ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ରବିବାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  ଚାଷଜମିରେ କାମ କରୁଥିବା ବେଳେ ତାଙ୍କ ସ୍ଵାମୀ ରଘୁନାଥ ଗୌଡ଼(୪୫)  ଅଂଶୁଘାତରେ ପ୍ରାଣ ହରାଇଥିବା ତାଙ୍କ ସ୍ତ୍ରୀ କନ୍ଧୁଣୀ ଗୌଡ଼ ଅଭିଯୋଗ କରିଛନ୍ତି।  ରଘୁନାଥ କିଛି ବର୍ଷ ହେଲା ଦିଗପହଣ୍ଡି ବସଷ୍ଟାଣ୍ଡରେ ଜନସେବା କେନ୍ଦ୍ର ଖୋଲି ପରିବାର ପୋଷଣ କରୁଥିବା ବେଳେ ସେ ନିଜ ପରିବାରକୁ ଧରି ଦିଗପହଣ୍ଡିରେ ଘରଭଡ଼ା କରି ରହୁଥିଲେ । ରବିବାର ସକାଳୁ ସେ ଗ୍ରାମକୁ ଯାଇ ପୂର୍ବାହ୍ନ ପ୍ରାୟ ୧୦ ଟାରେ ଗଛରୁ ଆମ୍ବ ତୋଳି ଜମିରେ ଚାଷକାମ କରୁଥିବା ବେଳେ ଆକସ୍ମିକ ଅସୁସ୍ଥ ହୋଇ  ଟଳି ପଡ଼ିଥିଲେ । ସ୍ଥାନୀୟ ସରପଞ୍ଚ ଲିଙ୍ଗରାଜ ଦୋରାଙ୍କ ସହାୟତାରେ ଗ୍ରାମବାସୀ ରଘୁନାଥଙ୍କୁ ଅଚେତ ଅବସ୍ଥାରେ ଝରିପଦର ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ରଘୁନାଥ ଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରଘୁନାଥ ଙ୍କ ସ୍ତ୍ରୀ ଥାନା ରେ ଏତଲା ଦେବାପରେ ଅପମୃତ୍ୟୁ ମାମଲା ନଂ. ୨୬/୨୬ ପ୍ରକାରେ ମକଦ୍ଦମା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଶବ ଗୃହକୁ ପଠାଇଥିଲେ ।  ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା  ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଥାନା ଅଧିକାରୀ କିଶୋର କୁମାର ସାମଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ