ନବରଙ୍ଗପୁରରେ ଆସନ୍ତା ୨୫ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୫.୩.୨୦୨୫ ତାରିଖ ଦିନ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା। ଏ ନେଇ ଆଜି ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ବିଭାଗ। ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସହକାରୀ ସଚିବ ଏବଂ ମିଶନ ନିର୍ଦ୍ଦେଶକ, ଦକ୍ଷତା ବିକାଶ ବିଭାଗ,ଭୁବନେଶ୍ୱର ଦିପ୍ତୀ ମହାପାତ୍ର, ଜିଲ୍ଲା କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଳେଇ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଦକ୍ଷତା ବିକାଶ ଅଧିକାରୀ ଶୁଭମ୍ ମହାପାତ୍ର ଉପସ୍ଥିତ ରହି ଏହି ନିଯୁକ୍ତି ମେଳାରେ ଜିଲ୍ଲାରୁ କିଭଳି ଅଧିକରୁ ଅଧିକ ଯୁବକ ଯୁବତୀ ଯୋଗଦେଇପାରିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆସନ୍ତା ୨୫.୩.୨୦୨୫ ତାରିଖ ସକାଳ ୭.୦୦ ଘ ରୁ ୧୧.୦୦ ଘ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୩୦ ରୁ ୩୫ ଟି ନିଯୁକ୍ତି ଦାତା ସଂସ୍ଥା ଏବଂ ୧୦ ରୁ ୧୨ ଟି ପ୍ରକଲ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେବେ। ଜିଲ୍ଲା ର ବେକାର ଯୁବକ ଯୁବତୀ ପ୍ରକଲ୍ପ କାର୍ଯ୍ୟକାରୀଣି ସଂସ୍ଥା ମାଧ୍ୟମରେ ଜିଲ୍ଲା ଓ ଜିଲ୍ଲା ବାହାରେ ତାଲିମ ନେଇ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିପାରିବେ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାର ରୋଜଗାର ସନ୍ଧାନରେ ଥିବା ୫ ମ ଶ୍ରେଣୀ ପାସ ଠାରୁ ଦଶମ ଶ୍ରେଣୀ ଫେଲ ପର୍ଯ୍ୟନ୍ତ ଏବଂ ଦଶମ ପାସ ଠାରୁ ସ୍ନାତକ, ଆଇ ଟି ଆଇ, ଡିପ୍ଲୋମା ପାସ କରିଥିବା ଆଗ୍ରହୀ ଯୁବକ ଯୁବତୀ ମାନେ (୧୮ ରୁ ୩୫ ବର୍ଷ ମଧ୍ୟରେ) ଏହି ମେଳା ରେ ଭାଗ ନେଇପାରିବେ। ପ୍ରାର୍ଥୀ ମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣପତ୍ର,ଜାତି ପ୍ରମାଣପତ୍ର,ଫଟୋ ସହିତ ନିଯୁକ୍ତି ମେଳା ରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି ।ନିଯୁକ୍ତି ମେଳା ରେ ଦୂରଦୁରାନ୍ତରୁ ଯୋଗ ଦେବାକୁ ଆସୁଥିବା ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଯାନବାହନ ର ବ୍ୟବସ୍ଥା କରାଯାଇଛି ଵିଶେଷ କରି ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକ ପାଇଁ ବସ ର ବ୍ୟବସ୍ଥା କରାଯାଇଛି।ମେଳାକୁ ଆସୁଥିବା ପାର୍ଥିଙ୍କ ପାଇଁ ପାନୀୟ ଜଳ,ଖାଦ୍ୟ,ଶୌଚାଳୟ ର ବ୍ୟବସ୍ଥା କରାଯାଇଛି। ଏହି ନିଯୁକ୍ତି ମେଳାରେ ବହୁ ସଂଖ୍ୟାରେ ବେକାର ଯୁବକ ଯୁବତୀ ଯୋଗ ଦେଇ ନିଯୁକ୍ତି ନେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।