ଜିଲ୍ଲା ସ୍ତରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିପର୍ଯ୍ୟୟ ମନୁଷ୍ୟକୃତ ହେଉ କିମ୍ବା ପ୍ରାକୃତିକ ହେଉ ସେହି ସମସ୍ତ ବିପର୍ଯ୍ୟୟକୁ ମୁକାବିଲା କରିବା ସକାଶେ ପ୍ରଶିକ୍ଷଣ ବା ତାଲିମ୍ ପାଇ ପୂର୍ବ ପ୍ରସ୍ତୁତି କରି ରହିଲେ ସେହିସବୁର ଏଡାଯାଇ ପାରିବ । ରବିବାର ଦିନ ଜିଲ୍ଲା ପ୍ରଶାସନ ଗଞ୍ଜାମ ପକ୍ଷରୁ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଶମନ ଦିବସ ପାଳନ କରାଯାଇ ଏହି ସମ୍ପର୍କରେ ଜନସଚେତନତା କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ନିଜ ବକ୍ତବ୍ଯରେ ବିପର୍ଯ୍ୟୟରପ ମୁକାବିଲା କ୍ଷେତ୍ରରେ ସମସ୍ତେ ସଜାଗ, ସତର୍କ ରହି ସହଯୋଗର ହାତ ବଢାଇଲେ ବିପର୍ଯ୍ୟୟକୁ ପ୍ରଶମିତ କରିବା ବୋଲି ଜଣାଇଥିଲେ । ଜିଲ୍ଲାର ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସବୁ ଅଞ୍ଚଳରେ ବିପର୍ଯ୍ୟୟର ପ୍ରାକ୍ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରେ କିଭଳି ରକ୍ଷଣାବେକ୍ଷଣ କରିବା ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଉଅଛି । ବିପତ୍ତିରେ ଥିବା ମଣିଷକୁ ସମସ୍ତେ ସହଯୋଗର ହାତ ବଢାଇଲେ ଜନଜୀବନ, ପଶୁପକ୍ଷୀ ସୁରକ୍ଷିତ ହୋଇ ପାରିବ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପାଳିତ ଏହି ସଚେତନତା ଦିବସରେ ଛତ୍ରପୁର ଅଞ୍ଚଳର ସମସ୍ତ ବିଦ୍ୟାଳୟ ଏବଂ ମହା ବିଦ୍ଯାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସଚେତନତା ଶୋଭାଯାତ୍ରା ଛତ୍ରପୁର ଷ୍ଟାଡିୟମ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା ସକାଶେ ପାରମ୍ପରିକ ଲୋକକଳା ପାଲା ଦ୍ବାରା ସଚେତନତା ହୋଇଥିଲା । ପରେ ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ କର୍ମକର୍ତ୍ତା, ଅଧିକାରୀ, ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍, ଓଡ୍ରାଫ ଦଳଙ୍କ ସବ୍ ଇନିଶ୍ପେକ୍ଟର ପ୍ରସନ୍ନ କୁମାର ସୁବୁଦ୍ଧିଙ୍କ ନେତୃତ୍ବରେ ବିପର୍ଯ୍ୟୟ ସମୟରେ କିଭଳି ଜନ ଜୀବନ ସୁରକ୍ଷିତ କରିବା ସେ ନେଇ ମକଡ୍ରିଲ୍ ପରିବେଷଣ କରିଥିଲେ । ଅଘ୍ନିଶମ ବିଭାଗ ଛତ୍ରପୁର ତରଫରୁ ଇନିସ୍ପେକ୍ଟର ଏସ୍.କେ.ସିଂ ଙ୍କ ନେତୃତ୍ବରେ ତାଙ୍କ ଦଳ କିଭଳି ଅଗ୍ନିଶମ ବିଭାଗ ସେବା ଯୋଗାଇ ଆସିଛି ତାହା ପ୍ରଦର୍ଶିତ କରି ନିଆଁକୁ ଆୟତ୍ତ କରିବା, ଆତ୍ମରକ୍ଷା, ଦୁର୍ଘଟଣାରେ ସହାୟତା ପ୍ରଦାନ, ଭଗ୍ନଗୃହରୁ ଅସହାୟ ଲେକଙ୍କୁ ଉଦ୍ଧାର ଇତ୍ଯାଦି ଦର୍ଶକଙ୍କୁ ଜଣାଇଥିଲେ । ଏହି ଅବସରରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ଦ୍ବାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଶୁଭାରମ୍ଭ ହୋଇଥିଲା । ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଡେପୁଟି କଲେକ୍ଟର ତଥା ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଆୟୁଷୀ ପତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଂଯୋଜନା କରିଥିଲେ । ବିଭିନ୍ନମ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଅଭିଭାବକ, ସହରର ମାନ୍ଯଗଣ୍ଯ ବ୍ଯକ୍ତି, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ବୟଂ ସହାୟିକା ଗୋଷ୍ଠୀ, ସ୍ବୟମସିଦ୍ଧାର ସଦସ୍ଯାଗଣ,କର୍ମଚାରୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।