ଅନ୍ତାଲୋ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ଦାବି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ଅନ୍ତାଲୋ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତ ୧୯୭୮ମସିହାରୁ ଅନ୍ତାଲୋ ଗ୍ରାମର ମଧ୍ୟଭାଗରେ ରହି ଆସିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିଜସ୍ୱ ଜମିରେ ସ୍ଥାପନ କରାଯାଇଛି । ବିଦ୍ୟାଳୟ ନାମରେ ଥିବା ଅନ୍ତାଲୋ ମୈାଜାର ଖାତା ନମ୍ବର-୧୦୧ ଓ ପ୍ଲଟ ନମ୍ବର- ୨୫୨ ଏରିଆ ଏ୦.୦୬ଡେସିମିଲ ଜମି ଉପରେ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ ପ୍ଲଟ ନମ୍ବର-୨୫୧ ଏରିଆ ଏ୦.୧୦ଡେସିମିଲ ଜମି ମଧ୍ୟରୁ ଏ୦.୦୩ଡେସିମିଲ ଜମି ଉପରେ ବିଦ୍ୟାଳୟର ପୁରୁଣା ଛାତଗୃହ ଅବ୍ୟବହୃତ ଭାବେ ରହିଅଛି । ବାକି ଏ୦.୦୭ଡେସିମିଲ ଜମି ଫାଙ୍କା ରହିଅଛି । ଅନ୍ତାଲୋ ଗ୍ରାମରେ ଏକ ଅଙ୍ଗନୱାଡିକେନ୍ଦ୍ର ଖୋଲିବା ପରେ ତାହା ଏହି ବିଦ୍ୟାଳୟର ଅବ୍ୟବହୃତ ଗୃହରେ ଚାଲି ଆସୁଥିଲା । କିନ୍ତୁ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ମିଳିବା ପରେ କେନ୍ଦ୍ରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ବିଡିଓ ପ୍ରମୁଖ ଏହି ଗ୍ରାମକୁ ପରିଦର୍ଶନରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ବିଦ୍ୟାଳୟର ଅବ୍ୟବହୃତ ଗୃହ ନିକଟରେ ଥିବା ଫାଙ୍କା ସ୍ଥାନରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଥିଲେ । କିନ୍ତୁ ରାଜନୈତିକ ଚାପରେ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାନଯିବାରୁ ଗ୍ରାମବାସୀ ଓ ନିର୍ବାଚିତ ପ୍ରତିନିଧିମାନେ ଏସମ୍ପର୍କରେ କେନ୍ଦ୍ରାପଡା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପତ୍ରସଂଖ୍ୟା – ୧୮୮୪୮ ତା ୧୭.୧୧.୨୦୧୪ମସିହାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶାସନ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ମିଳିତ ସ୍ୱାକ୍ଷରରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯିବାକୁ ନିର୍ଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ଅନ୍ତାଲୋ ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବଳକା ଜମି ଥିବା ବେଳେ ଏବଂ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିବା ବେଳେ କିଭଳି ସରକାରଙ୍କ ନିର୍ଦେଶକୁ ଉଲ୍ଲଙ୍ଘନ କରାଯିବାକୁ ମସୁଧା ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ବିଦ୍ୟାଳୟ ହତା ମଧ୍ୟରେ ଏହି କେନ୍ଦ୍ରଗୃହ ନିର୍ମାଣ କରାନଯାଏ ତେବେ ସରକାରଙ୍କ ନିର୍ଦେଶ ଉଲ୍ଲଙ୍ଘନ ହେବା ସହିତ ଜାତୀୟ ଶିକ୍ଷାନୀତି – ୨୦୨୬ର ଉଦ୍ଦେଶ୍ୟ ଓ ଲକ୍ଷ ବିଫଳ ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ନାୟକଌିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।