ବାଦାମ ଭଜାଳି
ଜୀବନକୁ କରି
ଲୁହାର କଡେଇ
କ୍ଷୁଧାର ଅନଳ ଜାଳି,
ଆୟୁଷ ବାଲିରେ
ବାଦାମ ଭାଜୁଛି
ସମୟ ଯାଉଛି ଚାଲି ।
ବାଲି ତାତୁ ତାତୁ
ବାଦାମ ପଡୁଛି
କଡେଇ ସହୁଛି ନିଆଁ,
ଲୁହା ଖଡିକାକୁ
ଲୟରେ ଚଲାଏ
ନହେଲେ ଉଠିବ ଧୂଆଁ ।
ଧୂଆଁ କୁହୁଳିଲେ
ଦୁଇ ଆଖି ପୋଡି
ଲୋତକ ପଡିବ ଝରି,
ଲୋତକ ଝରିଲେ
ବାଦାମ ଉପରେ
ଲବଣ ହୋଇବ ଭାରି ।
ଲୟ ଥୟ କରି
ବାଦାମ ଭାଜଇ
ନିଦ୍ରା ମୈଥୁନକୁ ଜାଳି,
ଜୀବନ କଡେଇ
ଆୟୁଷର ବାଲି
ଭୋକ ନିଆଁ ଉଠେ ଜଳି ।
ଏହି ମୋ ଜୀବନ
ବାଦାମ ଭାଜଇ
ପେଟ ଚାଖଣ୍ଡକ ପାଇଁ,
ତୁମେ କିଣି ଖାଇ
ଘୁଙ୍ଘୁଡି ମାରୁଛ
ଭାଜୁ ଭାଜୁ ନିଦ ହାଇ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ