ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ
ପୁରୀ,(ୱାଏନଏସ):ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସିଂହଦ୍ଵାର ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଲି ସାହିର ସୁମନ ସାମନ୍ତରା ଏବଂ ଅମ୍ରିତାଂଶୁ ସାମନ୍ତରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୁକ୍ତ ଜଣକ ଫେରାର ଥିବାରୁ ତା’କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୁରୀ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ରଙ୍କ ସୂଚନା ଅନୁସାରେ ଆନନ୍ଦ ବଜାରରେ ଗତ କିଛି ମାସ ହେବ ବେଆଇନ୍ ଭାବେ ରାବିଡି ବିକ୍ରି କରୁଥିଲା ସୁମନ ସାମନ୍ତରା। ଆନନ୍ଦ ବଜାରରେ ଶ୍ରୀମନ୍ଦିର ବାହାରୁ କୌଣସି ଖାଦ୍ୟ ପଦାର୍ଥ ବିକ୍ରି ହେବାର ନିୟମ ନଥିବାରୁ ଏହାକୁ ବାରଣ କରିଥିଲେ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ। ଏହି ଘଟଣାକୁ ନେଇ ସୁମନ ସାମନ୍ତରା ଏବଂ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଙ୍କ ମଧ୍ୟରେ କଥା କଟାକଟି ହେବା ସହ ରାମଚନ୍ଦ୍ରଙ୍କୁ ଧମକ ଚମକ ଦେଇଥିଲା ସୁମନ ସାମନ୍ତରା। ଏହି କ୍ଷୀରା ରାବିଡି ଆନନ୍ଦ ବଜାରରେ ବିକ୍ରି କରିବାକୁ ନେଇ ବାରମ୍ବାର ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ବାରଣ କରିବାରୁ ସୁମନ ସାମନ୍ତରା ପ୍ରତିଶୋଧ ପରାୟଣ ହୋଇ ଜଣେ ବ୍ୟକ୍ତିଙ୍କୁ ଲଗାଇ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ କରିଥିଲା। ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଦୁଇଭାଇ ସୁମନ ସାମନ୍ତରା ଏବଂ ଅମ୍ରିତାଂଶୁ ସାମନ୍ତରାକୁ ହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗ ନେଇ ଗିରଫ କରି କୋର୍ଟ ଚାଲାଣ କରିଛି।