ଜନସାଧାରଣ କିଭଳି ସୁରକ୍ଷିତ ରହିବେ, ସେଥିପାଇଁ କାର୍ଯ୍ୟ କରୁଛି ପ୍ରଶାସନ: ବିନୀତ ଭରଦ୍ୱାଜ

ବାରିପଦା,(ମୁରାରୀ ମୋହନ ମହାପାତ୍ର ):ମୟୂରଭଞ୍ଜକୁ ବାତ୍ୟା ଦାନାର ପ୍ରଭାବ ପାଣିପାଗ ବିଭାଗ ଦ୍ୱାରା ଆକଳନ କରାଯାଇଥିବା ବେଳେ, ରାଜ୍ୟ ସରକାର ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେଇ ଏହି ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା ନିମନ୍ତେ ଓ ବାତ୍ୟା ସମୟର ସୁରମ୍ୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ନିର୍ଦ୍ଦେଶକ ଓ ଅତିରିକ୍ତ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ, ସ୍ୱଚ୍ଛତା ବିଭାଗ, ବିନୀତ ଭରଦ୍ୱାଜଙ୍କୁ ଦାୟିତ୍ୱ ଦେଇଛନ୍ତି। ମୟୂରଭଞ୍ଜରେ ୨୪ ତାରିଖ ଠାରୁ ଭୀଷଣ ବର୍ଷ ସହିତ ୬୦ ରୁ ୭୦ କି.ମି ବେଗରେ ପବନ ବହିବାର ଆଶଙ୍କା କରା ଯାଉଥିବା ବେଳେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ମଝିରେ ହେବାର ପୂର୍ବାନୁମାନ ମଧ୍ୟ କରା ଯାଉଛି। ଯାହା ଫଳରେ, ମୟୂରଭଞ୍ଜର ଦୁଇଟି ଉପଖଣ୍ଡ, ବାରିପଦା ଏବଂ କପ୍ତିପଦାର ବିଭିନ୍ନ ଅଂଚଳ ପ୍ରଭାବିତ ହେବାର ମଧ୍ୟ ଆକଳନ କରା ଯାଉଛି। ଏଣୁ ଏହି ପରିପ୍ରେକ୍ଷୀରେ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜରୁରୀକାଳୀନ ଅଧିକାରୀଙ୍କୁ ନେଇ ବୈଠକ କରାଯାଇଥିଲା। ଏହି ବୈଠକରେ ସମସ୍ତ ଉପଜିଲ୍ଲାପାଳ ଓ ବିଡ଼ିଓ ମାନେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ବର୍ତମାନ ସୁଦ୍ଧା ହୋଇଥିବା ସମସ୍ତ କାର୍ଯ୍ୟାବଳୀର ବିବରଣୀ, ସମସ୍ତ ଅଧିକାରୀଙ୍କ ଠାରୁ ଶୁଣିଥିବା ବେଳେ ସମସ୍ତ କାର୍ଯ୍ୟକୁ ଶୀଘ୍ର ଓ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ପବନର ବେଗ ୯୦ କି.ମି ପ୍ରତି ଘଣ୍ଟା ରହିବ ଏଣୁ ଏଥିନିମନ୍ତେ ସ୍ଥାନାନ୍ତରୀକରଣ କାର୍ଯ୍ୟକୁ ବିଶେଷ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ଭରଦ୍ୱାଜ କହିଥିଲେ। ଏହି କାର୍ଯ୍ୟକୁ ପ୍ରଖର କରିବା ପାଇଁ ପୋଲିସ ବିଭାଗ ସହିତ ପୂର୍ତ୍ତ ବିଭାଗ, ଅଗ୍ନିଶମ, ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଟିମ ଗଠନ କରି ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ଅଂଚଳରେ କାର୍ଯ୍ୟକରିବାକୁ ଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ସମୟ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ବାତ୍ୟା ପୂର୍ବ ଏବଂ ପର ସ୍ଥିତି। ଏଣୁ ପ୍ରଥମେ ବାତ୍ୟା ହେବ ପୂର୍ବରୁ ଜନସାଧାରଣ, ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ଏବଂ ପରବର୍ତ୍ତୀ ସମୟରେ ରାସ୍ତା ମରାମତି, ଭାଙ୍ଗି ପଡିଥିବା ଗଛର ନିଷ୍କାସନ ଓ ବିଦ୍ୟୁତ ମରାମତି କାର୍ଯ୍ୟ ହେବା ଆବଶ୍ୟକ ବୋଲି ଶ୍ରୀ ଭରଦ୍ୱାଜ କହିଥିଲେ।ସ୍ଥାନାନ୍ତରୀକୃତ ହୋଇଥିବା ଲୋକ ମାନଙ୍କୁ ଉତ୍ତମ ରନ୍ଧା ଖାଦ୍ୟ, ମେଡ଼ିସିନ ଏବଂ ରହୁଥିବା ସ୍ଥାନର ସ୍ୱଚ୍ଛତା ଉପରେ ଧ୍ୟାନ ରଖିବାକୁ ଏବଂ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପୋଲିସ ପ୍ରଶାସନକୁ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ସୁରକ୍ଷାକର୍ମୀ ନିଯୁକ୍ତି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ପ୍ରଭାବିତ ଅଂଚଳ ଯଥା, ବଡ଼ସାହି, ବେତନଟୀ, ରସଗୋବିନ୍ଦପୁର, ବୈସିଙ୍ଗା, ଗୋପବନ୍ଧୁ ନଗରର ପୁରୁଣା ବାରିପଦା, ମାଣତ୍ରୀ ପଂଚାୟତ, କପ୍ତିପଦାର ଶରତ ଅଂଚଳ, ଉଦଳାର ବିଭିନ୍ନ ଅଂଚଳକୁ ଜିଲ୍ଲାପାଳ ଶ୍ରୀ ସୟଙ୍କ ସହିତ ନିର୍ଦ୍ଦେଶକ ଶ୍ରୀ ଭରଦ୍ୱାଜ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ପରିଦର୍ଶନରେ ଯାଇ ସେଠାକାର ଉଦ୍ଧରିକରଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ ଏବଂ ଏହି ଦୁର୍ବିପାକର ସମ୍ପୂର୍ଣ୍ଣ ଅବସାନ ହେବା ପର୍ଯ୍ୟନ୍ତ ଜିରୋ କାଜୁଆଲିଟିକୁ ଧ୍ୟାନ ଦେବା ପାଇଁ ତତ୍ପର ରହିବାକୁ କହିଥିଲେ। ସୂଚନା ଥାଉକି, ଜିଲ୍ଲାରେ ଏହି ଜରୁରୀକାଳୀନ ପରିସ୍ଥିତି ପାଇଁ ସମସ୍ତ ବିଭାଗ ତରଫରୁ ଜରୁରୀକାଳୀନ ଟେଲିଫୋନ ନମ୍ବର ଜାରି କରା ଯାଇଛି ଏବଂ ଜିଲ୍ଲା ପ୍ରଶାସନ ନିଜ ଅଫିସିଆଲ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ