ପୁଣି ଜନନୀ ଯନ୍ତ୍ରଣା, ୪ କିମି ଦୁଳାରେ ବୁହା ହେଲା ଗର୍ଭବତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖା ଦେଇଛି. ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରସବ ବେଦନା ପାଉଥିବା ଜଣେ ଗର୍ଭବତୀ ମହିଳା ଙ୍କୁ ଗ୍ରାମବାସୀମାନେ ଦୁଳାରେ ୪ କିମି ବୋହି ନେଇ ଥିବା ସୂଚନା ମିଳିଛି. ଏଠାରେ ସୂଚନାଯୋଗ୍ୟଯେ, ମୋହନା ବ୍ଳକ ଏକ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟେ ନାହିଁ । ଏହି ଆଦିବାସୀମାନେ ପାହାଡ଼ ଉପରେ ଘର କରି ନିଜ ପରିବାର ସହ ଖୁସିରେ ରୁହନ୍ତି । ଜଙ୍ଗଳରେ ଯାହା ଫଳମୂଳ ଉତ୍ପାଦନ ହୁଏ ସାପ୍ତାହିକ ହାଟ ବଜାରକୁ ଆସି ବିକ୍ରି କରି ଆବଶ୍ୟକ ଜିନିଷ ପତ୍ର କ୍ରୟ କରି ନେଇ ଥାନ୍ତି । ଆଉ ପରିବାର ସହ ପାହାଡ଼ରେ ଖୁସିରେ ରୁହନ୍ତି । ହସ ଖୁସିର ସଂସାର ମଧ୍ୟରେ ଦୁଃଖ ଯନ୍ତ୍ରଣା ମଧ୍ୟ ଏହି ଆଦିବାସୀମାନଙ୍କୁ ଭୋଗିବାକୁ ପଡ଼ିଥାଏ । ଆଦିବାସୀ ଅଧ୍ଯୁଷିତ ମାଣ୍ଡିମେରା ପଂଚାୟତ ନିକଟସ୍ଥ ଗୋବୁଲେ ଠାରୁ ୪ କିଲୋମିଟର ଲେଖାରି ଗାଁକୁ ଦୁଳାରେ ବୁହା ହେଲେ ଗର୍ଭବତି ମହିଳା । ଗୋବେଲ ଗ୍ରାମର ଜିସାୟ ମାଝୀଙ୍କ ପତ୍ନୀ ସୁକୁମାରୀ ମାଝୀଙ୍କ ଗତକାଲି ଗର୍ଭ ଯନ୍ତ୍ରଣା ଆରମ୍ଭ ହେଇଥିବା ବେଳେ ଆସା କର୍ମୀଙ୍କ ଦ୍ବାରା ୧୦୮କୁ କଲ୍ କରିଥିଲେ । କିନ୍ତୁ ଲେଖାରି ଠାରୁ ଗୋବେଲ୍ ଦୀର୍ଘ ୪ କିଲୋମିଟର ପଥୁରୀଆ ରାସ୍ତା ଆଉ ବର୍ଷା ଦିନରେ ଅତ୍ୟନ୍ତ କଦର୍ଯ୍ୟ ଥୂବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ସୁକୁମାରୀଙ୍କ କଷ୍ଟ ଦେଖ୍ ପରିବାର ଲୋକ ସମ୍ପର୍କୀୟଙ୍କ ସହାୟତାରେ ଆମ୍ବୁଲାନ୍ସ ନିକଟକୁ ଦୋଲାରେ ବୋହି ଆଣିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଅଡବା ମେଡ଼ିକାଲକୁ ନେଇ ଆସିଲେ । ମେଡିକାଲ ପହଁଚି କିଛି ଘଣ୍ଟା ପରେ ବର୍ତମାନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ । ସୁକୁମାରୀ ଓ ତାଙ୍କ ପୁତ୍ର ସୁସ୍ଥ ଅବସ୍ଥାରେ ମେଡିକାଲରେ ଥୂବା ସୂଚନା ଦେଇଛନ୍ତି ଡାକ୍ତର । ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ପ୍ରଶାସନ ଏହି ଗ୍ରାମ ଗୁଡ଼ିକକୁ ନିତିଦିନିଆ ପକ୍କା ରାସ୍ତା ନିର୍ମାଣ କଲେ ଶହ ଶହ ଆଦିବାସୀ ଜରୁରୀକାଳୀନ ସୁବିଧା ପାଇ ପାରିବେ. ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି.