ତୀର ବିନ୍ଧି ଦୃଷ୍ଟିବାଧିତ ଖେଳାଳି ରଚିଲେ ନୂଆ ଇତିହାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁନିଆକୁ ଦେଖିବାରେ ଅକ୍ଷମ ସେମାନଙ୍କ ଅନ୍ଧାର ଆଖି । କିନ୍ତୁ ଶବ୍ଦ ବାରି ସେମାନେ କରିପାରନ୍ତି ଲକ୍ଷ୍ୟ ସ୍ଥଳର ସନ୍ଧାନ । ଏଭଳି ଶବ୍ଦ ଭେଦି ଦକ୍ଷତାର ଚିହ୍ନଟ ଓ ପ୍ରୋତ୍ସାହନ ପାଇଁ ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ‘ବୁଲ୍‌ସଆଇ’ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଏକ ନିଆରା ଧନୁତୀର ଚାଳନା ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଐତିହାସିକ ଧଉଳି ପାହାଡ ନିକଟରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ସଂଲଗ୍ନ କ୍ରାଫ୍ଟ ବଜାର ପଡିଆଠାରେ ଏହି କ୍ରୀଡାକୁ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣୀ ଗାୟତ୍ରୀ ଏବଂ ସାମାଜିକକର୍ମୀ ସନ୍ତୋଷୀ ଜୈନ ଆନୁଷ୍ଠାନିକ ରୂପେ ଉଦ୍‌ଘାଟନ କରିଥିଲେ ।ଦେଶରେ ପ୍ରଥମ କରି ଆୟୋଜିତ ଦୃଷ୍ଟିବାଧିତଙ୍କ ଏହି କ୍ରୀଡା ପ୍ରତିଯୋଗୀତାରେ ରାଜ୍ୟର ବାଲେଶ୍ୱର, ମୟୁରଭଞ୍ଜ, ଦେବଗଡ ଓ ସମ୍ବଲପୁର ଆଦି ଜିଲ୍ଲାରୁ ୧୫ ଜଣ ପ୍ରତିଯୋଗୀ ଭାଗନେଇ ନିଜର ଶବ୍ଦଭେଦି ଦକ୍ଷତାର ପ୍ରତିପାଦନ କରି ଏକ ନୂଆ ଇତିହାସ ରଚିଛନ୍ତି । ‘ବୁଲ୍‌ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା କହନ୍ତି ଦିବ୍ୟାଙ୍ଗମାନେ ଅନେକ ପ୍ରତିଭାର ଅଧିକାରୀ । ସେମାନଙ୍କ ନିକଟରେ ଲୁକ୍କାୟିତ ହୋଇ ରହିଛି ଅନେକ ସାମର୍ଥ୍ୟ । ସେଗୁଡିକ ଚିହ୍ନଟ କରି ପ୍ରୋତ୍ସାହନ କରିବାର ଲକ୍ଷ୍ୟ ନେଇ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ଉପଶାସନ ସଚିବ ସନ୍ନ୍ୟାସୀ କୁମାର ବେହେରା, ଅଡ଼ିଟର ସୁବ୍ରତ ମହାନ୍ତି, ଏନ.ସି.ଏସ.ସି.ଡି.ଏର ପୂର୍ବତନ ସହ ନିର୍ଦ୍ଦେଶକ ରାମ କିଶୋର ଶର୍ମା, ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର, ଡ୍ରିମସ୍ ବିଶ୍ୱବିଦ୍ୟାଳୟର ଡ଼ିନ୍ ଡ. ଦୁର୍ଗାପ୍ରସାଦ ମିଶ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଶ୍ରୀପତି ଆଚାର୍ଯ୍ୟ, ମନୋଜ ପ୍ରଧାନ, ପ୍ରିୟବ୍ରତ ପଣ୍ଡା, ଡ. ରଶ୍ମୀରଞ୍ଜନ ସାହୁ, ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ଦର୍ଶନ ବିଭାଗର ମୁଖ୍ୟ ମୃଣ୍ମୟୀ ରଥ, ପ୍ରଫେସର ରେଣୁବାଳା ପୃଷ୍ଟି ପ୍ରମୁଖ ଅତିଥିମାନେ ନିଜ ବକ୍ତବ୍ୟରେ ଭାରତର ପ୍ରାଚୀନ ପରମ୍ପରାରେ ଯୋଦ୍ଧା ମାନଙ୍କର ଶବ୍ଦଭେଦୀ ଦକ୍ଷତା ସଂପର୍କରେ ଆଲୋକପାତ କରିଥିଲେ । ସେହି ପରମ୍ପରାକୁ ଆଗକୁ ନେବାରେ ଦୃଷ୍ଟିବାଧିତଙ୍କ ସାଧନାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ରଞ୍ଜନ ହାଂସଦା ପ୍ରଥମ, ରବିନ୍ଦ୍ର ମୁର୍ମୁ ଦ୍ୱିତୀୟ, ଶରତ ରଞ୍ଜନ ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥି ବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ.ଏସ.ଏସ ୟୁନିଟର ସ୍ୱେଚ୍ଛାସେବୀମାନେ ସକ୍ରିୟ ସେବା ପ୍ରଦାନ କରିଥିଲେ । ଏହି ଅବସରରେ ଏନ.ଏସ.ଏସର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କୁ ‘ବୁଲ୍‌ସଆଇ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ