ଗଛ, ଆଉ ସବୁକଥା ପଛ ଜାତୀୟ ପରିବେଶ କର୍ମଶାଳା ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜକ ଶ୍ରୀମଦ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଜାତୀୟ ପରିବେଶ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶ୍ରୀମଦ୍ ବାବା ବଳିଆ କହିଲେ ଯେ, ‘ଗଛ ଗଛ ଗଛ, ଆଉ ସବୁକଥା ପଛ’ । ପରିବେଶ ବଞ୍ôଚଲେ ଆମେ ବଞ୍ôଚବା, ଏକଥାକୁ ଜନସାଧାରଣଙ୍କୁ ସଚେତନ କରାଇବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଦାୟିତ୍ୱ ବୋଲି ବାବା ବଳିଆ ଆହ୍ୱାନ ଦେଇଥିଲେ । ଆମ ପୂର୍ବପୁରୁଷମାନେ ପରିବେଶ ବିଷୟରେ ଯଥେଷ୍ଟ ସଚେତନ ଥିଲେ । ତାହା ଥିଲା ଧର୍ମ ମାଧ୍ୟମରେ ଗାଁ ଗହଳିରେ ବରଗଛ ଓ ଅଶ୍ୱସ୍ଥ ଗଛର ବିବାହ କରାଇ ପ୍ରକୃତି ଓ ପରିବେଶର ସୁରକ୍ଷା କରୁଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବା ପ୍ରଣବାନନ୍ଦ ଦାସ ସ୍ୱାଗତ ଭାଷଣ ଦେବା ପରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପାଞ୍ଚଦିନ ବ୍ୟାପୀ ବାବାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଲୋଚନା ଆରମ୍ଭ କରି ବରିଷ୍ଠ ସଂଯୋଜକ ତଥା ପରିବେଶବିତ୍ ପ୍ରଫେସର ଡଃ ଆଶୁତୋଷ ଦେବତା କହିଲେ ଯେ, କେବଳ ବୃକ୍ଷରୋପଣ କଲେ ହେବ ନାହିଁ, ବୃକ୍ଷକୁ ବଞ୍ଚାଇବାକୁ ଆମେ ସଂକଳ୍ପ ନେବା ଉଚିତ୍ । ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଆମକୁ ନଡ଼ିଆ, ତାଳ ଓ ଖଜୁରୀ ଗଛ ଲଗାଇବାକୁ ପଡ଼ିବ । ଅନ୍ୟତମ ଆଲୋଚକ ରୋଟାରୀ ଆନ୍ତର୍ଜାତୀକ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ଗ୍ରୀନ୍ ମିଶନ ଉପରେ ତାଙ୍କ ବକ୍ତବ୍ୟ ରଖିବା ସହ ଅଙ୍ଗଦାନ ଆଜିର ଆବଶ୍ୟକତା ସହ ପ୍ଲାଷ୍ଟିକ ଠାରୁ ଦୂରରେ ରହିବାକୁ ଆମେ ସଂକଳ୍ପ ନେବାକୁ ହେବ ବୋଲି ସେ କହିଥିଲେ ।ଆଲୋଚକ ପ୍ରଫେସର ଡଃ ରାମଚନ୍ଦ୍ର ମହାନ୍ତି ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଯେଉଁ ଦେଶରେ ବର୍ଷା ହୁଏନାହିଁ ବୋଲି ରାସ୍ତା କଡ଼ରେ ନାଳ ନଥିଲା, ସେଇ ଦୁବାଇ ସହରରେ ମହା ପ୍ରଳୟ ସୃଷ୍ଟି ହେଲା । ଲଗାଣ ବର୍ଷାରେ ଦୁବାଇ ସହର ଜଳାର୍ଣ୍ଣବ ହୋଇଗଲା । ଏଥିରୁ ଆପଣ ଅନୁମାନ କରୁଥିବେ ସାରା ବିଶ୍ୱରେ ଜଳବାୟୁର କିପରି ପରିବର୍ତ୍ତନ ହୋଇଛି । ଆଲୋଚକ ଡଃ ଚିତ୍ତରଞ୍ଜନ ମିଶ୍ର କହିଲେ ଯେ, କଳକାରଖାନାର ଆବଶ୍ୟକତା ଅଛି, କିନ୍ତୁ ବାୟୁ ପ୍ରଦୂଷଣକୁ କିଭଳି ରୋକାଯାଇ ପାରିବ ତାହା ଉପରେ ସରକାରଙ୍କ ପକ୍ଷରୁ ଚାପ ସୃଷ୍ଟି ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ ଯେ, ଆମ ରାଜ୍ୟର ନଦୀ ସୁରକ୍ଷିତ ନରହିଲେ ଆଗାମୀ ଦିନରେ ରାଜ୍ୟ ପାଇଁ ଜଳ ସଙ୍କଟ ସୃଷ୍ଟି ହେବା ଅବଶ୍ୟମ୍ଭାବୀ । ପରିବଶେ କଂଗ୍ରେସ ପକ୍ଷରୁ ଏ ବିଷୟରେ ସରକାରଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସରକାର କଠୋର ନିଷ୍ପତ୍ତି ନେବାକୁ ଡରୁଛନ୍ତି । ସବୁକାମ କେବଳ ଲୋକ ଦେଖାଣିଆରେ ଚାଲିଛି । ଏଭଳି ହେଲେ ରାଜ୍ୟ ପାଇଁ ଆଗକୁ ବିପଦ ମାଡ଼ି ଆସୁଛି ।ଓଡ଼ିଶାରେ ପ୍ରଥମେ ପରିବେଶ ବିଭାଗରେ ସୃଷ୍ଟକର୍ତ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଅତିଥିମାନେ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ କମିଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପୂଜ୍ୟ ବାବାଙ୍କୁ ସ୍ୱାଗତ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟିଆ ଡିଗ୍ରୀ କଲେଜ, ପଟିଆ ଯୁକ୍ତ ଦୁଇ କଲେଜ, ଆଚାର୍ଯ୍ୟ ହରିହର କଲେଜ, ବିଜୁ ପଟ୍ଟନାୟକ କଲେଜ ଓ ଅନନ୍ତ ବଳିଆ କଲେଜ ତେଲେଙ୍ଗାପେଣ୍ଠର ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବାବା ରାଧେଶ୍ୟାମ ଦାସ, ବାବା ପରମାତ୍ମା ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶନିବାର ଦିବା ୧୦ ଘଟିକାରେ ପରିବାର ଉପରେ ଆଲୋଚନାଚକ୍ରକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଅନଙ୍ଗ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।