ପଂଚାୟତ ସମିତି ଅଧିବେଶନ ନ ହେବାରୁ ବିଡିଓଙ୍କ କାର୍ଯ୍ୟାଳୟରେ ୬ ଘଂଟା ଧାରଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲାର ନାଉଗାଁ ପଂଚାୟତ ସମିତି ଅଧିବେଶନ ସ୍ଥଗିତ ରହିଥିବା ଯୋଗୁ ସୋମବାର ବିଡିଓଙ୍କ କାର୍ଯ୍ୟାଳୟ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସମେତ ପଂଚାୟତ ପ୍ରତିନିଧିମାନେ ଦୀର୍ଘ ୬ ଘଂଟା ଧରି ଧାରଣାରେ ବସି ରହିଥିଲେ । ଧାରଣାସ୍ଥଳରେ ଥାନାଧିକାରୀ ଦାୟିତ୍ୱରେ ଥିବା ଏସଆଇ ନିଳମଣୀ ନାୟକ,ଏସଡିପିଓ ରଶ୍ମିରଂଜନ ସାହୁ ପହଁଚି ଆଲୋଚନା କରିଥିଲେ ମଧ୍ୟ ଧାରଣା ପ୍ରତ୍ୟାହୃତ ହୋଇନଥିଲା । ପରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଧାରଣାସ୍ଥଳରେ ପହଁଚି ଧାରଣାଗତଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୂଚନାଯୋଗ୍ୟ ଯେ ନଭେମ୍ବର ୨୨ରେ ନାଉଗାଁ ସପ୍ତମ ପଂଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଅଧିବେଶନର ୧୫ ଦିନ ପୂର୍ବରୁ ବିଭାଗୀୟ ଅଧିକାରୀ, ବିଧାୟକ, ସାଂସଦ, ପଂଚାୟତ ପ୍ରତିନିଧିମାନଙ୍କୁ ବ୍ଲକ କାର୍ଯ୍ୟାଳୟରୁ ଚିଠି ଦ୍ୱାରା ଜଣାଇବାକୁ ସି୍ଥର କରାଯାଇଥିଲା । କିନ୍ତୁ ବିଡିଓଙ୍କ ପକ୍ଷରୁ ଅଧିବେଶନ ସଂପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନଥିଲା । ଫଳରେ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସମେତ ପଂଚାୟତ ପ୍ରତିନିଧିମାନେ ଏସଂପର୍କରେ ନଭେମ୍ବର ୧୮ରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏପରିକି ନଭେମ୍ବର ୨୨ରେ ପଂଚାୟତ ସମିତି ଅଧିବେଶନ କରାନଗଲେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ବ୍ଳକର ପୂର୍ବ ପଂଚାୟତ ସମିତି ଅଧିବେଶନ ଗୁଡିକୁ ଅନୁଧ୍ୟାନ କଲେ ଦୀର୍ଘଦିନ ପରେ ବୈଠକ ଆୟୋଜନ କରାଯାଇଛି । ଏପରିକି ଗୋଟିଏ ଅଧିବେଶନ ରୁ ଅନ୍ୟ ଅଧିବେଶନ ଟି ଦୀର୍ଘ ଆଠ ମାସ ପରେ ହେବା ନଜର ମଧ୍ୟ ରହିଛି । ସୂଚନାଯୋଗ୍ୟ ଯେ ୨୯ ଅପ୍ରେଲ ୨୦୨୨ରେ ପଂଚାୟତ ସମିତିର ୩ୟ ଅଧିବେଶନ ଅନୁଷ୍ଟିତ ହୋଇଥିବା ବେଳେ ଚତୁର୍ଥ ଅଧିବେଶନ ଦୀର୍ଘ ୯ ମାସ ପରେ ଅର୍ଥାତ ଜାନୁଆରୀ ୨୦୨୩ ରେ ଅନୁଷ୍ଠିତ ହୋଇଥିଲା । ସେହିପରି ପଂଚମ ଅଧିବେଶନ ୨୦ ଡିସେମ୍ବର ୨୦୨୩ ହୋଇଥିବା ବେଳେ ୬ଷ୍ଠ ଅଧିବେଶନ ଦୀର୍ଘ ୬ ମାସ ପରେ ଅର୍ଥାତ ୧୦ ଜୁଲାଇ ୨୦୨୪ ରେ ଅନୁଷ୍ଠିତ ହୋଇଥିଲା । ୪ ମାସ ତଳେ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ୨୨ତାରିଖ ଅଧିବେଶନ ସ୍ଥଗିତ ଥିବାରୁ ଅଧ୍ୟକ୍ଷା ଓ ପଂଚାୟତ ପ୍ରତିନିଧିମାନେ ଧାରଣାରେ ବସି ରହିଛନ୍ତି । କିନ୍ତୁ ପୂର୍ବରୁ ଦୀର୍ଘ ଦିନ ଧରି ପଂଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହେଉ ନଥିବା ବେଳେ କାହିଁକି ଉକ୍ତ ପ୍ରତିନିଧି ଓ ଅଧ୍ୟକ୍ଷା ଧାରଣାରେ ବସୁ ନଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ସମୟରେ ବ୍ଳକ ଅଧ୍ୟକ୍ଷା ଲେଙ୍କାଙ୍କୁ ପଂଚାୟତ ସମିତି ଅଧିବେଶନ ସଂପର୍କରେ ପଚାରିବାରୁ ବିଧାୟକ ସମୟ ଦେଇ ପାରୁ ନଥିବାରୁ ଅଧିବେଶନ ହୋଇପାରୁ ନଥିବାରୁ ମତ ରଖିଥିଲେ । ବର୍ତମାନ ଧାରଣା ସଂପର୍କରେ ତାଙ୍କର ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହଁଁ । ଉକ୍ତ ଅଧିବେଶନରେ ବ୍ଳକ ଉପାଧ୍ୟକ୍ଷ ସୁଜିତ ପୁହାଣ, ନୂଆଗାଁ ସମିତି ସଭ୍ୟା ସୁଶ୍ରୀ ଶ୍ରାବଣୀ ରାୟ, ଗଳଦାରୀ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଡେରିକି ସରପଂଚ ପ୍ରଶାନ୍ତ ଜେନା, କୋରୁଅ ସମିତି ସଭ୍ୟ ପପୁ ରଂଜନ ମଲିକ, ଓଷକଣା ସମିତି ସଭ୍ୟ ବିରେନ୍ଦ୍ର ବିଶ୍ୱାଳ, ତିରୁଣା ସରପଂଚ ଲକ୍ଷ୍ମୀଧର ବିଶ୍ୱାଳ, ଜାମୁଗାଁ ସରପଂଚ ଓ ସମିତି ସଭ୍ୟ ଆଦି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।ଏସଂପର୍କରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରେ, ନଭେମ୍ବର ୨୨ ତାରିଖରେ ପଂଚାୟତ ସମିତି ଅଧିବେଶନ କରାଯିବା ପାଇଁ ଅଧ୍ୟକ୍ଷାଙ୍କ ଦ୍ୱାରା ସମୟ ଧାର୍ଯ୍ୟ କରାଯାଇଥିଲା । ସ୍ଥାନୀୟ ବିଧାୟକ ପଂଚାୟତ ସମିତି କମିଟିର ସଦସ୍ୟ ରହିଛନ୍ତି, ତେଣୁ ଏ ସମ୍ବନ୍ଧରେ ମୁଁ ବିଧାୟକଙ୍କ ସହ କଥା ହୋଇଥିଲି । ଯେହେତୁ ବିଧାନ ସଭା ଅଧିବେଶନ ନଭେମ୍ବର ୨୬ରେ ଆରମ୍ଭ ହେବ; ତା’ର ୩ ଦିନ ମଧ୍ୟରେ ଯେଉଁ ପଂଚାୟତ ସମିତି କମିଟିରେ ବିଧାୟକ ସଦସ୍ୟ ଥିବେ ସେହି ଅଧିବେଶନରେ ବିଧାୟକ ଯୋଗ ଦେଇପାରିବେ ନାହିଁ ବୋଲି ସରକାରୀ ଚିଠି ଆସିଛି । କିନ୍ତୁ ନଭେମ୍ବର ୨୨ରେ ଯେଉଁ ଅଧିବେଶନ କରାଯିବା କଥା ବିଧାୟକ ସମୟ ଦେଇପାରି ନଥିବାରୁ ତାହାକୁ ସ୍ଥଗିତ ରଖାଯାଇଛି । ବିଧାନସଭା ଶେଷ ହେବା ପରେ ଉକ୍ତ ଅଧିବେଶନ କରାଯିବ ବୋଲି କହିଥିଲେ । ଏସଂର୍ପକରେ ଉପଜିଲ୍ଲାପାଳ ତରାଇଙ୍କୁ ପଚାରିବାରେ ପ୍ରଶାସନ ଓ ପଂଚାୟତ ପ୍ରତିନିଧିଙ୍କ ମଧ୍ୟରେ ଭୁଲ୍ ବୁଝାମଣା ରହିଥିବାରୁ ଧାରଣା ଦେଇଥିଲେ । ବିଧାନସଭା ଶେଷ ହେବା ପରେ ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ପଂଚାୟତ ସମିତି ଅଧିବେଶନ କରାଯିବ ବୋଲି କହିଥିଲେ ।