ଦୋ’ ଛକିରେ କୁମ୍ଭକାର ପରିବାର : କମୁଛି ଚାହିଦା, ବୁଡ଼ୁଛି କୁଳବେଉସା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଧ୍ୱଂସ କରୁଛି ଆଧୁନିକତା ‘’ ସୃଷ୍ଟି ଆରମ୍ଭରୁ ମାଟି ଥିଲା, ଅଛି ଓ ସୃଷ୍ଟିର ବିନାଶ ପର୍ଯ୍ୟନ୍ତ ରହିବ । ସର୍ବସଂହା ମାଟି ମା’ ହିଁ ଆମକୁ ଦେଇଛି ସବୁକିଛି । ହେଲେ ମାଟିରୁ ତିଆରି ଅନେକ ସାମଗ୍ରୀକୁ ଏ ଆଧୁନିକ ମଣିଷ ସମାଜ ପ୍ରତ୍ୟାଖାନା କରି ଚାଲିଛି । ତେଣୁ ମାଟି ସହିତ ମାଟି ହୋଇ ଏହି ସାମଗ୍ରୀ ଯୋଗାଉଥିବା କୁମ୍ଭକାର ପରିବାର ଆଜି ଦୁର୍ଦ୍ଦଶାଗ୍ରସ୍ତ ଜୀବନ ଜିଇଁଛି । ଆଧୁନିକତା ହିଁ କାୟା ବିସ୍ତାର କରି ଏଭଳି ପୁରାତନ ପରମ୍ପରା ଗୁଡ଼ିକୁ ଧ୍ୱଂସ କରିଚାଲିଛି । ହେଲେ ଏ ସମାଜ ଏହାକୁ ଆଦରି ଚାଲିଛି, ଆଗାମୀ ଦିନରେ ଆଦରିବାକୁ ବି କୁଣ୍ଠାବୋଧ କରିବନାହିଁ, ଯାହାକି ପରିବେଶବିତ୍ ମହଲରୁ ଉଚ୍ଛ ମିଳିଛି । ତଥାପି କୌଳିକ ବୃତି ବଞ୍ଚାଇବାକୁ କୁମ୍ଭକାର ତା’ର ସଂଘର୍ଷ ଜାରୀ ରଖିଛି ।’’ଆଲୋକର ପର୍ବ ଆଉ ମାତ୍ର ୧୪ ଦିନ ବାକିଥିବା ବେଳେ ହିଞ୍ଜିଳିକାଟୁ ଓ ଏହାର ଆଖପାଖ ଅଞ୍ଚଳରେ କୁମ୍ଭକାର ପରିବାର ମାଟିଦୀପ ତିଆରି କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତି ଭାବେ ଆଦରି ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନହଜି ଆଜି ଯାଏଁ ବଞ୍ଚି ରହିଛି । ପୂର୍ବରୁ ମାଟି ପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା । ରନ୍ଧନ ପାଇଁ ଆବଶ୍ୟକ ମାଟି ପାତ୍ର ଠାରୁ ଆରମ୍ଭ କରି ମାଠିଆ, ହାଣ୍ଡି, ଗ୍ରୀଷ୍ମଋତୁରେ ପାଣି ଥଣ୍ଡା ରଖିବା ପାଇଁ ସୁରେଇ ଇତ୍ୟାଦି ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ସଭ୍ୟତାର ବିକାଶ ସହିତ ଆରମ୍ଭ ହୋଇଛି ଷ୍ଟିଲ ଯୁଗ । ରନ୍ଧନ ପାଇଁ ସାଧାରଣ ଲୋକେ ମାଟି ପାତ୍ରକୁ ଭୁଲି ଷ୍ଟିଲ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି । ଏଭଳି ପରିସ୍ଥିତରେ କୁମ୍ଭକାରଙ୍କ ବୃତ୍ତି ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ତଥାପି କୌଳିକ ବୃତିକୁ ବଞ୍ଚାଇ ରଖିବାପାଇଁ ଏବେବି ସଙ୍ଘର୍ଷ ଜାରୀ ରଖିଛନ୍ତି କୁମ୍ଭକାର ପରିବାର । ବିଶେଷକରି ପର୍ବପର୍ବାଣୀରେ କୁମ୍ଭକାରଙ୍କୁ ସାଧାରଣ ଲୋକେ ମନେ ପକାଇଥାନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏମିତି କିଛି ସାମଗ୍ରୀ ରହିଛି ଯାହା ପୂଜା ବ୍ରତ ସକାଶେ ନିତାନ୍ତ ଜରୁରୀ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ପର୍ବପର୍ବାଣୀରେ ମାଟି ହାଣ୍ଡିର ଆବଶ୍ୟକତା ରହିଥିବା ବେଳେ ଏବେବି କିଛି ଗ୍ରାମାଞ୍ଚଳର ଜନସାଧାରଣ ରୋଷେଇ ସକାଶେ ମାଟି ହାଣ୍ଡି ବ୍ୟବହାର କରିଥାନ୍ତି । ବିଜ୍ଞାନ ଯୁଗରେ ଆଲୋକର ପର୍ବ ଦୀପାବଳି ପାଳନ ସକାଶେ ରଙ୍ଗ ବେରଙ୍ଗର ମହମବତୀ ମିଳୁଥିଲେ ମଧ୍ୟ ମାଟି ଦୀପର ଚାହିଦା ଏବେବି ବଞ୍ଚି ରହିଛି । ବର୍ଷତମାମ ବେକାରରେ ରହୁଥିବା କୁମ୍ଭକାର ପରିବାରଙ୍କ ପାଇଁ ଦୀପାବଳି ପର୍ବ ରୋଜଗାର ସୃଷ୍ଟି କରିଥାଏ । ଦୀପାବଳିର ମାସକ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥାନ୍ତି ମାଟି ଦୀପ ପ୍ରସ୍ତୁତିରେ । ହିଞ୍ଜିଳିକାଟୁ ବ୍ଳକର ବୁରୁପଡ଼ା, ବେଲଗାଁ, ଗଣ୍ଡଳା, ନନ୍ଦିକ, ପୁଟିଆପଦର, ଖରିଡା , ଶ୍ରଦ୍ଧାପୁର, ବେଲଗାଁ, ପଳାସି ଓ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା କୁମ୍ଭକାର ପରିବାର ଏବେ ମାଟିଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ତେବେ ମାଟିରେ ବିଭିନ୍ନ ଜିନିଷ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରିନଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ବୁଦ୍ଧୀଜୀବି ମହଲରେ ମତ ପ୍ରକାଶ ପାଇଛି । କୌଳିକ ବୃତିକୁ ବଞ୍ଚାଇବା ଲାଗି କୁମ୍ଭକାର ଚକ ଘୁରୁଥିଲେ ମଧ୍ୟ ଉପାର୍ଜନ ଯଥେଷ୍ଟ ପରିମାଣରେ ହେଉନଥିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି ବୋଲି ବହୁ କୁମ୍ଭକାର ପରିବାର କହିଛନ୍ତି । ଆଲୋକର ପର୍ବ ଦୀପାବଳିରେ ମାଟି ଦୀପ ତିଆରି କରି କିଛିଟା ଅଧିକ ରୋଜଗାର କରିବାକୁ ଚାହିଁ ବସିଥିବା ବେଳେ ଆଧୁନିକତାର ଛାପରେ ଲୋକମାନେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ଆଲୋକମାଳା ଓ ମହମବତୀରେ ଘରକୁ ଆଲୋକମୟ କରୁଥିବାରୁ ମାଟି ଦୀପର ଚାହିଦା ମଧ୍ୟ ଏକ ପ୍ରକାର ବୁଡ଼ିବାକୁ ବସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ