ଯୁବ ମୋର୍ଚ୍ଚା ଡିଜିଟାଲ୍ ୱିଙ୍ଗର ମଙ୍ଗ ଧରିଲେ ପ୍ରବୀର
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାରେ ଦଳୀୟ ସଂଗଠନକୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିବା ପାଇଁ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କରାଯାଇଛି। ଦକ୍ଷ ଯୁବ ସଂଗଠକ ପ୍ରବୀର ନାୟକଙ୍କୁ କେନ୍ଦୁଝର ଜିଲ୍ଲା ଯୁବ ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ଆବାହକ ଭାବେ ମନୋନୀତ କରାଯାଇଛି। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ଥିବା ପାରଦର୍ଶିତାକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଏବଂ ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା ଏହି ନିଷ୍ପତ୍ତି ନେଇଛନ୍ତି। ଆଧୁନିକ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାର କୋଣ ଅନୁକୋଣରେ ଦଳର ନୀତି ଓ ଆଦର୍ଶ ପହଞ୍ଚାଇବା ପ୍ରବୀରଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ବିଶେଷ କରି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ବିରୋଧୀଙ୍କ ଅପପ୍ରଚାରର କଡ଼ା ଜବାବ ଦେବା ପାଇଁ ତାଙ୍କୁ ଏହି ବଡ଼ ଦାୟିତ୍ୱ ଅର୍ପଣ କରାଯାଇଛି।ଏହି ନିଯୁକ୍ତି ଘୋଷଣା ହେବା ପରେ କେନ୍ଦୁଝର ଜିଲ୍ଲାର ଯୁବ କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ପ୍ରବୀରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯିବା ସହ ସେ ଜିଲ୍ଲାରେ ଯୁବକମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ଏକଜୁଟ୍ କରିବାରେ ସଫଳ ହେବେ ବୋଲି ଦଳୀୟ ନେତୃବୃନ୍ଦ ଆଶା ପ୍ରକଟ କରିଛନ୍ତି। ନିଜ ପ୍ରତିକ୍ରିୟାରେ ପ୍ରବୀର କହିଛନ୍ତି ଯେ, ଦଳ ମୋ ଉପରେ ଯେଉଁ ବିଶ୍ୱାସ ସ୍ଥାପନ କରିଛି, ତାହାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। କେନ୍ଦୁଝର ଜିଲ୍ଲାରେ ଯୁବ ମୋର୍ଚ୍ଚାର ସାମାଜିକ ଗଣମାଧ୍ୟମ ଉପସ୍ଥିତିକୁ ଏକ ନୂତନ ସ୍ତରକୁ ନେବା ସହ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ମୁଁ ନିରନ୍ତର ଚେଷ୍ଟା ଜାରି ରଖିବି।


