ବାଲ୍ୟ ବିବାହ ବ୍ୟାଧି
ଏହା ନିସନ୍ଦେହ ଯେ, ଦେଶରେ ବାଲ୍ୟବିବାହକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ ସୁପ୍ରିମକୋର୍ଟ ବାଲ୍ୟ ବିବାହ ନିଷିଦ୍ଧ ଆଇନ-୨୦୦୬କୁ କଡାକଡି ଭାବେ କାର୍ଯ୍ୟକାରି କରିବା ସହ ପାର୍ଲିଆମେଂଟ ଏ ଦିଗରେ କଠୋର ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେବା ନିଶ୍ଚିତ ଭାବେ ଏକ ସମୟୋଚିତ ନିର୍ଦ୍ଦେଶ ବୋଲି କୁହାଯାଇପାରିବ । କହିବା ବାହୁଲ୍ୟ ଯେ, ବ୍ରିଟିଶ ଶାସନ ଅମଳରେ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ପ୍ରୟାସ କ୍ରମେ ଦେଶରେ ସତୀଦାହ ଏବଂ ବାଲ୍ୟ ବିବାହକୁ ନିଷିଦ୍ଧ କରାଯାଇଥିଲା । କେବଳ ଏତିକି ନୁହେଁ, ଗତ ୨୦୦୬ ମସିହାରେ ଦେଶରେ ବାଲ୍ୟ ବିବାହ ନିଷିଦ୍ଧ ଆଇନ ମଧ୍ୟ ପ୍ରଣୟନ ହୋଇଛି । ସବୁଠୁ ପରିତାପର ବିଷୟ ଯେ, ଦେଶ ସ୍ୱାଧୀନ ହେବାର ଆଠ ଦଶନ୍ଧି ପୁରିବାକୁ ଯାଉଥିବାବେଳେ ଏବେ ବି ଦେଶରେ ପ୍ରତି ୪ଜଣରେ ଜଣେ ମହିଳା ବାଲ୍ୟ ବିବାହ କରୁଥିବା ସରକାରୀ ତଥ୍ୟ କହେ । ଆହୁରି ମଧ୍ୟ ପୁଅଙ୍କ ବିବାହ ବୟସ ୨୫ବର୍ଷ ଓ ଝିଅଙ୍କ ବିବାହ ବୟସ ୨୧ବର୍ଷକୁ ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ କରୁଥିବାବେଳେ ଦେଶରେ ଯେପରି ବାଲ୍ୟବିବାହ ବଢିଚାଲିଛି, ଏହା କେବଳ ଆଇନକୁ ଆଖିଠାର ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା ନିସନ୍ଦେହ ଯେ, ବାଲ୍ୟ ବିବାହକୁ ରୋକିବାରେ ଆଇନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଲୋକ ପରମ୍ପରା ଏବଂ ସୁବିଧା ଅସୁବିଧାକୁ ଆଳ କରି ବାଲ୍ୟ ବିବାହ ଯେପରି ବଢିଚାଲିଛି, ତାହା କେବଳ ଆଇନର ଦୁର୍ବଳତା, ତ୍ରୃଟିକୁ ଦର୍ଶାଉନାହିଁ, ସାମାଜିକ କୁସଂସ୍କାରକୁ ପରୋକ୍ଷରେ ଉତ୍ସାହିତ କରୁଛି ବୋଲି କୁହାଯାଇପାରେ । ଆହୁରି ମଧ୍ୟ ବାଲ୍ୟ ବିବାହର ପରିଣତ ସ୍ୱାସ୍ଥ୍ୟଗତ ସଂକଟକୁ ବୃଦ୍ଧି କରାଇବାରେ ସହାୟକ ହେଉଛି । ଦେଶରେ ଶିଶୁ ମାତୃ ମୃତ୍ୟୁ ହାର ଏବେ ବି ଉଦ୍ବେଗଜନକ ସ୍ଥିତିରେ ରହିଥିବାବେଳେ ଅପରିପକ୍ୱ ବୟସରେ ଗର୍ଭଧାରଣ ଏହାର ଏକ ପ୍ରମୁଖ କାରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଲ୍ଲେ୍ଖଯୋଗ୍ୟ, ଆମ ରାଜ୍ୟର ଦୁର୍ଗମ ପାହାଡିଆ ଅଂଚଳର ବାଲ୍ୟ ବିବାହ ଉତ୍କଟ ଆକାର ଧାରଣ କରିଥିବା ସରକାରୀ ରିପୋର୍ଟ କହେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ନରବଙ୍ଗପୁର ଜିଲ୍ଲାରେ ସର୍ବାଧିକ ବାଲ୍ୟବିବାହ ହେଉଛି । ଜିଲ୍ଲାରେ ୧୫ରୁ ୧୯ବର୍ଷ ବୟସ ମଧ୍ୟରେ ଗର୍ଭବତୀ ଏବଂ ମାତୃତ୍ୱଲାଭ କରିଥିବା କିଶୋରୀଙ୍କ ସଂଖ୍ୟା ଦେଶରେ ଟ୍ଟେ ବାଲ୍ୟ ବିବାହର ୮.୩ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାଯାଇଛି । ସେହିପରି ଜିଲ୍ଲାରେ ଗତ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ଅର୍ଥାତ ୭ମାସ ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩,୬୦୪ ଜଣ ଗର୍ଭବତୀ ପଞ୍ଜୀକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ଯାହାକି ୭.୩ ପ୍ରତିଶତ । କେବଳ ଆମ ରାଜ୍ୟ ନୁହେଁ, ସାରା ଦୋରେ ଲୋକ ପରମ୍ପରା ଓ ସୁବିଧା-ଅସୁବିଧା ଆଳରେ ବାଲ୍ୟବିବାହ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଛି । ବାଲ୍ୟ ବିବାହ ସମ୍ପୂର୍ଣ୍ଣ ନିଷିଦ୍ଧ ଓ କଠୋର ଦଣ୍ଡବିଧାନ ନେଇ ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣୀ କରି ସୁପ୍ରିମକୋର୍ଟ ତିନିଜଣିଆ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଯାହା କହିଛନ୍ତି, ତାହା ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ । ଖଣ୍ଡପୀଠ କହିଛନ୍ତି ଯେ, ବାଲ୍ୟବିବାହ ନିଷିଦ୍ଧ ଆଇନକୁ ବ୍ୟକ୍ତିଗତ ଆଇନ ଜରିଆରେ ବ୍ୟାଧି କରାଯାଇପାରିବ ନାହିଁ । ସେହିପରି ବାଲ୍ୟବିବାହ ଦ୍ୱାରା ନିଜ ଇଚ୍ଛାନୁସାରେ ଜୀବନ ସାଥି ବାଛିବାକୁ ରହିଥିବା ସ୍ୱାଧୀନତାକୁ ଉଲଂଘନ କରେ । କେବଳ ଏତିକି ନୁହେଁ, ବାଲ୍ୟ ବିବାହ ଜୀବନ ସମ୍ବିଧାନର ୨୧ଧାରାରେ ପ୍ରଦତ ଜୀବନ ଓ ସ୍ୱାଧୀନତାର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଶିଶୁ ଅବସ୍ଥାରେ ବିବାହ ଦ୍ୱାରା ଶିକ୍ଷା ଅଧିକାର, ସ୍ୱାଧୀନ ଭାବେ ବାଛିବା ଓ ସ୍ୱତନ୍ତ୍ରତାର ଅଧିକାର ଏବଂ ଭବିଷ୍ୟତ ବିକାଶର ଅଧିକାରକୁ ଧୂଳିସାତ୍ କରୁଛି । ସେହିପରି ସେମାନଙ୍କରୁ ସ୍ୱାସ୍ଥ୍ୟ ସୁରକ୍ଷା ଅଧିକାରକୁ ମଧ୍ୟ ଉଲଂଘନ କରୁଛି ବୋଲି ଅଦାଲତ ଦର୍ଶାଇଛନ୍ତି । ବାଲ୍ୟବିବାହ ନିଷେଧ ଆଇନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବ୍ୟକ୍ତିଗତ ଆଇନ ଗୁଡିକରେ ସମ୍ପର୍କ ନିଷ୍ପତି ନେବା ପ୍ରସଙ୍ଗ ପାର୍ଲିଆମେଂଟର ବିଚାରାଧୀନ ଥିବା ବେଳେ ବାଲ୍ୟବିବାହ ନିର୍ବନ୍ଧକୁ ବେଆଇନ ଘୋଷଣା କରିବା ପାଇଁ ସଂସଦ କଠୋର ଆଇନ ପ୍ରଣୟନ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ଏଥିସହ ଅଦାଲତ ମଧ୍ୟ କେତେକ ଗାଇଡ ଲାଇନ ଜାରି କରିଛନ୍ତି । ଜିଲ୍ଲାସ୍ତରରେ ବାଲ୍ୟ ବିବାହ ନିଷେଧ ଅଫିସରମାନଙ୍କୁ ନିଯୁକ୍ତି ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ଶିଶୁ ବିବାହକୁ ରୋକିବା ପାଇଁ ମାଜିଷ୍ଟ୍ରେଟମାନେ ‘ଗଣବିବାହ’ ବିବାହ ପାଇଁ ଶୁଭ ତିଥି ଉପରେ ଗୁରୁତ୍ୱଦେବା ଜରୁରୀ । ସେହିପରି ଶିଶୁ ବିବାହ ଉପରେ ରିପୋର୍ଟ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବା ସହ ପ୍ରତି ୧୫ଦିନରେ ଜିଲ୍ଲାସ୍ତରର ସ୍ୱତନ୍ତ୍ର ଅଫିସରମାନେ ରିପୋର୍ଟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଶିକ୍ଷାର ପ୍ରସାର, ସାମାଜିକ କୁସଂସ୍କାର ତଥା ଅପରିପକ୍ୱ ବୟସରେ ଶିଶୁ ବିବାହକୁ କୁପରିଣତ ସମ୍ପର୍କରେ ବ୍ୟାପକ ଜନସଚେତନତା ଲୋଡା । ଯାହାକି ଗଣ ଆନ୍ଦୋଳନରେ ପରିଣତ ଦରକାର । ଯାହାକି ବାଲ୍ୟ ବିବାହକୁ ରୋକିପାରିବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)