୍ଠ ପରିଡ଼ା ଓ ଉପଦେଷ୍ଟା ଜ୍ଞାନବଲ୍ଲଭ ମହାନ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ