ଟ୍ରାକ୍ଟର ଟ୍ରଲିରୁ ପଡି ମହିଳା ଶ୍ରମିକ ମୃତ
ନବରଙ୍ଗପୁର,(ୱାଇଏନଏସ): ରାସ୍ତା କାମରେ ନିୟୋଜିତ ଜଣେ ମହିଳା ଶ୍ରମିକ ଗମା ଗୌଡ଼ଙ୍କ ଟ୍ରାକ୍ଟର ଟ୍ରଲିରୁ ଖସିପଡି ମୃତ୍ୟୁ ହୋଇଛି । ଶ୍ରମିକଙ୍କ ମୃତ୍ୟୁ ପରେ ପରିବାର ଏବଂ ଗାଁ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଗମିଅଡ଼ା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଝରିଗାଁ ଠାରୁ ଡ଼ାବୁଗାଁ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ର ରାସ୍ତା କାମରେ ପିଚୁ ପକେଇବା ପୂର୍ବରୁ ରାସ୍ତାର ଧୂଳିକୁ ସଫା କରିବା ପାଇଁ ଗମିଅଡ଼ା ଗ୍ରାମ ୧୧ ଜଣ ମହିଳା ଶ୍ରମିକଙ୍କୁ ଏକ ଟ୍ରାକ୍ଟର ଯୋଗେ ନିଆଯାଉଥିବା ବେଳେ ଟ୍ରାକ୍ଟର ଟ୍ରଲିର ହାଇଡ୍ରୋଲିକ ଆପେ ଆପେ ଉଠିପଡିବାରୁ ଟ୍ରଲିରେ ବସି ଥିବା ୧୧ ଜଣ ମହିଳା ଶ୍ରମିକ ରାସ୍ତା ଉପରେ କଚାଡି ପଡ଼ିଥିଲେ । ସେଇ ଭିତରୁ ଗମା ଗୌଡ଼କୁ ଗୁରୁତର ହେବାରୁ ତାଙ୍କୁ ଝରିଗାଁ ଡାକ୍ତରଖାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମବାସୀ କ୍ଷତିପୂରଣ ଦାବିରେ ଝରିଗାଁ- ଡ଼ାବୁଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ରାସ୍ତା ରୋକ କରିଥିବା ଗ୍ରାମବାସୀ ଙ୍କୁ ବୁଝା ସୁଝା କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ରୁ ଉଠିଥିଲେ ଗ୍ରାମବାସୀ।