ପ୍ରାଚୀ ଉପତ୍ୟକା ଅଞ୍ଚଳରେ ଦୋଳ ଉତ୍ସବ ଆରମ୍ଭ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ରବିବାର ଥିଲା ପବିତ୍ର ଫଗୁ ଦଶମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ପ୍ରାଚୀ ଉପତ୍ୟକା ଅଞ୍ଚଳ ର ମନ୍ଦିର ମାନଙ୍କ ରେ ଆରମ୍ଭ ହୋଇଛି ଦୋଳ ଉତ୍ସବ। ଚାରିଛକ ନିକଟସ୍ଥ ମାଧବ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ପ୍ରଭୂ ମାଧବାନନ୍ଦ ,ଛଣିଜଙ୍ଗ ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ରାଧା କାନ୍ତ, ଅମରେଶ୍ୱର ଓ ବନ୍ଦେଶ୍ଵର ଶମ୍ଭୁ ଙ୍କ ଚଳନ୍ତି ପ୍ରତିମାକୁ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିରରୁ ବାହାର କୁ ଅଣା ଯାଇ ନିଜ ନିଜ ସୁ ସଜ୍ଜିତ ବିମାନ ରେ ବସାଯିବାପରେ ଉଖୁଡା, ଚଣା, ହୁଡୁମ୍ବ, ସାକର ଭୋଗ ଲାଗି କରାଯାଇଥିଲା। ଠାକୁର ମାନଙ୍କୁ ବନ୍ଦାପନା କରାଯିବା ସହିତ ଫଗୁ ଲାଗି କରାଯାଇ ଥିଲା। ପରେ ଠାକୁର ମାନଙ୍କୁ ନିଜ ନିଜ ମନ୍ଦିର ଭିତରକୁ ନିଆଯାଇଥିଲା। କେବଳ ମାଧବ ଠାକୁର ବିମାନ ରେ ଯାଇ ଦୋଳ ଉତ୍ସବ ର ପ୍ରଥମ ଦ୍ୱାରୀ ଭୋଗ ଖାଇଥିଲେ। ସୋମବାର ଏକାଦେଶୀ ତିଥି ସନ୍ଧ୍ୟାରୁ ଅନ୍ୟ ଠାକୁର ଙ୍କ ଦ୍ୱାରୀ ଭୋଗ ଖାଇବା ଆରମ୍ଭ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଠାକୁର ମାନେ ଗାଁ ଗାଁ ବୁଲି ଭକ୍ତ ଙ୍କ ଦ୍ଵାର ମୁଁହ ଓ ଗାଁ ଦାଣ୍ଡ ରେ ଦ୍ଵାରୀ ଭୋଗ ଖାଇବା ପରେ ସେହି ଦିନ ବିଳମ୍ବିତ ରାତିରେ ଐତିହାସିକ ସ୍ଥଳ ସଭାମଣ୍ଡପ କୁ ଯାଇ ପ୍ରସିଦ୍ଧ ହରି ହର ଭେଟ ଉତ୍ସବ ରେ ଯୋଗ ଦାନ କରିବେ। ଦୋଳ ଉତ୍ସବ ଆରମ୍ଭ ହୋଇ ଯାଇଥିବାରୁ ପ୍ରାଚୀ ଉପତ୍ୟକା ଉତ୍ସବମୁଖର ହୋଇ ପଡ଼ିଛି।