ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସେମବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୮୯ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୧୫ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୭୪ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୨୦ଟି, ଜମିଜମା ସମସ୍ୟା ସଂପର୍କୀୟ ୨୪ଟି , ରାସନ କାର୍ଡ ସଂପର୍କିତ ୪ଟି, ଭତା ସମ୍ବନ୍ଧୀୟ ୬ଟି, ପୋଲିସ ସହାୟତା ୨ଟି ଏବଂ ଅନ୍ୟାନ୍ୟ ୧୭ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୧ଟି ଅଭିଯୋଗ ତତ୍କାଳ ଫଇସଲା କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।ଏହି ଶିବିରରେ ଘୋଡାଂଶ ପଂଚାୟତ ଓଡପଏଙ୍ଗା ଗ୍ରାମର ଆଲୋକ ମହାନ୍ତି ଗତ ମେ ୧୩ ରେ ଦେଇଥିବା ଅଭିଯୋଗ ଉପରେ କୌଣସି ତଦନ୍ତ ହୋଇନଥିବା ବେଳେ ଏପର୍ଯ୍ୟନ୍ତ ଉକ୍ତ ଅଭିଯୋଗ ଉପରେ କୌଣସି ଉତର ପାଇନଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଯେ ମହାନ୍ତି ମଦ ଦୋକାନ ସ୍ଥାନାନ୍ତର ପାଇଁ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ସରକାରଙ୍କ ନିୟମାନୁସାରେ ମଦ ଦୋକାନ ଶିକ୍ଷାନୁଷ୍ଠାନ ନିକଟରୁ ୫ ଶହ ମିଟର ଦୂରରେ ରହିବା ଆବଶ୍ୟକ। କିନ୍ତୁ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଉକ୍ତ ଅଂଚଳରେ ମଦ ଦୋକାନ ରହିଅଛି। ଘୋଡାଂଶ ସରପଂଚ ନିହାର ବସ୍ତିଆ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ସେହିପରି ମହାବିଦ୍ୟାଳୟର ଛାତ୍ର ଚିନ୍ମୟ ଲେଙ୍କା, ସୌଭାଗ୍ୟ ରଂଜନ ଜେନା, ଚିତ୍ରସେନ ପରିଡା, ଓମ୍ ପ୍ରକାଶ ବେହେରା, ଭବାନୀ ନାୟକ ଆଦି ମହାବିଦ୍ୟାଳୟର ଆବଶ୍ୟକୀୟ ଜମି, ଭିତିଭୂମିର ବିକାଶ ଓ ଶିକ୍ଷାନୁଷ୍ଠାନର ଆବଶ୍ୟକୀୟ ମୌଳିକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରିଥିଲେ। ସାମାଜିକ ନ୍ୟାୟ ମଂଚ ଓ ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ବିଜୟ କୁମାର ଦାସ, ସୁବାସ ସ୍ୱାଇଁ, ସର୍ବେଶ୍ୱର ମହାରଣା, ଗୌରାଙ୍ଗ ଦାସ, ବାବୁରାମ ସ୍ୱାଇଁ,ବଂଶୀଧର ଦାସ ଆଦି ଭୂମିହିନଙ୍କୁ ଜମି ପଟ୍ଟା ପ୍ରଦାନ, ଦେବୀ ଦୋଳ ଠାରେ ଦେବୀନଦୀରେ ଚେକଡ୍ୟାମ ନିର୍ମାଣ, ଚକୁଳିପଡା ଠାରେ ଅଟକି ରହିଥିବା କେନାଲ ସଫା କରି ଜଳସେଚନର ସୁବିଧା କରିବା ଆଦି ୧୧ ଦଫା ଦାବି ସମ୍ବଳିତ ଅଭିଯୋଗ ପ୍ରଦାନ କରିଥିଲେ। ରାସାୟନିକ ସାର ବିକ୍ରି କ୍ଷେତ୍ରରେ ଅନିୟମିତତା ହୋଇଥିବା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଶୋକ ସ୍ୱାଇଁ ଅଭିଯୋଗ କରିଥିଲେ। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍‌ଗାତା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ