କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ କର୍ପୋରେସନ କାର୍ଯ୍ୟାଳୟ ଘେରାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ମେଟ୍ରୋ ରେଳ ନିର୍ମାଣ ଦାୟିତ୍ୱ ନେଇଥିବା ଠକ କମ୍ପାନୀ ରଞ୍ଜିତ ବିଲ୍ଡିକନ୍ର ଟେଣ୍ଡର ବାତିଲ ଦାବିରେ ସହିଦନଗରସ୍ଥିତ ଭବାନୀ ମଲ୍ଠାରେ ଥିବା ଭୁବନେଶ୍ୱର ମେଟ୍ରୋ ରେଲ୍ୱେ କର୍ପୋରେସନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଯୁବ କଂଗ୍ରେସର କର୍ମୀମାନେ ଏକ ବିଶାଳ ରାଲିରେ ଆସି ଭବାନୀ ମଲ୍ ଭିତରକୁ ପ୍ରବେଶ କଲାବେଳେ ପୋଲିସ୍ ପକ୍ଷରୁ ଦୃଢ ଅବରୋଧ କରାଯାଇଥିଲା । ମାତ୍ର ପୋଲିସ୍ କର୍ଡନ ଭାଙ୍ଗି ଭବାନୀ ମଲ୍ ଭିତରେ ଯୁବ କଂଗ୍ରେସର କର୍ମୀମାନେ ପ୍ରବେଶ କରିଥିଲେ । ରଞ୍ଜିତ ବିଲ୍ଡିକନ୍ର ଟେଣ୍ଡର ବାତିଲ୍ ପାଇଁ ଦାବି କରିଥିଲେ । ଦୁଇଘଣ୍ଟା ଧରି ଧାରଣା ଚାଲିବା ପରେ ଭୁବନେଶ୍ୱର ମେଟ୍ରୋ ରେଳବାଇ କର୍ପୋରେସନର କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ଆସି ଯୁବ କଂଗ୍ରେସର ସ୍ମାରକପତ୍ର ନେଇଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ, ରଣଜିତ ବିଲ୍ଡିକନ୍ ଏକ କଳାତାଲିକାଭୁକ୍ତ କମ୍ପାନୀ ଜାଣିବା ପରେ ବି ଦିଲ୍ଲୀ ମେଟ୍ରୋ ରେଳବାଇ କର୍ପୋରେସନ କିପରି ଟେଣ୍ଡର ପ୍ରକ୍ରିୟାରେ ରଞ୍ଜିତ ବିଲ୍ଡିକନ୍କୁ ସୁଯୋଗ ଦେଲା । ଭୁବନେଶ୍ୱର ମେଟ୍ରୋ ରେଲୱେ କର୍ପୋରେସନ କିପରି ଏହି ଠକ କମ୍ପାନୀକୁ ବିରୋଧ କଲା ନାହିଁ । ଏହି ପ୍ରକଳ୍ପର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରୁଥିବା ବେଳେ ଓଡ଼ିଶା ସରକାର କ’ଣ ପାଇଁ ଏଥିରେ ହସ୍ତକ୍ଷେପ ନକରି ଚୁପ୍ ବସିଛନ୍ତି । ରଞ୍ଜିତ ବିଲ୍ଡିକନ୍ କମ୍ପାନୀ ଓ ଓଡ଼ିଶାର ବିଜେପି ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରବାସୀ ତଥା ଓଡ଼ିଶାବାସୀ ଏହି ମେଟ୍ରୋ ରେଳବାଇ ନିର୍ମାଣ ନେଇ ବହୁ ଆନନ୍ଦିତ ଥିଲେ, ମାତ୍ର ଭୟଭୀତ ହେଲେଣି । ଏହି ମେଟ୍ରୋ ରେଳରେ ଯାତ୍ରା ବିପଦପୂର୍ଣ୍ଣ ହୋଇପଡ଼ିବ ବୋଲି ଭାଳେଣି ପଡ଼ିଲାଣି । କାରଣ ଯେଉଁଠାରେ ଏହି କମ୍ପାନୀ ବ୍ରିଜ୍ ନିର୍ମାଣ କରିଛି, ତାହା ଭୁଷୁଡ଼ି ପଡ଼ିଛି । ରେଳଟ୍ରାକ୍ ନିର୍ମାଣ ସବୁ ନିମ୍ନମାନର କରିଛି । ଏହି କମ୍ପାନୀ ବିରୁଦ୍ଧରେ ଭାରତର ବିଭିନ୍ନ ରାଜ୍ୟ ସରକାର କେସ୍ କରିଛନ୍ତି । ସମୁଦାୟ ୭୦୦ ମାମଲା ଏହି କମ୍ପାନୀ ବିରୁଦ୍ଧରେ ରୁଜୁ ହୋଇଛି ।ଅହମ୍ମଦାବାଦରେ ରଞ୍ଜିତ ବିଲ୍ଡିକନ୍ ମୁମାତକୁଡ଼ା ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରିଥିଲା । ଏହି ଫ୍ଲାଏ ଓଭରବ୍ରିଜ ଉଦ୍ଘାଟନର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଡିସେମ୍ବର ୨୧, ୨୦୨୧ ମସିହାରେ ଭୁଷୁଡ଼ି ପଡ଼ିଥିଲା । ଅହମ୍ମଦା ବାଦ ଉନ୍ନୟନ କର୍ତ୍ତୃପକ୍ଷ ଏହି କମ୍ପାନୀକୁ ନିଲମ୍ବନ କରିବା ସହିତ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲା । ଏହି କମ୍ପାନୀକୁ ତିନିବର୍ଷ ପାଇଁ ନିଷିଦ୍ଧ କରିବାକୁ ଅହମ୍ମଦାବାଦ ଉନ୍ନୟନ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲା । ଏକ ଉଚ୍ଚସ୍ତରୀୟ କମିଟି ଏହି କମ୍ପାନୀର ନିର୍ମାଣ ଓ ଏଥିରେ ବ୍ୟବହୃତ ସରଞ୍ଜାମ ନିମ୍ନମାନର ବୋଲି ମତ ଦେବା ସହ ଏହି କମ୍ପାନୀ ଓ ଏହାର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାଣ୍ଟକୁ ଦଣ୍ଡିତ କରିବାକୁ ପ୍ରସ୍ତାବ ଦେଇଥିଲେ । ରଞ୍ଜିତ ବିଲ୍ଡିକନ୍ ଗୁଜୁରାଟର କୁଚ୍ଠାରେ ସମାଖିଆଲି-କିଦ୍ୟାନଗର ରେଳବାଇ ଟ୍ରାକ ନିର୍ମାଣ କରିଥିଲା । ମାତ୍ର ଏହି ନିର୍ମାଣ ସମୟରେ ୭ ଲକ୍ଷ ଟନ ବାଲି ଓ ବଜୁରି ଲାଗିଥିଲା । ତାହାର ଦେୟ ଗୁଜୁରାଟ ସରକାର ପୈଠ କଲାନାହିଁ । କିନ୍ତୁ ଗୁଜୁରାଟ ସରକାରଙ୍କ ଖଣି ଓ ଭୂତତ୍ତ୍ୱ ବିଭାଗର କାଗଜପତ୍ର, ଷ୍ଟାମ୍ପ ଓ ଦସ୍ତଖତ ଜାଲିଆତି କରି ୨୦୨୧ ମସିହାରେ ୩ କୋଟି ଟଙ୍କା ଅହମ୍ମଦାବାଦ ରେଳ ବିଭାଗ ଠାରୁ ଚଳୁ କରିନେଇଥିଲା । ଗୁଜୁରାଟର ଅଞ୍ଜର ଥାନାରେ ଏହି କମ୍ପାନୀ ନାମରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ଏତଲା ଦରଜ କରାଯାଇଛି ।ଗୁଜୁରାଟ ଜଳଯୋଗାଣ ଏବଂ ସ୍ୱେରେଜ ବୋର୍ଡ଼ ରଞ୍ଜିତ ବିଲ୍ଡିକନ କମ୍ପାନୀ ବିରୁଦ୍ଧରେ ମଧ୍ୟ ଏତଲା ଦରଜ କରିଛି । ୨୦୧୯ରେ ଗୁଜୁରାଟର ରାଜ୍ୟ ଧରମଠାରେ ଜଳ ପ୍ରକଳ୍ପ ପାଇଁ ଯେଉଁ ଚୁକ୍ତିନାମା ହୋଇଥିଲା, ତାହା ୨୦୨୧ ମସିହାରେ ସମାପ୍ତ ହେବା ପାଇଁ ସ୍ଥିର ହୋଇଥିଲା । ମାତ୍ର ରଞ୍ଜିତ ବିଲ୍ଡିକନ ଏହାକୁ ୨୦୨୩ ମସିହାରେ ସାରିଥିଲା । ସେହିଭଳି ଗେଟ୍କୋ ଚୌକଦିଠାରେ ୨୦୨୦ ମସିହାରେ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଯେଉଁ ଚୁକ୍ତିନାମା ହୋଇଥିଲା, ତାହା ୨୦୨୧ ମସିହାରେ ସମାପ୍ତ ହେବା ପାଇଁ ସ୍ଥିର ହୋଇଥିଲା, ମାତ୍ର ଏହା ୨୦୨୪ ମାର୍ଚ୍ଚ ମାସରେ ରଞ୍ଜିତ ବିଲ୍ଡିକନ ସମାପ୍ତ କରିଥିଲା । ଏଣୁ ଗୁଜୁରାଟ ସରକାରଙ୍କ ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ଼ ପକ୍ଷରୁ ଏହି ବିଳମ୍ବ ପାଇଁ ଏତଲା ଦରଜ କରାଯାଇଥିଲା । ଫଳରେ ଜଳ ବଣ୍ଟନ ସମସ୍ୟା ସୃଷ୍ଟି ହୋଇଥିଲା, ଅପର୍ଯ୍ୟାପ୍ତ ଫିଲ୍ଟରେସନ ଏବଂ ଆବଶ୍ୟକତା ଠାରୁ ଅଧିକ ଭାର ଫିଲ୍ଟର ପ୍ଲାଣ୍ଟ ସମସ୍ୟା ସୃଷ୍ଟି କରିଥିଲା । ଗୁଜୁରାଟ ଜଳ ଯୋଗାଣ ବୋର୍ଡ଼ ଅଭିଯୋଗ କରିଥିଲା ଯେ, ଏହି କମ୍ପାନୀର କାମ ନିମ୍ନମାନର ଥିଲା ଏବଂ ଯେଉଁ ପାଇପ ଲାଇନ ବିଛା ଯାଇଥିଲା, ତାହା ମଧ୍ୟ ନିତ୍କୃଷ୍ଟ ଥିଲା । ମଧ୍ୟ ପ୍ରଦେଶ ସରକାର ୨୦୧୩ ମସିହାରେ ୪୦,୦୫୦ ହେକ୍ଟର ଜମିରେ କେନାଲ ଯୋଗେ ଜଳସେଚନ ପାଇଁ ରଞ୍ଜିତ ବିଲ୍ଡିକନ୍ ସହିତ ଚୁକ୍ତିନାମା କରିଥିଲେ । ୩ ବର୍ଷରେ ୨୩୮.୩୩ କୋଟି ଟଙ୍କା ବ୍ୟୟର ଏହି କାର୍ଯ୍ୟ କରିବା ପାଇଁ ସ୍ଥିର ହୋଇଥିଲା । ମାତ୍ର ଏହି କମ୍ପାନୀର କାର୍ଯ୍ୟ ବିଳମ୍ବ ହେତୁ ମଧ୍ୟ ପ୍ରଦେଶ ସରକାରଙ୍କ ୧୭୫୦ କୋଟି ଟଙ୍କାର କ୍ଷତି ହୋଇଥିଲା । ଯାହାଫଳରେ ମଧ୍ୟ ପ୍ରଦେଶ ସରକାର ଏହି କମ୍ପାନୀକୁ କଳାତାଲିକାଭୁକ୍ତ କରିବା ସହ ବିଳମ୍ବିତ କାର୍ଯ୍ୟ ପାଇଁ ଏହି କମ୍ପାନୀକୁ ଦେଶଦ୍ରୋହୀ ବୋଲି ତୁଳନା କରିଥିଲା ଏବଂ ଏହି କମ୍ପାନୀର ଅଗ୍ରୀମ ପୈଠକୁ ବାଜ୍ୟାପ୍ତି କରିଥିଲେ । ଯେତେ କଳା କାରନାମା କଲେ ବି ରଞ୍ଜିତ ବିଲ୍ଡିକନ୍ ତାର କାର୍ଯ୍ୟ କରିଚାଲିଛି । କାରଣ ବିଜେପି ଦଳକୁ ଏହି କମ୍ପାନୀ ଇଲେକ୍ଟୋରାଲ ବଣ୍ଡରେ କୋଟି କୋଟି ଟଙ୍କା ଦାନ କରିଛି । ସୁତରାଂ ଓଡ଼ିଶା ସରକାର ଏବଂ ରଞ୍ଜିତ ବିଲ୍ଡିକନ୍ ମଧ୍ୟରେ ଯେଉଁ ଭିତିରିଆ ଅଲିଖିତ ଚୁକ୍ତି ହୋଇଛି ସେଥିରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ବଳି ପଡ଼ିବ । ଭୁବନେଶ୍ୱର ମେଟ୍ରୋ ରେଲୱେର କାର୍ଯ୍ୟ ଅତି ନିମ୍ନମାନର ହୋଇପଡ଼ିବ । ଫଳରେ ଏଥିରେ ଯାତ୍ରା କରିବା ମଧ୍ୟ ବିପଦଜନକ ହେବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣା ଜାଣି ମଧ୍ୟ କାହିଁକି ଚୁପ୍ ବସିଛନ୍ତି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ହୁଏତ ରଞ୍ଜିତ ବିଲ୍ଡିକନ୍ ଅମାପ ଅର୍ଥ ମାଧ୍ୟମରେ ଭୁବନେଶ୍ୱର ସାଂସଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି । କିନ୍ତୁ ଯୁବ କଂଗ୍ରେସ, ଭୁବନେଶ୍ୱରବାସୀ ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଲଢେଇ କରିବ । ରଞ୍ଜିତ ବିଲ୍ଡିକନ୍ର ଟେଣ୍ଡର ବାତିଲ୍ କରି ପୁନଃ ଟେଣ୍ଡର କରାଯାଇ ଯୋଗ୍ୟ କମ୍ପାନୀକୁ ଏହି ନିର୍ମାଣ କାର୍ଯ୍ୟଭାର ଦିଆଯାଉ । ମୁଖ୍ୟମନ୍ତ୍ରୀ ଯଦି ପୁନଃ ଟେଣ୍ଡରର ନିଷ୍ପତ୍ତି ନ ନିଅନ୍ତି, ତେବେ ଯୁବ କଂଗ୍ରେସ ରଞ୍ଜିତ ବିଲ୍ଡିକନ୍ର କାର୍ଯ୍ୟକୁ ନିର୍ମାଣ ସ୍ଥଳକୁ ଯାଇ ବନ୍ଦ କରିବ । ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ଉଦିତ ପ୍ରଧାନ, କିରଣ ସାହୁ, ଅଜୟ ସାହୁ, ନିହାର ବେହେରା, ମହମ୍ମଦ ଗୁଲଫାମ୍, ରଜନୀ ମହାନ୍ତି, ଶାହରୁଖ ଖାନ, ସୌମ୍ୟ ବରାଳ, ରାଜେଶ ଦାସ, ସୁରଜ ରାଉତ, ମହମ୍ମଦ ପରଭେଜ୍, କାର୍ତ୍ତିକ କାଣ୍ଡି, ସୁନିଲ ସାହୁ ଗାନ୍ଧୀ, ନିଆଜୁଲ ଇସଲାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।