ପାଣି ଘେରରେ ଏବେ ବି ବହୁ ଗ୍ରାମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବାତ୍ୟା ‘ଦାନା’ ଚାଲି ଯାଇଛି । ରବିବାର ଠାରୁ ପାଗ ଫିଟିଛି । ମାତ୍ର ‘ଦାନା’ର ପ୍ରଭାବରେ ବନ୍ତ ବ୍ଲକରେ ବହୁତ କିଛି କ୍ଷତି ଘଟିଛି । ଜନଜୀବନ ଠାରୁ ଆରମ୍ଭ କରି ପ୍ରାଣୀ ସମ୍ପଦ ଓ କୃଷି ଆଦି ପ୍ରଭାବିତ ହୋଇଛି । ଏବେ ମଧ୍ୟ ବହୁ ଗ୍ରାମ ପାଣି ଘେରରେ ରହିଥିବା ବେଳେ ବହୁ ଲୋକଙ୍କ ଘରେ ପାଣି କମି ନାହିଁ । ରାସ୍ତାଘାଟ ଏବେ ମଧ୍ୟ ଜଳମଗ୍ନି ରହିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ଏବେ ମଧ୍ୟ ସ୍ୱାଭାବିକ ହୋଇପାରିନାହିଁ । ଶହ ଶହ ଏକର ଚାଷ ଜମି ପାଣିରେ ବୁଡି ରହିଛି । ବାତ୍ୟା ପରେ ପରେ ପ୍ରବଳ ବର୍ଷା ହେବା ଯୋଗୁ ଏହି ବ୍ଲକର ସାଳନ୍ଦୀ, ରେବ, କପାଳୀ, ସରୁ ସାଗର ଆଦି ନଦୀରେ ଜଳସ୍ତର ବଢି ଯାଇ ବିଭିନ୍ନ ଗ୍ରାମ ଜଳବନ୍ଧୀ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତାଘାଟ ବୁଡି ଯିବା ସହ ବହୁ ଗ୍ରାମ ଭିତରକୁ ପାଣି ପସି ଯାଇଛି । ଏପରିପେକ୍ଷୀରେ ବ୍ଲକ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ଦିନରାତି ଏକ କରି ଲୋକ ମାନଙ୍କୁ ନିରାପଦ ସ୍ଥାନକୁ ନେବା ଏବଂ ସେମାନଙ୍କ୍ୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଅଗ୍ନିଶମ, ପ୍ରାଣୀ ଚିକିତ୍ସା, ପୋଲିସ ବିଭାଗ ପକ୍ଷରୁ ବହୁ ପରିଶ୍ରମ କରାଯାଇ ବାତ୍ୟା ପରିସ୍ଥିତିର ମୁକାବିଲା କରାଯାଇଛି । ଏପରିପେକ୍ଷୀରେ ରବିବାର ସୁଦ୍ଧା ବ୍ଲକର ବହୁ ଗ୍ରାମ ପାଣି ଘେରରେ ଥିବା ଜଣାଯାଇଛି । ରାମକୃଷ୍ଣପୁର ପଞ୍ଚାୟତ ଭୁଗୁପୁର ଗ୍ରାମ ପାଣି ଘେରରେ ଥିବା ବେଳେ ଅଳଉତି ଗ୍ରାମର କେତେକ ଲୋକଙ୍କ ଘରେ ପାଣି ପସିଛି । ରାମକୃଷ୍ଣପୁର ଓ ରାମପୁର ପଞ୍ଚାୟତର ପ୍ରାୟ ୧ ହଜାର ଲୋକ ଏବେ ମଧ୍ୟ ପାଣି ଘେରରେ ଥିବା ଜଣାଯାଇଛି । ରବିବାର ଏହି ୨ ପଞ୍ଚାୟତର ୨ ଶହ ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ରିଲିଫ ଦିଆଯାଇଛି । ରାମକୃଷ୍ଣପୁର ପଞ୍ଚାୟତ ଅଧିନ ଖିଲାର ସାହି ଓ ଗୋପାଳସାହିରେ ରିଲିଫ ଦିଆଯାଇଛି । ସେହିପରି ଅଳଉତି ଗ୍ରାମରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ସଂପୃକ୍ତ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ କରାଯାଇଛି । ଗଣିଜାଙ୍ଗ ପଞ୍ଚାୟତ ରୁପୁଡିି, ବୃନ୍ଦାବନପୁର ଗ୍ରାମରେ ଏବେ ମଧ୍ୟ ପାଣି କମି ନାହିଁ । ରାସ୍ତାରେ ପାଣି ଚାଲିବା ସହ ବହୁ ଲୋକଙ୍କ ଘରେ ପାଣି ଜମି ରହିଛି । ଗୋପାଳପୁର ଗ୍ରାମର ୨୦ରୁ ଅଧିକ ଲୋକଙ୍କ ଘରେ ପାଣି ପସିଛି । ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଚାଷୀଙ୍କର ପରିବା ଚାଷ ନଷ୍ଟ ହୋଇଛି । ଗଣିଜାଙ୍ଗ ନୂଆସାହିର ପ୍ରାୟ ଶହେରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ହାସିନପୁର ଯେନା ସାହିରେ ଲୋକଙ୍କ ଘରେ ପାଣି ପସିବା ସହିତ ରାସ୍ତାଘାଟ ପାଣିରେ ବୁଡି ରହିଛି । ଛୟାଳସିଂହ ପଞ୍ଚାୟତ ପଳସା ତଳସାହିରେ ପାଣି ପସିବା ସହିତ ପରିବା ଚାଷ ନଷ୍ଟ ହୋଇଛି । ଛୟାଳସିଂହ ପଞ୍ଚାୟତ ଖଗେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟ ଓ ଗଣିଜାଙ୍ଗ ପଞ୍ଚାୟତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାପୀଠରେ ଏବେ ମଧ୍ୟ ଶହେ ଲୋକ ରହିଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ଏପରିପେକ୍ଷୀରେ ରବିବାର ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଚନ ଘଡେଇ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଗଣିଜାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ôଚ ସରପଞ୍ଚ, ସମିତି ସଭ୍ୟ, ପିଇଓଙ୍କ ସହିତ ବାତ୍ୟା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେହିପରି ଛୟାଳସିଂହ ପଞ୍ଚାୟତ ଅଧିନ ଖଗେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟର ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ବିଡିଓ ପ୍ରଦୀପ କୁମାର ସେଠୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯାଇ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ।