ନିର୍ମାଣ ହେବ ୫ଟି ହାତୀ ଏବଂ ୧୪ଟି ପ୍ରାଣୀ ଅଣ୍ଡରପାସ୍

୪ ଲେନ୍ ବିଶିଷ୍ଟ ହେବ ଦ୍ଵାରଶୁଣୀ ଘାଟି ରାସ୍ତା

ବାଙ୍ଗରିପୋଷୀ,(ଶିବଶଙ୍କର ମାନ୍ନା):୪ ଲେନ୍ ବିଶିଷ୍ଟ ହେବ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ଦ୍ଵାରଶୁଣୀ ଘାଟି ରାସ୍ତା। ୪୯ ନମ୍ବର ଜାତୀୟ ରାଜପଥର ୯.୧୯୮ କି.ମି ଦ୍ୱାରଶୁଣୀ ଘାଟି ରାସ୍ତାର ସମ୍ପ୍ରସାରଣ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏଥିପାଇଁ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଶିମିଳିପାଳ ଟାଇଗର ରିଜର୍ଭ ଏରିଆର ବଫର ଜୋନ୍ ମଧ୍ୟରେ ଥିବା ଏହି ରାସ୍ତାରେ ୫ଟି ହାତୀ ଅଣ୍ଡରପାସ୍ ଏବଂ ୧୪ଟି ପ୍ରାଣୀ ଅଣ୍ଡରପାସ୍ ନିର୍ମାଣ ହେବ। ଏଥିପାଇଁ ଜାନୁଆରୀ ୩ ତାରିଖ ଠାରୁ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ଆହ୍ଵାନ କରାଯାଇଛି। ଏହାର ନିର୍ମାଣ ଅବଧି ଅଢେଇ ବର୍ଷ ରହିଛି। ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ତଥା ମରଣଯନ୍ତା ସାଜିଥିବା ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ବାରମ୍ୱାର ଦାବି ହେଉଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଵତନ୍ତ୍ର ଦୃଷ୍ଟି ତଥା ଓଡ଼ିଶା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ଙ୍କ ପ୍ରଚେଷ୍ଟା ଫଳରେ ଏହି ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ନେତୃବୃନ୍ଦଙ୍କୁ ମୟୂରଭଞ୍ଜ ଜିଲ୍ଲା ତଥା ବାଙ୍ଗିରିପୋଷି ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷେ ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟି ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ନିଜର ଅନୁରୋଧ ରକ୍ଷା କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମୟୂରଭଞ୍ଜ ବାସୀ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ