ଜଳ ପ୍ରଦୂଷଣ ଏବଂ ଆତ୍ମଘାତୀ ଆଚରଣ
ସୁଧାଂଶୁ ଶେଖର ଧଡ଼ା
ଆମେ ବାସକରୁଥିବା ପୃଥିବୀର ୭୧ ଶତାଂଶ ଜଳ । ସେଥିମଧ୍ୟରୁ ମାତ୍ର ୦.୦୦୬ ଶତାଂଶ ମନୁଷ୍ୟର ପାନୀୟ ତଥା ଦୈନନ୍ଦିନ ବ୍ୟବହାର ଉପଯୋଗୀ। ସମଗ୍ର ବିଶ୍ବରେ ଏହି ୦.୦୦୬ ଶତାଂଶ ଜଳ ଦିନକୁଦିନ ଦୂଷିତ ହୋଇ ପିଇବା ଅନୁପଯୋଗୀ ହୋଇଯାଉଛି । ଆଜିର ଦିନରେ ବହୁସଂଖ୍ଯକ ଲୋକ ବୋତଲ କିମ୍ବା ପ୍ଲାଷ୍ଟିକ ଜାରରେ ବିକ୍ରି ହେଉଥିବା ପାଣି ପିଇବା ନିମିତ୍ତ ବ୍ୟବହାର କରୁଛନ୍ତି। ଅନେକ ଲୋକ ନିଜ ଘରେ ଜଳବିଶୋଧକ ଯନ୍ତ୍ର ବସାଇଲେଣି । ଆସନ୍ତା ଦିନମାନଙ୍କରେ ପିଇବା ପାଣି ପ୍ରଦୂଷଣ କାରଣରୁ ଦୁଷ୍ପ୍ରାପ୍ୟ ହୋଇଯିବ। ଏବେ ପାନୀୟ ଓ ବ୍ୟବହାର୍ଯ୍ଯ ଜଳକୁ ନେଇ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ଶଙ୍କଟଜନକ ହୋଇ ପଡିଛି ।
ଦିଲ୍ଲୀ ନିକଟରେ ଯମୁନା ନଦୀର ପାଣି ଏତେ ଦୂଷିତ ହୋଇଛି ଯେ , ଏହି ଅଳ୍ପଦିନ ଭିତରେ ଛଟପୂଜା ଉଦେଶ୍ୟରେ ଶ୍ରଦ୍ଧାଳୁମାନେ ଯମୁନା ଜଳରେ ସୂର୍ଯ୍ୟପୂଜା କରିବାକୁ ଚାହୁଁଥିଲେ ମଧ୍ୟ ସେହି ଜଳରେ ପ୍ରବେଶକଲେ ଲୋକମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବ ବୋଲି ଅନୁଭବ କରି ଦିଲ୍ଲୀ ହାଇକୋର୍ଟ ଲୋକମାନଙ୍କୁ ଯମୁନା ଜଳରେ ଛଟ୍ ପୂଜା କରିବାପାଇଁ ମନା କରିଦେଇଛନ୍ତି | ଯମୁନା ନଦୀ କୂଳରେ ଦିଲ୍ଲୀ ମହାନଗର ଶହଶହ ବର୍ଷତଳେ ଗଢିଉଠିଥିଲା। ଏବେ ଯମୁନା ନଦୀର ଉପର ମୁଣ୍ଡରେ ଥିବା ସହର ଗୁଡିକର ବର୍ଜ୍ୟ ଜଳ ଏବଂ ଦିଲ୍ଲୀର ବର୍ଜ୍ୟଜଳକୁ ନେଇ ଦିଲ୍ଲୀ ନିକଟରେ ଯମୁନା ଏତେ ପରିମାଣରେ ଦୂଷିତ ଯେ ଏହି ଜଳ ଭିତରକୁ ଗଲେ ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଦିଲ୍ଲୀ ହାଇକୋର୍ଟ ଅନୁଭବ କରୁଛନ୍ତି | ଅନ୍ୟପକ୍ଷରେ ଯମୁନାର ଜଳ ଦିଲ୍ଲୀ ନିକଟରେ ସବୁଠାରୁ ଦୂଷିତ ବୋଲି ଅକ୍ଟୋବର ଶେଷ ସପ୍ତାହରେ ଏକ ସରକାରୀ ରିପୋର୍ଟ ପ୍ରକାଶ ପାଇଛି | କୌଣସି କାରଖାନାର ବର୍ଜ୍ୟ ଜଳ ଯେପରି ବ୍ୟବହାର ଅନୁପଯୋଗୀ ହୋଇ ସେଥିରୁ ଫେଣ ବାହାରେ , ଦିଲ୍ଲୀ ନିକଟରେ ଯମୁନା ଜଳରେ ସେହିଭଳି ମେଞ୍ଚା ମେଞ୍ଚା ଫେଣ ଭାସୁଛି | ଏହି ପରିପ୍ରେକ୍ଷୀରେ ଛଟପୂଜା ଉପଲକ୍ଷେ ଦିଲ୍ଲୀରେ ହଜାରେଟି ସ୍ଥାନରେ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଛଟପୂଜା ନିମନ୍ତେ କୃତ୍ରିମ ଜଳାଶୟର ଆୟୋଜନ କରାଯାଇଛି |
ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ସମଗ୍ର ଓଡିଶାରେ ବିଭିନ୍ନ ଜଳାଶୟ ଗୁଡିକରେ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ଭାବରେ ପାଳନ କରାଯାଉଛି | ଆଜି ସମଗ୍ର ଦେଶର ବିଭିନ୍ନ ପାରମ୍ପରିକ ଏବଂ ସ୍ଥାୟୀ ଜଳ ଉତ୍ସ ଗୁଡିକ କ୍ରମାଗତ ଭାବରେ ଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହେବାରେ ଲାଗିଛି | ଏ ଦୃଷ୍ଟିରୁ ବୋଇତ ବନ୍ଦାଣ ଉତ୍ସବ ଦିନ ଜଳ ପ୍ରଦୂଷଣ ବହୁ ମାତ୍ରାରେ ବଢ଼ିଯିବା ସମ୍ଭାବନା ଉପୁଜୁଛି | ବୋଇତ ବନ୍ଦାଣ କ୍ଷେତ୍ରରେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପରିବେଶ ଏବଂ ଜଳ ପ୍ରଦୂଷଣ ସମସ୍ୟା ନେଇ ଏତେ ସଚେତନ ହୋଇପାରିନାହୁଁ |
ଅଳ୍ପଦିନ ତଳେ ଦୀପାବଳୀ ପାଳିତ ହୋଇଯାଇଛି | ବିଭିନ୍ନ ସହରରେ ଦୀପାବଳୀର ବାଣଫୁଟା ଯୋଗୁଁ ପ୍ରାୟ ଦୁଇଦିନ ପର୍ଯ୍ୟନ୍ତ ଧୂଆଁର ଏକ ଆସ୍ତରଣ ବାୟୁମଣ୍ଡଳର ନିମ୍ନ ଭାଗରେ ଘୋଡେଇ ହୋଇରହିଥିଲା | ଉଚ୍ଚ ଶବ୍ଦର ବାଣ ନଫୁଟେଇବା ପାଇଁ ସରକାରୀ ନିର୍ଦେଶ ଜାରି ହୋଇଥିବା ସତ୍ୱେ ଲୋକେ ବିପୁଳ ପରିମାଣର ବାଣ ଫୁଟାଇଲେ | ବାଣ ଫୁଟେଇବାପାଇଁ ମାତ୍ର ଦୁଇଘଣ୍ଟା ସମୟ ସରକାରୀ ଭାବରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଲୋକେ ମାନିଲେ ନାହିଁ | ଏହାପରେ ପରିଣତିକୁ ଲୋକମାନେ ହିଁ ଭୋଗିଲେ | ବାୟୁ ପ୍ରଦୂଷଣ କ୍ଷେତ୍ରରେ ଲୋକମାନେ ସଚେତନ ରହିଲେନାହିଁ |ଏବେ ଜଳ ପ୍ରଦୂଷଣ ଧୀରେ ଧୀରେ ଭୂଗର୍ଭକୁ ମଧ୍ୟ ଗଲାଣି | ଭୁପୃଷ୍ଠର ବର୍ଜ୍ୟ ବସ୍ତୁ ଭୁପୃଷ୍ଠର ଜଳ ଉତ୍ସ ଗୁଡି୍ରେ ଦ୍ରବିଭୂତ ହୋଇ ଭୂଗର୍ଭସ୍ଥ ଜଳକୁ ମଧ୍ୟ ଅନେକ ସ୍ଥାନରେ ଦୂଷିତ କରିସାରିଲାଣି | ଭୂପୃଷ୍ଠର ଜଳରେ ପଲିଥିନ ଏବଂ ପ୍ଲାଷ୍ଟିକର ଅଣୁ କଣିକା ମିଶି ସମ୍ପୂର୍ଣ୍ଣରୂପେ ପାନୀୟ ଅନୁପଯୋଗୀ ହୋଇ ସାରିଛି।
ଏହି ପ୍ରସଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ଦିନର ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପ୍ରତି ସଚେତନ ନରହିଲେ ଏହା ପ୍ରତ୍ୟକ୍ଷ ଭାବରେ ମନୁଷ୍ୟ, ପଶୁପକ୍ଷୀ ଆଦି ସମସ୍ତ ପ୍ରାଣୀ ଜଗତ ଓ ଜଳଜ ଉଦ୍ଭିଦ ଉପରେ କ୍ଷତିକାରକ ପ୍ରଭାବ ପକାଇବ | ଏବେ ତ ରାଜ୍ୟର ସମସ୍ତ ବଡ଼ ବଡ଼ ସହର ଗୁଡିକର ବର୍ଜ୍ୟ ଜଳ ନଦୀ ଗୁଡିକରେ ହିଁ ମିଶୁଛି | କଟକ ମହାନଗରର ଜଳ କାଠଯୋଡ଼ିରେ ଓ ଭୁବନେଶ୍ୱର ମହାନଗରର ବର୍ଜ୍ୟ ଜଳ ଗଙ୍ଗୁଆ ନଦୀ ମାଧ୍ୟମରେ ଦୟାନଦୀରେ ମିଶୁଛି | ସେସବୁର ବିଶୋଧନ ସମ୍ଭବ ହୋଇପାରୁନାହିଁ |
କାର୍ତ୍ତିକ ପୂର୍ଣ୍ଣିମା ଦିନର ବୋଇତ ବନ୍ଦାଣ ଉତ୍ସବ ଯେତିକି ଧାର୍ମିକ ଗୁରୁତ୍ୱ ବହନ କରେ ସେତିକି ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରେ | ଏହା ରାଜ୍ୟରେ ଏକ ସାର୍ବଜନୀନ ପର୍ବ ଭାବରେ ପରିଗଣିତ ହେଉଛି | ଅତୀତର ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା ଓ ସଂସ୍କୃତିକୁ ବହନ କରି ଏହି ପର୍ବ ପାଳିତ ହେଉଛି | ତେବେ ଏ କ୍ଷେତ୍ରରେ ପ୍ରାଚୀନ ଉତ୍କଳର ପରମ୍ପରା ଭାବରେ ଏକ ସନ୍ତକ ଧର୍ମୀ ଡଙ୍ଗା ପ୍ରାୟ ପ୍ରତ୍ୟେକ ଓଡ଼ିଆ ବୋହୂ ପୂର୍ଣ୍ଣମୀ ଦିନ ସକାଳୁ କୌଣସି ଏକ ଜଳାଶୟରେ ଭସେଇ ଦେଇ ଆସନ୍ତି | ଏହି ଡ଼ଙ୍ଗା ଭସା କାର୍ଯ୍ୟକ୍ରମଟିକୁ ବୋଇତ ବନ୍ଦାଣ ଭାବରେ ପାଳନ କରାଯାଏ | ଡ଼ଙ୍ଗାଟିଏ ଜଳରେ ଭସାଇବାବେଳେ ଏକଥା ମଧ୍ୟ କୁହାଯାଏ ଯେ “ଆ କା ମା ବୈ , ପାନ ଗୁଆ ଥୋଇ , ମାସକ ଧର୍ମ ତୋର, ଦିନକ ଧର୍ମ ମୋର ” ଏହି ପଦଟିର ଅର୍ଥ ହେଲା ଆଷାଢ଼ କାର୍ତ୍ତିକ ମାଘ ବୈଶାଖ ଏହି ଚାରୋଟି ମାସ ଅତ୍ୟନ୍ତ ପବିତ୍ର ମାସ | ଏଥିମଧ୍ୟରୁ କାର୍ତ୍ତିକ ମାସଟି ସବୁଠାରୁ ପବିତ୍ର | ଏହି ପବିତ୍ର ମାସରେ ଲୋକମାନେ ମାସ ବ୍ୟାପି ବିଭିନ୍ନ ଧର୍ମ କାର୍ଯ୍ୟ କରନ୍ତି | ଏହି କାର୍ତ୍ତିକ ମାସରେ ଉତ୍କଳର ପ୍ରାଚୀନ ସାଧବମାନେ ଦରିଆପାରି ନୌବାଣିଜ୍ୟ କରିବାପାଇଁ ଯାତ୍ରା ଆରମ୍ଭ କରୁଥିଲେ | ଏହି ଯାତ୍ରାର ଶୁଭକାମନା କରି ବୋଇତରେ ପାନ ଗୁଆ ଭଳି ଓଡ଼ିଆ ପରମ୍ପରାର ଦୈନନ୍ଦିନ ବ୍ୟବହୃତ ପଦାର୍ଥ ରଖାଯିବା ସହ ବାଣିଜ୍ୟ ଦ୍ରବ୍ୟ ମଧ୍ୟ ରଖାଯାଏ | ବର୍ତ୍ତମାନର ବୋଇତ ବନ୍ଦାଣ ଉତ୍ସବରେ ଏହି ପ୍ରାଚୀନ ପରମ୍ପରାର ସନ୍ତକ ସ୍ୱରୂପ ସନ୍ତକ ଡ଼ଙ୍ଗାଟିରେ ପାନ ଗୁଆ , ଧୂପ, ଦୀପ, ମୁଦ୍ରା, ଫଳ, ଫୁଲ, ପିଠାପଣା, ଚାଉଳ, ବିରି ଆଦି ଶଷ୍ୟ ଅଳ୍ପ ଅଳ୍ପ ଥୋଇ ଏହି ଡ଼ଙ୍ଗାଟିକୁ ଜଳରେ ଭସେଇ ଦିଆଯାଏ | ଏହି ଡ଼ଙ୍ଗାଟି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଏକ ସନ୍ତକ ତେଣୁ ଏହାକୁ ସାଧାରଣତଃ ଏକ କଦଳୀ ବାହୁଙ୍ଗାରେ ତିଆରି କରାଯାଏ । କିନ୍ତୁ ସମୟକ୍ରମେ ସାଂସୃତିକ ବିବର୍ତ୍ତନ ଧାରାରେ ଏହି କଦଳୀ ପଟୁଆର ଡ଼ଙ୍ଗାଟି ଆଜି ଥର୍ମକୁଲ, ପ୍ଲାଷ୍ଟିକ, ପଲିଥିନ ଦ୍ରବ୍ୟ, କାଗଜ ପଟି ଆଦିରେ ପରିଣତ ହୋଇଗଲାଣି ଏହି ସବୁ ପଦାର୍ଥ ଜଳରେ ମିଶିଲେ ଜଳକୁ ଅତିମାତ୍ରାରେ ଦୂଷିତ କରିପକାଉଛି | ବିଶେଷକରି ପ୍ଲାଷ୍ଟିକ ଓ ସିନ୍ଥେଟିକ ପଦାର୍ଥର ପ୍ରସ୍ତୁତ ଡ଼ଙ୍ଗା ଗୁଡିକ ଜଳ ପ୍ରଦୂଷଣ କ୍ଷେତ୍ରରେ ସବୁଠାରୁ ବିପଦଜନକ ପଦାର୍ଥ | ଏହିସବୁ ପଦାର୍ଥର ଅଣୁ କଣିକା ଜଳରେ ମିଶିଲେ ଏବଂ ସେହି ଜଳକୁ କୌଣସି ପ୍ରକାରରେ ପାନୀୟ ଜଳ ଭାବରେ ବ୍ୟବହାର କରିଲେ ତାହା କର୍କଟ ଭଳି ଭୟଙ୍କର ରୋଗର କାରଣ ହୁଏ ବୋଲି ପରିବେଶବିତମାନେ ସୂଚେଇ ଦେଲେଣି | ଧର୍ମ ଏବଂ ପରମ୍ପରାର ମିଶ୍ରଣରେ ଆମେ ପାଳନ କରୁଥିବା ଏହି ପର୍ବ ବର୍ତ୍ତମାନ ପ୍ରତ୍ୟକ୍ଷ ଭାବରେ ଜଳ ପ୍ରଦୂଷଣର କାରଣ ପାଲଟିଲାଣି | ବିଶେଷକରି ସହରାଞ୍ଚଳ ଗୁଡିକରେ ବର୍ତ୍ତମାନ ପୋଖରୀ ଗଢିଆ ଭଳି ଜଳ ଉତ୍ସ ଗୁଡିକ କ୍ରମେ ଲୋପ ପାଇଯାଉଥିବା , ସେସବୁକୁ ପୋତି ସେହି ସ୍ଥାନରେ ବହୁତଳ ବିଶିଷ୍ଟ ଗୃହ ନିର୍ମାଣ ହେଉଥିବା ଆଦି ଦେଖିବାକୁ ମିଳୁଛି | ତେଣୁ ଜଳାଶୟ ଗୁଡିକର ସଂଖ୍ୟା ସହରାଞ୍ଚଳ ଗୁଡିକରେ କମି କମି ଆସୁଛି | ଜୈବ ବିବିଧତା ରକ୍ଷା କ୍ଷେତ୍ରରେ ଜଳାଶୟ ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ମାଛ, ବେଙ୍ଗ, ଗେଣ୍ଡା, ଶାମୁକା ବିଭିନ୍ନ ଜଳଜୀବ , ଜଳଜ ଉଦ୍ଭିଦ ଆଦି ପ୍ରକୃତି ଏବଂ ପରିବେଶର ଯେଭଳି ଅଂଶ ଠିକ ସେହିପରି ଜଳ ଜୀବ ମାନଙ୍କୁ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ବଗ, ଡାହୁକ, ପାଣିକୁଆ, ମାଛ ରଙ୍କା, ହଂସ, ହଂସରା଼ଳି ଆଦି ପକ୍ଷୀମାନେ ମଧ୍ୟ ପରିବେଶର ଅଂଶ | ଦୂଷିତ ଜଳରେ ଏସବୁ ଜଳଚର ପ୍ରାଣୀଙ୍କ ସହିତ ପକ୍ଷୀମାନେ ମଧ୍ୟ ଆକ୍ରାନ୍ତ ହେଲେଣି | ଜଳାଶୟକୁ ନେଇ ବଞ୍ଚୁଥିବା ଡାହୁକ ଆଜି ବିଲୁପ୍ତ ପ୍ରାୟ | ଜଳାଶୟର ବିନଷ୍ଟରେ ରାଷ୍ଟ୍ରୀୟ ଫୁଲ ପଦ୍ମ ଏବଂ କଇଁ ଭଳି ଜଳଜ ଉଦ୍ଭିଦ ମଧ୍ୟ ବିଲୁପ୍ତ ପ୍ରାୟ | ପରିବେଶର ଏଭଳି ନକାରାତ୍ମକ ପରିବର୍ତ୍ତନ ଘଟୁଥିବା ସମୟରେ ବୋଇତ ବନ୍ଦାଣ ଦିନ ଜଳାଶୟ ଗୁଡିକରେ ଭସେଇ ଦିଆଯାଉଥିବା କ୍ଷୁଦ୍ର ଡ଼ଙ୍ଗାଟି ଜଣେ ବ୍ୟକ୍ତିପାଇଁ ଗୋଟିଏ ହୋଇପାରେ, କିନ୍ତୁ ସାହସ୍ରାଧିକ ଜନସଂଖ୍ୟା ବିଶିଷ୍ଟ ଜନ ବସତିର ସାମୂହିକ ବୋଇତ ବନ୍ଦାଣ ଜଳାଶୟ ଗୁଡିକୁ ଅତି ମାତ୍ରାରେ ଦୂଷିତ କରିପକାଉଛି | ବୋଇତ ବନ୍ଦାଣ ପରେ ଏହି ସବୁ କ୍ଷୁଦ୍ର ଡଙ୍ଗା ସହ ଭାଷମାନ ଆବର୍ଜନାକୁ ତୁରନ୍ତ ପାଣିରୁ ଛାଣି ବାହାର କରାଯିବାର ଆବଶ୍ୟକତା ଥିବାବେଳେ ଏଭଳି କରି ଜଳାଶୟ ଗୁଡିକୁ ପରିଷ୍କାର କରିବାପାଇଁ ଲୋକମାନଙ୍କର ତତ୍ପରତା ପ୍ରକାଶ ପାଏନାହିଁ | ଧାର୍ମିକ ଓ ସାଂସ୍କୃତିକ ମାନସିକତା ଅନ୍ତରଳରେ ପରିବେଶ ପ୍ରଦୂଷଣ ଜନିତ ଭୟଙ୍କର ସମସ୍ୟାଟି ଲୁଚିଯାଏ |
ଆଜି ସହରାଞ୍ଚଳ ଗୁଡିକରେ ଥିବା ପୋଖରୀରେ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ଗାଧୋଉ ନାହାନ୍ତି | ଏଭଳି ସଚେତନ ଥିବା ବ୍ୟକ୍ତିମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାକୃତିକ ତଥା କୃତ୍ରିମ ଜଳାଶୟ ଗୁଡିକୁ ପରିଷ୍କାର ରଖିବା ଦିଗରେ ଚିନ୍ତାକରିବା ଆବଶ୍ୟକ | କାର୍ତ୍ତିକ ପୂର୍ଣ୍ଣମୀ ଦିନ ବିଭିନ୍ନ ଜଳ ଉତ୍ସ ଗୁଡିକର ସର୍ବାଧିକ ପ୍ରଦୂଷଣ ହେଉଥିବା ଲକ୍ଷ୍ୟ କରାଯାଉଛି | ଏଣୁ କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ ” ଜଳ ଉତ୍ସ ସୁରକ୍ଷା ଦିବସ ” ଭାବରେ ପାଳନ କରି ସବୁ ଜଳାଶୟ ଗୁଡିକୁ ବିଭିନ୍ନ ପ୍ରକାର ପ୍ରଦୂଷଣରୁ ମୁକ୍ତ କରିବାପାଇଁ ପରିଷ୍କାର କରାଯିବା କାର୍ଯ୍ୟକ୍ରମକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରାଯିବାର ସମୟ ଆସିଯାଇଛି |
ଏକଥା ମନେ ରଖିବାକୁ ପଡିବ ଯେ ଜଳ ହିଁ ଜୀବନ ଏବଂ ପ୍ରଦୂଷିତ ଜଳ ମାନବ ସମାଜର ତଥା ପ୍ରାଣୀ ଜଗତର ସର୍ବାଧିକ କ୍ଷତି ଘଟାଉଛି | ନିକଟରେ ହୋଇଯାଇଥିବା ଦୂର୍ଗାପୂଜା ଏବଂ ଅନ୍ୟାନ୍ୟ ପୂଜା ଗୁଡିକ ପରେ ମୂର୍ତ୍ତି ବିସର୍ଜନ ଦ୍ବାରା ଜଳପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଗାଡିଆ ଖୋଳି ସେଥିରେ ବିସର୍ଜନ ବ୍ୟବସ୍ଥା ବିଭିନ୍ନ ସ୍ଥାନରେ ସ୍ଥନୀୟ ପ୍ରଶାସନ ମାନେ କରିଛନ୍ତି। ଜଳ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାରମ୍ପରିକ ଜଳଉତ୍ସ ନଦୀ, ପୋଖରୀ ଗଡିଆ ଆଦି ଜଳାଶୟରେ ବୋଇତ ବନ୍ଦାଣ ପରିବର୍ତ୍ତେ ମୂର୍ତ୍ତ ବିସର୍ଜନ ଶୈଳୀରେ କିଛି ଜଳାଶୟ ତିଆରି ସେଠାରେ କରାଗଲେ ଜଳ ଉତ୍ସ ଗୁଡିକ ପ୍ରଦୂଷଣରୁ ମୁକ୍ତ ରହି ପାରିବ । ଆସନ୍ତୁ ଏହିଦିନ ଜଳଉତ୍ସ ଗୁଡିକୁ ପରିଷ୍କାର କରିବା ନିମିତ୍ତ ଉଦ୍ୟମକରିବା ।
ସୁଧାଂଶୁ ଶେଖର ଧଡା
ଜାଗମରା,ଖଣ୍ଡଗିରି , ଭୁବନେଶ୍ବର