ଦୀର୍ଘ ବର୍ଷର ଦାବୀ ପୂରଣ ହେଲା, ବିକେବିଏମ ରାସ୍ତାର ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟକୁ ସିଧା କରାଗଲା, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଲା କାମ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ଥାନା ଅଧିନ ବନ୍ତ-ବାରିକପୁର ରାସ୍ତାର ଖମଣ ପୋଲସ୍ଥିତ ଟର୍ଣ୍ଣିଂ ପଏଣ୍ଟ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଥିଲା । ଏହି ସ୍ଥାନରେ ଗତ ୧୦ ବର୍ଷ ମଧ୍ୟରେ ୭ରୁ ଅଧିକ ଦୁର୍ଘଟଣା ଘଟି ଜୀବନ ଯାଇଛି । ଏହି ଟର୍ଣ୍ଣିଂ ପଏଣ୍ଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହାର ସମାଧାନ ପାଇଁ ଅଞ୍ଚଳବାସୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ମାତ୍ର ପ୍ରଶାସନ କିଛି ଶୁଣୁ ନଥିଲା । ଗତ ଫେବୃଆରୀ ୨୬ ଶିବରାତ୍ରୀ ଦିନ ଏହି ଟର୍ଣ୍ଣିଂ ପଏଣ୍ଟରେ ଦୁର୍ଘଟଣା ଘଟି ବନ୍ତ ଥାନା ଅଧିନ ସାହାଡାପଲ୍ଲୀ ଗ୍ରାମର ଜଣେ ଯୁବକଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ସେତେବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଟର୍ଣ୍ଣିଂ ପଏଣ୍ଟ ଯୋଗୁ୍ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ମାନେ ଅଭିଯୋଗ କରିବା ସହିତ ଉକ୍ତ ଟର୍ଣ୍ଣିଂ ପଏଣ୍ଟକୁ ସିଧା କରିବା ପାଇଁ ଦାବୀ କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ଏହାର ସମାଧାନ ପାଇଁ ଦାବୀ ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଓ ଦୀର୍ଘ ବର୍ଷର ଦାବୀକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇଥିଲା । ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ମାଧ୍ୟମରେ ଟର୍ଣ୍ଟିଂ ପଏଣ୍ଟକୁ ସିଧା କରିବା ପାଇଁ ଗତ ୪ ଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଘରପଦା କେନାଲ ପୋଲ ଠାରୁ ଖମଣ ପୋଲ ପର୍ଯ୍ୟନ୍ତ ୩୦ମିଟର ଟର୍ଣ୍ଣିଂ ପଏଣ୍ଟକୁ ସିଧା କରାଯିବା ସହିତ ରାସ୍ତାର ଉଭୟ ପାଶ୍ୱର୍ରେ ସୁରକ୍ଷା ୱାଲ ତିଆରି କରାଯାଉଛି । ଏଥିସହ ପୁରୁଣା କଲର୍ଭଟର ଦକ୍ଷିଣ ପାଶ୍ୱର୍କୁ ୫ମିଟର ବୃଦ୍ଧି କରାଯାଇ ମୋଟ ୧୩ ମିଟର ଓସାର କରାଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଛନ୍ତି । ଏହି ଟର୍ଣ୍ଣିଂ ପଏଣ୍ଟକୁ ସିଧା କରାଯିବା ଫଳରେ ଦୁର୍ଘଟଣା ହ୍ରାସ ପାଇବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା କରିଛନ୍ତି ।