ଦୋକାନ କାନ୍ଥ ତାଡି ଅଳଙ୍କାର ଲୁଟିବା ଉଦ୍ୟମ ପଣ୍ଡ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜାରରେ ଥିବା ଏକ ଜୁଏଲାରୀ ପ୍ରତିଷ୍ଠାନରୁ ଲୁଟ୍ କରିବା ପାଇଁ ରବିବାର ରାତିରେ ଦୁର୍ବୃତ୍ତ ମାନେ କରିଥିବା ଉଦ୍ୟମ ବିଫଳ ହୋଇଛି । ସାଇ ଶିବ ପ୍ରସାଦ ଜୁଏଲାରୀ ନାମକ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ପ୍ରଭାତ କୁମାର ପଣ୍ଡା ଧୂଷୁରୀ ଥାନାରେ ଏ ସଂକ୍ରାନ୍ତରେ ସୋମବାର ଏତାଲା ଦେଇଛନ୍ତି । ଏତାଲା ଅନୁସାର ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ପଛପଟ କାନ୍ଥରେ ଦୁଇଟି ସ୍ଥାନରେ ଗୋଲ ଆକାରରେ ଜଣେ ଲୋକ ପଶିବା ମୁତାବକ ସୁଢଙ୍ଗ କରାଯାଇଛି । ଯାହାକି ଅସମ୍ପୂର୍ଣ୍ଣ ରହି ଯାଇଛି । ଦୁର୍ବୃତ୍ତ ମାନେ ବ୍ୟବସାୟ ପ୍ରତିଷ୍ଠାନକୁ ପଶି ପାରି ନାହାଁନ୍ତି । ହେଲେ ଅନ୍ୟ କେଉଁବାଟେ କାଳେ ସେମାନେ ପଶିଥିବେ ସନ୍ଦେହ କରି ବ୍ୟବସାୟୀ ଜଣକ ଦୋକାନ ନଖୋଲି ଥାନାର ଦ୍ବାରସ୍ଥ ହୋଇଥିଲେ । ଧୂଷୁରୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରି ଚୋରୀ ହୋଇ ନଥିବା ଜାଣିବାକୁ ପାଇଥିଲେ । ଏଥି ସହିତ ଚୋରୀ ସମ୍ପର୍କରେ କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରି ତଦନ୍ତ ଚଳାଇଥିବା ପୋଲିସ ତଦନ୍ତ ଅଧିକାରୀ ମନୋ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି ।