ଛାଡଖାଇ ପାଇଁ ଆସିକାରେ ଆମିଷ ବ୍ୟବସାୟୀ ସଜବାଜ
ଆସିକା, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ପ୍ରାୟ ଏକମାସ ଧରି ଖାଁ ଖାଁ ରହିଥିବା ଆମିଷ ବଜାର ଆସନ୍ତା ରବିବାର ଛାଡଖାଇରେ ଜୋର ଧରିବ ବୋଲି ଆଲୋଚିତ ହେଉଛି । ଧର୍ମର ମାସ କାର୍ତ୍ତିକ ଅବସରରେ ଗତ ପ୍ରାୟ ଏକମାସ ଧରି ଆମିଷ ଖାଇବାରୁ ଦୂରେଇ କହିଥିବା ବହୁବ୍ୟକ୍ତି ଆସନ୍ତା ରବିବାର ଦିନ ଛାଡଖାଇରେ ଆମିଷ ଖାଇବେ । ଧର୍ମର ମାସ କାର୍ତ୍ତିକ ଶୁକ୍ରବାର ଶେଷ ହୋଇଥିବା ବେଳେ ଆସନ୍ତାକାଲି ଶନିବାର ଥିବାରୁ ଆମିଷ ବେପାର ମାନ୍ଦା ରହିବାକୁ ଥିବା ବେଳେ ରବିବାର ଦିନ ଜୋର୍ ଧରିବା ସମ୍ଭାବନା ରହିଛି । ତେବେ ଆସନ୍ତା ରବିବାର ଦିନ ଛାଡଖାଇ ପାଳନ କରିବା ଲାଗି ବିଭିନ୍ନ ବର୍ଗର ସାଧାରଣ ଜନତା ପ୍ରସ୍ତୁତ ହେଉଥିବା ବେଳେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଆମିଷ ବ୍ୟବସାୟୀମାନେ ସେମାନଙ୍କ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଲକ୍ଷ୍ୟ କରାଯାଇଛି । ଧର୍ମର ମାସ କାର୍ତ୍ତିକ ଶୁକ୍ରବାର ଶେଷ ହେବା ପରେ ତା ପରବର୍ତ୍ତୀ ମାସର ପ୍ରଥମ ଦିନରେ ପାଳିତ ହୋଇଥାଏ ଛାଡଖାଇ । ତେବେ ଆସନ୍ତାକାଲି ଶନିବାର ଥିବାରୁ ରବିବାର ଦିନ ଗ୍ରାଣ୍ଡ ଛାଡଖାଇ ପାଳନ ହେବ ବୋଲି ଜଣାପଡିଛି । ଦୀର୍ଘ ୧ ମାସ ଧରି ଆମିଷ ବର୍ଜନ କରି ଛାଡଖାଇ ଦିନଟିକୁ ଅପେକ୍ଷା କରି ରହିଥାନ୍ତି ବହୁ ବ୍ୟକ୍ତି । ତେବେ ବହୁ ଦିନ ଧରି ଆମିଷକୁ ପରିତ୍ୟାଗ କରିଥିବା ଲୋକଙ୍କ ମଧ୍ୟରୁ ବହୁ ଜନତା ଛାଡଖାଇରେ ଆମିଷ ଖାଇବେ । ଛାଡଖାଇ ଦିନ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଶହଶହ ଛେଳିମେଣ୍ଢାଙ୍କ ମୁଣ୍ଡ ଗଡିବା ସାଙ୍ଗକୁ ହଜାର ହଜାର କୁକୁଡା ମରାଯିବାର ସମ୍ବାବନା ରହିଛି । ଛାଡଖାଇକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପୋଖରୀରୁ ବିଭିନ୍ନ କିସମର ମାଛ ଧରାହୋଇ ବଜାରକୁ ବିକ୍ରୀ ପାଇଁ ଆସିଥାଏ । ଆସନ୍ତା ରବିବାର ଦିନ ବହୁ ବ୍ୟକ୍ତି ଛାଡଖାଇ ପାଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଆମିଷ ବ୍ୟବସାୟୀମାନେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ବ୍ୟବସାୟ କରିବା ଲାଗି ବେଶ ପ୍ରସ୍ତୁତ ହୋଇସାରିଥିବା ବେଳେ ଆମିଷର ଦରକୁ ନେଇ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାରବର୍ଗ କିପରି ଛାଡଖାଇ ପାଳନ କରିବେ ସେ ନେଇ ଚିନ୍ତାରେ ପଡିଯାଇଥିବା ଲକ୍ଷ୍ୟ କରାଯାଇଛି ।