ଜିଲାପାଳ କ୍ଷମତା ଏକ ପ୍ରହସନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସ୍ଥାନୀୟ ସରପଞ୍ଚ ରାଧାକାନ୍ତ ପ୍ରଧାନ ନିଜ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ପ୍ରଶାସନର ସହଯୋଗ ମିଳି ନ ଥିବାରୁ ତାକୁ ପ୍ରତ୍ୟାହାର କରିଥିବା କହିଛନ୍ତି। ସେ ଶଟ୍‌ଡାଉନ ଘୋଷଣା କରିବା ପରେ ପୁଣି ତାକୁ ପ୍ରତ୍ୟାହାର କରିନେଇଥିବା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି। ସରପଞ୍ଚ ପ୍ରଶାସନର ଚାପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବାରୁ ଅଞ୍ଚଳରେ ବଣିକ ସଂଘ ସମେତ ବିଭିନ୍ନ ସଂଗଠନ ଏହାକୁ ନିନ୍ଦା କରିଛି। ଏନେଇ ଅଞ୍ଚଳରେ ସରପଞ୍ଚଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସରକାର ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରୟୋଗ କରିବାକୁ ଘୋଷଣା ଏକ ପ୍ରହସନ ବୋଲି ଆଲୋଚନା ହେଉଛି। ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିବା ପୂର୍ବରୁ ସରପଞ୍ଚ ପ୍ରଧାନ ସ୍ଥାନୀୟ ବିଡିଓ ଜଗଦୀଶ ଷଡ଼ଙ୍ଗୀ ସହ ଆଲୋଚନା କରିବା ସହ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କୁ ମଧ୍ୟ ପ୍ରଥମେ ଫୋନ୍‌ ଏବଂ ପରବର୍ତ୍ତୀ ସମୟରେ ଚିଠି ମାଧ୍ୟମରେ ଅବଗତ କରାଇଥିଲେ l ପରେ ସେ ରବିବାର ଅପରାହ୍ନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ କରାଯାଇଥିବା ଘୋଷଣା କରିଥିଲେ। ଏହାକୁ ଦାରିଙ୍ଗବାଡ଼ି ବଣିକ ସଂଘ ସମେତ ବିଭିନ୍ନ ସଂଗଠନ ସହଯୋଗ କରିଥିବା ସରପଞ୍ଚ କହିଛନ୍ତି। ଶଟ୍‌ଡାଉନ୍‌ ପ୍ରତ୍ୟାହାର କରିବା ପରେ ମଧ୍ୟ ଦାରିଙ୍ଗବାଡ଼ି ବଜାରରେ ହାତ ଗଣତି କିଛି ବ୍ୟବସାୟୀ ପ୍ରତିଷ୍ଠାନ ଖୋଲା ରହିଥିବା ବେଳେ ଶହ ଶହ ଦୋକାନ ବଜାର ବନ୍ଦ ରହିଥିଲା। ବଣିକ ସଂଘ ସଭାପତି ଅରୁଣ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦାରିଙ୍ଗବାଡ଼ି ବଜାର ଉପରେ ସାମାଜିକ ଦୂରତ୍ୱ ରହୁନାହିଁ। ଦୋକାନ ବଜାର ଭିଡ଼ ହେବା ସହ ଲୋକ ମାସ୍କ ବ୍ୟବହାର ପ୍ରତି ଧ୍ୟାନ ଦିଆଯାଉନାହିଁ। ଶହ ଶହ ବାଇକ୍‌ରେ ମଧ୍ୟ ଅମାନିଆମାନେ ଭିଡ଼ ଜମାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସେ ବଜାରରେ ରହିଥିବା ବିଭିନ୍ନ ଦୋକାନ ସମେତ ଚା’ ଦୋକାନ, ବିଇଓ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଆଦି ଅଞ୍ଚଳରେ ସେ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ଆମେ ଦୋକାନ ବଜାର ବନ୍ଦ ରଖିବାକୁ ସରପଞ୍ଚଙ୍କ ନିକଟରେ ଜଣାଇଥିଲୁ। ତେଣୁ ସୋମବାର ଦୋକାନ ବଜାର ବନ୍ଦ ରହିଥିବା ସେ କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଏବଂ ବ୍ୟାଙ୍କ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ