ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
କରଞ୍ଜିଆ, (ଜିତେନ୍ଦ୍ର ରାଜ): ମୟୁରଭଞ୍ଜଜିଲ୍ଲା ରରୁଆଁ ଥାନା ଶୁକୃଳି ଅଞ୍ଚଳରେ ଘଟିଥିବା ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପୋଲିସର ତଦନ୍ତ ପରେ ଗତ ବୁଧବାର ରରୁଆଁ ଥାନା ଶୁକୃଳି ବ୍ଲକ ର ତେରଣ୍ଟୀ ଗାଁରେ ଥିବା ମା’ ତାରିଣୀ ଷ୍ଟିଲ୍ ପ୍ଲାଣ୍ଟ ପଛରେ ଏକ ପରିତ୍ୟକ୍ତ କୂଅରୁ ଏକ ଅଖା ମିଳିଥିଲା । ଅଖା ଭିତରୁ ହାତ ଗୋଡ଼ ବନ୍ଧାହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ପରେ ମୃତଦେହଟି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତ୍ରିବିନ୍ଧା ଗ୍ରାମର ଅଟୋ ଚାଳକ ନିରଞ୍ଜନ ନାଏକଙ୍କର ବୋଲି ଜଣାପଡ଼ିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲା । ତଦନ୍ତ ପରେ ପରକ୍ରୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ରରୁଆଁ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ହତ୍ୟାକାଣ୍ଡଟି ଅଟୋ ଚାଳକଙ୍କ ପ୍ରେମିକା ଘଟାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ଵାମୀ ସହ ମିଶି ଠେଙ୍ଗା ଓ ପଥର ସାହାଯ୍ୟରେ ମୁଣ୍ଡକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିଲା ଅଟୋ ଚାଳକ ଙ୍କ ପ୍ରେମିକା । ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟ ଦମ୍ପତି ରରୁଆଁ ଥାନା ପାଣ୍ଡରଶିଳ ଗାଁର ବିଶ୍ୱନାଥ ବେହେରା ଓ ରଶ୍ମିତା ବେହେରା ବୋଲି ଜଣାପଡ଼ିଛି ।