କେବେ ଚେତିବ ପ୍ରଶାସନ, ଟ୍ରକ ଚାଳକ ମାନୁନାହାନ୍ତି ସଡକ ସୁରକ୍ଷା ନିୟମ
ଯୋଡା, (ସମୀର କୁମାର ଦାସ):ଜାତୀୟ ରାଜପଥ ୫୨୦ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଚେତା ପଶୁନାହିଁ । ଟ୍ରକ ଚାଳକମାନେ ମଦ୍ୟପାନ କରି ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ବଡ ବଡ ଟ୍ରକ ଚଳାଉଥିବା ବେଳେ ଏହା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଆଦୌ ଅଙ୍କୁଶ ନଥିବା ଦେଖିବାକୁ ମିଳୁଛି । କେନ୍ଦୁଝର ଜିଲାରେ ୯ଟି ସ୍ଥାନକୁ ବ୍ଲାକ ସ୍ପଟ ଭାବେ ସରକାର ଚିହ୍ନଟ କରିଥିବା ବେଳେ ସେଥି ମଧ୍ୟରୁ ୫୨୦ନଂ ଜାତୀୟ ରାଜପଥରେ ୨ଟି ସ୍ଥାନକୁ ବ୍ଲାକ ସ୍ପଟ ଘୋଷଣା କରାଯାଇଛି । ୫୨୦ନଂ ଯୋଡା ଥାନା ଅନ୍ତର୍ଗତ ବିଲେଇପଦା ଠାରେ ତିନି ବର୍ଷ ମଧ୍ୟରେ ୧୧ଟି ବଡ ଦୁର୍ଘଟଣା ଘଟିଥିବା ବେଳେ ରୁଗୁଡି ଥାନା ଅନ୍ତର୍ଗତ ଗୁଆଲି ଠାରେ ୩ ବର୍ଷ ମଧ୍ୟରେ ୧୩ଟି ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତଥାପି ପ୍ରଶାସନ ଚେଇଁଶୋଇଥିବା ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି । ବୁଧବାର ସନ୍ଧ୍ୟାରେ ଠିକ୍ ବିଲେଇପଦା ଶିବ ମନ୍ଦିର ନିକଟରେ ଏକ ମର୍ମୁନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସରକାରଙ୍କ ନିୟମ ଅନୁଯାୟୀ କୌଣସି ଭାରିଯାନ ଜାତୀୟ ରାଜପଥ ଉପରେ ଠିଆ ହେବାର ପ୍ରାବଧାନ ନଥିବା ବେଳେ ବିଲେଇପଦା ଶିବ ମନ୍ଦିର ନିକଟରେ ଏକ କୋଇଲା ବୋଝଇ ଟ୍ରକ ଓଡି-୦୯ଜି-୮୫୮୪ ଠିଆ ହୋଇଥିବା ବେଳେ ଅନ୍ୟ ଏକ ହାଇୱା ଟ୍ରକ ନଂ. ଓଡି୦୯ଭି-୬୯୮୨ ଦୃତ ଗତିରେ ଆସି ଏହାକୁ ପଛ ପଟୁ ଧକ୍କା ଦେଇଥିଲା । ଧକ୍କାଟି ଏତେ ଭୟଙ୍କର ଥିଲା ଯେ, ହାଇୱା ଚଳକ ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ପ୍ରାୟ ୧ ଘଣ୍ଟା ସମୟ ରହିଯାଇଥିଲା । ବିଲେଇପଦାସ୍ତିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଗ୍ୟାସ କଟର ସାହାଯ୍ୟରେ କାଟି ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ଚାଳକ ଜଣଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଜାତୀୟ ରାଜପଥ ଏନଏଚଆଇର ଆମ୍ବୁଲାନ୍ସ ଯୋଗେ ବାସୁଦେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚି ଉଭୟ ଟ୍ରକକୁ ରାସ୍ତାରୁ ହଟାଇବା ସହ ଜବତ କରି ମାମଲା ଋଜୁ କରିଥିବା ଜଣାପଡିଛି । ସେହିପରି ରୁଗୁଡି ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗୁଆଲି ପର୍ଯ୍ୟନ୍ତ ବାରବାଙ୍କ ରାସ୍ତାରେ ଆଉ ଏକ ସିରିଜ ଦୁର୍ଘଟଣା ଘଟିଥିବାର ଜଣାପଡିଛି । ଏଥିରେ ଏକ କ୍ୟାମ୍ପର, ମହିନ୍ଦ୍ରା ଥର ଗାଡି ଆଉ ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଥିବା ବେଳେ ଏଥିରେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି । ତେବେ ବେନିୟମ ଭାବେ ରାସ୍ତା ଉପରେ ଠିଆ ହୋଇରହୁଥିବା ଗାଡି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଡବିଲ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସାଧାରଣରେ ଦାବି କରାଯାଇଛି ।