ସର୍ପାଘାତରେ ଯୁବକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ନବବିବାହିତ ଯୁବକ ମନ୍ମଥ କୁମାର ଭୁଁୟା (୨୮) ସାପ କାମୁଡା ରେ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସେ ଚାଷ ଜମିରେ କାମ କରୁଥିବା ବେଳେ ତାଙ୍କ ବାମ ଗୋଡ଼କୁ ଏକ ସାପ କାମୁଡି ଥିଲା।ମନ୍ମଥ ଘରକୁ ଆସି ପରିବାର ଲୋକଙ୍କୁ ସାପ କାମୁଡ଼ି ଥିବା ଜଣାଇବା ପରେ ସଂଜ୍ଞାହୀନ ହୋଇଯାଇଥିଲେ । ପରିବାର ଲୋକେ ଗ୍ରାମର ସମିତି ସଭ୍ୟ ପ୍ରତିନିଧି ବାବୁନି ପ୍ରଧାନଙ୍କ ସହାୟତାରେ ଏକ ଅଟୋ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲ ନେଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବରପାଇ ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇବା ପରେ ବିଳମ୍ବିତ ସନ୍ଧ୍ୟାରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ରାତିରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । କାଳୁ ଭୂୟାଁ ଓ ସୁଦଷ୍ଣା ଭୂୟାଁଙ୍କ ୩ ପୁଅଙ୍କ ମଧ୍ୟରେ ମନ୍ମଥ ବଡ଼ପୁଅ ହୋଇ ଥିବା ବେଳେ ଗତ ପ୍ରାୟ ୩ ପୂର୍ବେ ହିଞ୍ଜିଳି ଗ୍ରାମ ନିକଟସ୍ଥ କେଳା ଗୋବିନ୍ଦପୁର ଗ୍ରାମରେ ବିବାହ କରିଥଲେ । ଏପଟେ ନବ ବଧୁର ହାତରୁ ମେହେନ୍ଦି ଲିଭିନଥିବା ବେଳେ ସେପଟେ ସ୍ବାମୀର ଏଭଳି ମୃତ୍ୟୁକୁ ଦେଖି ସହ୍ୟ କରିପାରୁନି ସ୍ତ୍ରୀ । ଅପରପକ୍ଷରେ ଭେଣ୍ଡିଆ ପୁଅକୁ ହରାଇ ମଥାକୁ ପିଟି କାନ୍ଦୁଛନ୍ତି ବାପା ମାଆ ବାପା । ମୃତକ ଙ୍କ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ବିଜୟ କୁମାର ପ୍ରଧାନ ଦାବି କରିଛନ୍ତି।


