ପ୍ରାଚୀ ଉପତ୍ୟକାର ଦୂର୍ଗା ମାଧବ ମନ୍ଦିର ଓ ଭୌମ୍ୟ ଏକାଦେଶୀ ମେଳା
ସନ୍ତୋଷ କୁମାର ଦାଶ
ପୁଣ୍ୟତୋୟା ପ୍ରାଚୀ ଉପତ୍ୟକା ରେ ରହିଛି ପ୍ରସିଦ୍ଧ ଦ୍ୱାଦଶ ମାଧବ ମନ୍ଦିର। ତା ମଧ୍ୟରୁ କଟକ ଜିଲ୍ଲା ନିଆଳି ବ୍ଳକ ର ମାଧବ ଗ୍ରାମ ରେ ପୂଜା ପାଇଆସୁଥିବା ଦୂର୍ଗା ମାଧବ ମନ୍ଦିର ଅନ୍ୟତମ। ଏହି ମନ୍ଦିର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ପରିଚିତ। ପ୍ରତିବର୍ଷ ପ୍ରଥମାଷ୍ଟମୀ କୁ ଶ୍ରୀ ମନ୍ଦିର ପୁରୀ କୁ ଏହି ମନ୍ଦିର ରୁ ପ୍ରଥମାଷ୍ଟମୀ ଭାର ଓ ନବବସ୍ତ୍ର ଭାର ରେ ପଠାଯାଇଥାଏ।ପବିତ୍ର ମାଘ ମାସ ଶୁକ୍ଲ ଏକାଦେଶୀ ତିଥି କୁ ଭୌମ୍ୟ ଏକାଦେଶୀ କୁହା ଯାଇଥାଏ। ଏ ନେଇ ପ୍ରାଚୀ ମାହାତ୍ମ୍ୟ ରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। ଏହି ଦିନ ମାଧବ ଗ୍ରାମ ର ଆରାଧ୍ୟ ଦୂର୍ଗାମାଧବ ଙ୍କ ପ୍ରତିଷ୍ଠା ଦିବସ। ଦ୍ଵାପର ଯୁଗରେ ପଞ୍ଚୁ ପାଣ୍ଡବ, ମା କୁନ୍ତୀ ଓ ପତ୍ନୀ ଦୌପଦୀ ଙ୍କ ସହିତ ଅଜ୍ଞାତବାସ ସମୟରେ ପ୍ରାଚୀ ଉପତ୍ୟକା ର ଘଞ୍ଚ ଜଙ୍ଗଲ ପରିଭ୍ରମଣ କରିଥିଲେ। ସେମାନେ ବୁଲି ବୁଲି ଆସି ଗୋଟିଏ ଦିନ ମାଧବ ଠାରେ ପହଞ୍ଚି ରାତ୍ରୀ ଯାପନ କରିଥିଲେ। ପ୍ରତିଦିନ ପ୍ରାତଃ ରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ଶ୍ରୀ ନାରାୟଣ ( ବିଷ୍ଣୁ) ଙ୍କୁ ପୂଜା କରିସାରିବା ପରେ ଭୋଜନ ଗ୍ରହଣ କରୁଥିଲେ। ମାଧବ ଠାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ବିଷ୍ଣୁ ଙ୍କ ପ୍ରତିମା କେଉଁଠି ମିଳିବ ଯେ , ଯୁଧିଷ୍ଠିର ପୂଜା କରିବେ ? ଏ ସଂପର୍କ ରେ ମଧ୍ୟମ ପାଣ୍ତବ ଅର୍ଜୁନ ତାଙ୍କ ତ୍ରିକାଳଦର୍ଶି ଅନୁଜ ଭାଇ ସହଦେବ ଙ୍କୁ ପ୍ରଶ୍ନ କରିଥିଲେ। ସହଦେବ ସାଧନା ରେ ବସି ଜାଣିବାକୁ ପାଇଥିଲେ ଯେ, ମାଧବ ଗ୍ରାମ ରେ ଆହାର ପୋଖରୀ ନାମ ରେ ଏକ ବଡ଼ ପୁଷ୍କରିଣୀ ରହିଛି। ସେହି ପୋଖରୀ ର ଗଣ୍ଡ ରେ ଏକ ଅସୁର ସୁନ୍ଦର କମନୀୟ ନାରାୟଣ ବିଷ୍ଣୁ ପ୍ରତିମା କୁ ଲୁଚାଇ ରଖି ପୂଜାର୍ଚ୍ଚନା କରିଆସୁଛି। ଏ କଥା ଜାଣି ଅର୍ଜୁନ ତାଙ୍କ ଭାଇ ଭୀମ ଙ୍କୁ ଆହାର ପୋଖରୀ ନିକଟକୁ ଯାଇ ଅସୁର ଠାରୁ ବିଷ୍ଣୁ ପ୍ରତିମା କୁ ଆଣିବାକୁ ଆଦେଶ ଦେଇଥିଲେ ।ତଦନୁସାରେ ଭୀମ ନିଜ ଗଦା କୁ ନେଇ ଯାଇ ଆହାର ପୋଖରୀ ନିକଟରେ ପହଁଚି ଅସୁରକୁ ସେ ପୂଜା କରୁଥିବା ବିଷ୍ଣୁ ପ୍ରତିମାକୁ ଦେଇ ଦେବାକୁ କହିଥିଲେ। ଅସୁର ଭୀମ ଙ୍କ କଥା ରେ ରାଜି ନ ହେବାରୁ ଉଭୟ ଙ୍କ ମଧ୍ୟରେ ବଚସା ଓ ପରେ ଯୁଦ୍ଧ ହୋଇଥିଲା। ଭୀମ ନିଜ ଗଦା ରେ ଅସୁର କୁ ଆକ୍ରମଣ କରିଥିଲେ। ତାଙ୍କ ପ୍ରଥମ ଗଦା ପ୍ରହାର ଅସୁର ଦେହ ରେ ନ ବାଜି ଭୂମି ରେ ବାଜିଥିଲା। ସେଠାରେ ଏକ ଗର୍ତ୍ତ ସୃଷ୍ଟି ହୋଇ ପାତାଳ ରୁ ପାଣି ବାହାରିଥିଲା। ସେହି ଗର୍ତ୍ତ ଏବେ ବି ଆହାର ପୋଖରୀ ନିକଟରେ ଦେଖିବାକୁ ମିଳେ। ଯେଉଁ ଗର୍ତ୍ତ ରୁ ବର୍ଷକ ବାରମାସ ପାଣି ସ୍ବତଃ ବାହାରୁ ଥିବା ଦେଖାଯାଏ। ଭୀମ ଙ୍କ ଦ୍ୱିତୀୟ ଗଦା ପ୍ରହାର ରେ ଅସୁର ର ମୃତ୍ୟୁ ଘଟିଥିଲା। ଆହାର ପୋଖରୀ ଗଣ୍ଡ ରୁ ବିଷ୍ଣୁ ପ୍ରତିମା ଙ୍କୁ ଉଦ୍ଧାର କରି ଭୀମ ଫେରିଥିଲେ। ତହିଁ ଆର ଦିନ ପ୍ରାତଃ ରେ ଯୁଧିଷ୍ଠିର ବିଷ୍ଣୁ ପ୍ରତିମା ଙ୍କୁ ପୂଜା କରି ଭୋଜନ ଗ୍ରହଣ କରିଥିଲେ। ବିଷ୍ଣୁ ପ୍ରତିମା ଙ୍କ ଉଦ୍ଧାର କଥା ଓ ଅସୁର ର ମୃତ୍ୟୁ ଘଟଣା ଜାଣି ସେ ମନ ଦୁଃଖ କରିଥିଲେ। ଯେହେତୁ ଅସୁର ଜଣଙ୍କ ବିଷ୍ଣୁ ଭକ୍ତ ଥିଲା ସେହେତୁ ତାର ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଯଥାବିଧି ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ପାଣ୍ଡବ ପାଞ୍ଚଭାଇ ଉକ୍ତ ଅସୁର ର ଅନ୍ତେଷ୍ଠିକ୍ରିୟା ଶେଷ କରିଥିଲେ। ସଂସ୍କାର କାର୍ଯ୍ୟ ଶେଷ କରିବା ପରେ ପାଣ୍ତବ ମାନେ ଯେଉଁଠି ପିତା ଖାଇ ଥିଲେ ଏବେ ସେ ସ୍ଥାନ କୁ ପିତାପଡା କୁହା ଯାଇ ଆସୁଛି। ଭୀମ ଙ୍କ ଦ୍ଵାରା ଅସୁର ର ମୃତ୍ୟୁ ଘଟିଥିବାରୁ ଅସୁର ର ନାମ ଭୈମାସୁର ବୋଲି ନାମିତ କରା
ଯାଇଥିଲା। ଆହାର ପୋଖରୀ ରୁ ଉଦ୍ଧାର ବିଷ୍ଣୁ ପ୍ରତିମା ଙ୍କୁ ଯୁଧିଷ୍ଠିର ପ୍ରାଚୀ ନଦୀ କୂଳରେ ମାଘ ମାସ ଶୁକ୍ଲ ଏକାଦେଶୀ ତିଥି ରେ ସ୍ଥାପନା କରିଥିଲେ। ଏଣୁ ଏହି ମାଧବ ଙ୍କୁ ଯୁଧିଷ୍ଠି ମାଧବ ବୋଲି ମଧ୍ୟ କୁହାଯାଇ ଥାଏ।ଭୈମାସୁର ବିଷ୍ଣୁ ଭକ୍ତ ଥିବାରୁ ଠାକୁର ଙ୍କ ପ୍ରତିଷ୍ଠା ଦିବସ କୁ ତାରି ନାମ ରେ ଏହି ଏକାଦେଶୀ କୁ ଭୌମ୍ୟ ଏକାଦେଶୀ ନାମ ରେ ନାମିତ କରାଯାଇଛି । ପରବର୍ତ୍ତୀ ସମୟରେ ଦ୍ୱାଦଶ ଶତାବ୍ଦୀ ରେ ଗଜପତି ଦ୍ୱିତୀୟ ଅନଙ୍ଗଭୀମ ଦେବ ବର୍ତ୍ତମାନ ର ମନ୍ଦିର ନିର୍ମାଣ କରି ଠାକୁର ଙ୍କ ପୂଜା ନୀତି ପାଇଁ ନଅ ଶହ ନଅ ବାଟି ସମ୍ପତ୍ତି ଖଞ୍ଜା କରି ଦେଇଥିଲେ। ମାଧବ ଠାକୁର ଏଠାରେ ପୂଜା ପାଉଥିବାରୁ ଗାଁ ର ନାଁ ଠାକୁର ଙ୍କ ନାମ ଅନୁସାରେ ମାଧବ ହୋଇଛି। ଏହି ମାଧବ ଙ୍କୁ ପୂଜା କରି କବି ଜୟଦେବ ରଚନା କରିଥିଲେ କାଳଜୟୀ ଗ୍ରନ୍ଥ ଶ୍ରୀ ଗୀତ ଗୋବିନ୍ଦ। ଏହି ମନ୍ଦିର ରେ କେବଳ
ପ୍ରଭୂ ନାରାୟଣ ଙ୍କ ଦଶ ଅବତାର ମୂର୍ତ୍ତୀ ଖୋଦିତ ହୋଇଥିବା ଦେଖିବାକୁ ମିଳେ। ଠାକୁର ଙ୍କ ବାହନ ଗରୁଡ ଙ୍କୁ ଏଠାରେ ଗରୁଡ଼ ଗୋସାଇଁ ବୋଲି ଭକ୍ତ ମାନେ କହିଥାନ୍ତି। ଏଠାରେ ପୂଜା ପାଉଥିବା ଗରୁଡ ମୂର୍ତ୍ତି ଟି ଅତ୍ୟନ୍ତ କମନୀୟ, ସୁନ୍ଦର ଓ ଆକର୍ଷଣୀୟ ଅଟେ। ସ୍ଥାନୀୟ ଅଞ୍ଚଳ ର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସର୍ପ ଭୟ ରୁ ରକ୍ଷା ପାଇବା ପାଇଁ ଗରୁଡ଼ ଗୋସାଇଁ ଙ୍କ ନାମ ନେଇଥାନ୍ତି।ମନ୍ଦିର ର ମୁଖଶାଳା ରେ ଦୂର୍ଗା ଙ୍କ ସ୍ଵତନ୍ତ୍ର ମନ୍ଦିର ରହିଥିବା ବେଳେ ଚକ୍ର ନାରାୟଣ ମଧ୍ୟ ପୂଜା ପାଉଥିବା ଦେଖିବାକୁ ମିଳେ। ଭୌମ୍ୟ ଏକାଦେଶୀ ଦିନ ମାଧବ ଠାକୁର ଙ୍କ ସୁନା ବେଶ ଅନୁଷ୍ଠିତ ହୋଇଥାଏ। ବିଳମ୍ୱିତ ରାତିରେ ଠାକୁର ସ୍ୱ ବିମାନ ରେ ପ୍ରାଚୀ ନଦୀ କୁ ଯାଇ ଯମୁନା ସ୍ନାନ କରି ମନ୍ଦିର କୁ ଫେରିବା ପରେ ମନ୍ଦିର ଚୁଡ଼ା କୁ ମହାଦୀପ ଉଠିଥାଏ। ଦୂର୍ଗାମାଧବ ଙ୍କ ଜନ୍ମଦିନ ଉତ୍ସବ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଥାଏ ଓ ମନ୍ଦିର ଚତୁଃ ପାଶ୍ୱ ରେ ମେଳା ଲାଗିଥାଏ। ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଠାକୁର ଙ୍କ ନିକଟରେ ଚୁଡ଼ାଘସା, କଦଳୀ ଓ ଦହି ଭୋଗ ଲାଗି କରିଥାଆନ୍ତି। ପୁରୀ ଶ୍ରୀ ମନ୍ଦିର ପରି ଏହି ମନ୍ଦିର ରେ ଛତିଶା ନିଯୋଗ ରହିଛନ୍ତି। ସମସ୍ତ ସେବକ ଠାକୁର ଙ୍କ ପ୍ରତିଷ୍ଠା ଦିବସ କୁ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରିଥାନ୍ତି।ଜୟ ଶ୍ରୀ ଦୂର୍ଗା ମାଧବ।।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।