ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଯୁବ କଂଗ୍ରେସର କଡ଼ା ଜବାବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରବିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି ଯେ, ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜର ପଦମର୍ଯ୍ୟଦା କ୍ଷୁର୍ଣ୍ଣ କରୁଛନ୍ତି । ସେ ଆଚରଣ ଓ ଉଚ୍ଚାରଣସିଦ୍ଧ ନୁହଁନ୍ତି । ଗତକାଲି ପ୍ରଦେଶ ଯୁବ କଂଗ୍ରେସ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସାଧାରଣ ସମସ୍ୟା ପ୍ରସଙ୍ଗରେ ଗଣତାନ୍ତ୍ରିକ ପଦଦ୍ଧିରେ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପ୍ରଧାମନ୍ତ୍ରୀ ଓ ଗୃହମନ୍ତ୍ରୀ ଓଡ଼ିଶାଗସ୍ତ ବେଳେ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଏବଂ ଏହାକୁ ପାଳନ କରିବାରେ ଓଡ଼ିଶାରେ ବିଜେପି ସରକାରର ବିଫଳତାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ଏଠାରେ ଯେଉଁ ଡିଜି-ଆଇଜି ସମ୍ମିଳନୀ ଚାଲିଛି, ସେ ସମ୍ପର୍କରେ ଯୁବ କଂଗ୍ରେସ କୌଣସି ମନ୍ତବ୍ୟ ଦେଇନାହିଁ । କିନ୍ତୁ ନିର୍ବାଚନ ସମୟରେ ହାତୀ ଦେବି, ଘୋଡ଼ା ଦେବି କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇଥିବା ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବା ଡବଲ୍ ଇଞ୍ଜିନ ସରକାର ଶାସନର ୬ ମାସ ପରେ ପ୍ରଦତ୍ତ ପ୍ରତିଶ୍ରୁତି ପାଳନ କରିପାରି ନାହାଁନ୍ତି । ଏଥିପାଇଁ ମୋଦି-ଶାହାଙ୍କ ଗସ୍ତକୁ ଯୁବ କଂଗ୍ରେସ ବିରୋଧ କରିଥିଲା ।
ଯୁବ କଂଗ୍ରେସ ଓ କଂଗ୍ରେସକୁ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯେଉଁଭଳି ଢଙ୍ଗରେ ସମାଲୋଚନା କରିଛନ୍ତି, ସେଥିରୁ ତାଙ୍କର ଆଚରଣ ଓ ଉଚ୍ଚାରଣରେ କେତେ ଶାଳୀନତା ରହିଛି ତାହା ସ୍ପଷ୍ଟ ବାରିହୋଇ ପଡୁଛି । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୁବ କଂଗ୍ରେସର ଅଭିଯୋଗଗୁଡ଼ିକୁ ଏଡ଼ାଇ ଯାଇ ତାଙ୍କ ବକ୍ତବ୍ୟରେ କିଛି ଅପ୍ରସଙ୍ଗ କଥା କହିଛନ୍ତି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଓଡ଼ିଶାର ଲୋକେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରୁଥିବା ବେଳେ ଶ୍ରୀ ହରିଚନ୍ଦନ ବିକାଶର ଡେଙ୍ଗୁରା ପିଟୁଛନ୍ତି । କଂଗ୍ରେସ ବିକାଶକୁ ବିରୋଧ କରୁନାହିଁ, ମାତ୍ର ବିଜେପିକୃତ ବିନାଶକୁ ଦୃଢ ବିରୋଧ କରୁଛି । ଶ୍ରୀ ହରିଚନ୍ଦନ କଂଗ୍ରେସକୁ ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ବୋଲି ଆକ୍ଷେପ କରିଛନ୍ତି । ସେ ନିଜ ଦଳର ଇତିହାସକୁ ଭୁଲି ଯାଉଛନ୍ତି । ଯାହାଙ୍କର ଫଟୋ ଧରି ବିଜେପି ଏବେ ରାଜନୀତି କରୁଛି, ସେହି ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ସବରକର ବ୍ରିଟିଶ ଏଜେଣ୍ଡ ଓ ବୋଲକରା ଭାବେ କାର୍ଯ୍ୟ କରୁଥିଲେ । ସେମାନେ ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନକୁ ବିଫଳ କରିବା ପାଇଁ ବ୍ରିଟିଶ ଇଙ୍ଗିତରେ ବହୁ ଷଡ଼ଯନ୍ତ୍ର କରୁଥିଲେ । ସବରକରଙ୍କ ମର୍ସି ପିଟିସନ ତାଙ୍କର ଫମ୍ପା ବ୍ୟକ୍ତିତ୍ୱ ଓ ଜାଲ ଦେଶପ୍ରୀତିର ପ୍ରମାଣ ଦେଉଛି । ଧର୍ମ ଓ ଜାତି ନାମରେ ଦେଶରେ ରାଜନୈତକ ଫାଇଦା ଉଠାଇବା ଦଳ ହେଉଛି ବିଜେପି । କଂଗ୍ରେସ ଦେଶକୁ ବ୍ରିଟିଶମୁକ୍ତ କରିଥିବା ବେଳେ ବିଜେପି ଦେଶରେ ବ୍ରିଟିଶଙ୍କ ଦାୟାଦ ଭଳି କାର୍ଯ୍ୟ କରୁଛି । ବିଜେପି ଦେଶକୁ ଭାଙ୍ଗିବାକୁ ମସୁଧା କରୁଥିବା ବେଳେ କଂଗ୍ରେସ ଦେଶ ଯୋଡ଼ିବା କାର୍ଯ୍ୟରେ ବ୍ୟସ୍ତ ରହିଛି ।ଶ୍ରୀ ହରିଚନ୍ଦନ କଂଗ୍ରେସକୁ ବିକାଶ ବିରୋଧୀ କହିଛନ୍ତି । ବିଜେପିର ଆଚ୍ଛାଦିନର ବାସ୍ତବତାକୁ ଲୋକେ ଅଙ୍ଗେ ନିଭାଇଲେଣି । କଂଗ୍ରେସ ସ୍ୱାଧୀନତା ପରଠାରୁ ଦେଶ ପାଇଁ ଯେଉଁ ସମ୍ପତ୍ତି ସୃଷ୍ଟି କରିଥିଲା, ତାହାକୁ ମୋଦି ତାଙ୍କର ପ୍ରିୟ କମ୍ପାନୀମାନଙ୍କ ନିକଟରେ ସର୍ମପଣ କରିଦେଇଛନ୍ତି । ଦେଶର ବ୍ୟାଙ୍କ, ଏଲ୍‌ଆଇସି, ଖଣି, ରେଳବାଇ, ବିମାନବନ୍ଦର, ଜଳପଥ ବନ୍ଦର, ବିଏସ୍‌ଏନ୍‌ଏଲ ସବୁ ରାଷ୍ଟ୍ରୀୟ ସମ୍ପତ୍ତିକୁ ବିଜେପି ସରକାର ବିକ୍ରି କରିବାରେ ଲାଗିଛି । ମୋଦି ସରକାର ଅମଳରେ ଯେଉଁ ନିର୍ମାଣ ଚାଲିଛି, ତାହା ଅତି ନିମ୍ନମାନର । ମୋଦି ସରକାରକୃତ ବନ୍ଧ, ବାଡ଼, ପୋଲ ସବୁ ନିର୍ମାଣ ପରେ ପରେ ଭୁଷୁଡ଼ି ପଡୁଛି । ଅନ୍ୟ ପକ୍ଷରେ ବିଶ୍ୱ କ୍ଷୁଧା ସୂଚକାଙ୍କ ଅନୁଯାୟୀ ୧୨୭ଟି ଭୋକିଲା ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫, ଅର୍ଥାତ ଭାରତ ଏକ ଭୋକିଲା ଦେଶର ଅପବାଦ ମୁଣ୍ଡାଉଛି । ଏଣୁ ଦେଶକୁ ବିକ୍ରି କରୁଥିବା ବିଜେପି ଦଳ କହୁଛି ସେ ଦେଶର ବିକାଶ କରୁଛି!କଂଗ୍ରେସକୁ ଲୋକବିରୋଧୀ କହୁଥିବା ଶ୍ରୀ ହରିଚନ୍ଦନ ଜାଣିପାରୁ ନାହାଁନ୍ତି ଯେ ବିଜେପି ସରକାର ଅମଳରେ ବଜାର ଦର ଆକାଶଛୁଆଁ ହେବା ଫଳରେ ସାଧାରଣ ଜନତାଙ୍କ ଜୀବନ ଯାପନ ଦୁର୍ବିସହ ହୋଇପଡ଼ିଛି । ଗରିବ ଲୋକ ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି । ମୋଦି ଶାସନରେ ଚାଷୀ, ବେକାର ଯୁବକ ଯୁବତୀ, ନିର୍ଯ୍ୟାତିତ ମହିଳା ମୁହଁ ଖୋଲିପାରୁ ନାହାଁନ୍ତି । ମୋଦିଙ୍କ କଳା କୃଷି ଆଇନ ଯୋଗୁଁ ଶହ ଶହ ଆନ୍ଦୋଳନରତ ଚାଷୀ ମୃତ୍ୟୁବରଣ କରିଥିଲେ । କେନ୍ଦ୍ର କୃଷିରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କରିଥିଲେ । ଏଠାରେ ସାଧାରଣ ଲୋକଙ୍କ ଭୋଟ ବିଜେପି ଅପହରଣ ହେଉଥିବା ବେଳେ ନିର୍ବାଚନ କମିଶନର ନୀରବଦ୍ରଷ୍ଟା ସାଜିଛନ୍ତି । କୋର୍ଟ, ଇଡି, ସିବିଆଇ ଆଦି ସାମ୍ବିଧାନିକ ଅନୁଷ୍ଠାନ ଆଜି ବିଜେପିର ହାତବାରିସୀ ସାଜିଛନ୍ତି । ଯିଏ ବିଜେପି ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା, ତାଙ୍କୁ ଏହି ଅସ୍ତ୍ର ଲଗାଇ ତଳିତଳାନ୍ତ କରାଯାଉଛି । ସୁତରାଂ ଲୋକବିରୋଧୀ କିଏ ଆଇନମନ୍ତ୍ରୀ କୁହନ୍ତୁ ବୋଲି ଶ୍ରୀ ନୟାଜ ପ୍ରଶ୍ନ କରିଛନ୍ତି ।ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓଡ଼ିଶାର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲା, ଯେଉଁଠି ରାଜ୍ୟପାଳଙ୍କ ପୁଅ କର୍ତ୍ତବ୍ୟରତ ଓଡ଼ିଆ ଅଫିସରଙ୍କୁ ମାଡ଼ମାରି ଗିରଫ ହୋଇପାରୁ ନାହିଁ । ବିଜେପିର ୬ ମାସ ଶାସନରେ ନାରୀ ନିର୍ଯ୍ୟାତନା, ହତ୍ୟା ବଢି ବଢି ଚାଲିଛି । ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବେ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବେ, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବେ ଓ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବେ । ପ୍ରତିଶ୍ରୁତି ପାଳନ ହେଲାନାହିଁ । ଏହି ପ୍ରସଙ୍ଗରେ ଯଦି ବିକ୍ଷୋଭ କରାଗଲା, ତେବେ ଯୁବ କଂଗ୍ରେସ ବାଚଳାମୀ କରୁଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହୁଛନ୍ତି, ତେବେ ଏହି ବାଚଳାମୀ ବାରମ୍ବାର କରାଯିବ ବୋଲି ଶ୍ରୀ ନୟାଜ କହିଛନ୍ତି । ଅନ୍ୟ ପକ୍ଷରେ ମନ୍ତ୍ରୀ ଅହଂକାରେ ଫାଟି ପଡୁଛନ୍ତି । ତାଙ୍କର ଆଚରଣ ଓ ଉଚ୍ଚାରଣ ରାବଣ ସହ ସାମଞ୍ଜସ୍ୟ ରହୁଛି । ତେଣୁ ଓଡ଼ିଶାର ଲୋକ ତାଙ୍କର ଏହି ଅହଂକାରକୁ ଧ୍ୱଂସ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ରଣଜିତ ପାତ୍ର, ମନୋଜ ବିଶ୍ୱାଳ, ସୁଦୀପ ସାମଲ ଓ ନିହାର ବେହେରା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ