ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପଞ୍ଚାୟତ ସମିତି, ହିଞ୍ଜିଳିକାଟୁ ପକ୍ଷରୁ ସୋମବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଯୋଜନା ନେଇ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସଂଯୋଜନାରେ ବ୍ଲକ୍ ସଭାଗୃହ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସରସ୍ଵତୀ ସେଠୀ ସଭାପତିତ୍ବ କରିଥିଲେ। ଅତିଥି ରୂପେ ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥି ହାଁସଦା, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ରବୀନ୍ଦ୍ର ମଲାଣ, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ବ୍ଲକ ସହକାରୀ ଯନ୍ତ୍ରୀ ଅର୍ପଣ କୁମାର ପୁଝାରୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅନିଲ ପାଣି ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ। ଆର୍ଥିକ ବର୍ଷ ୨୦୨୪-୨୫ର ୦୧-୦୪-୨୪ ଠାରୁ ୩୦-୦୯-୨୪ ଅବଧିର ସାମାଜିକ ସମୀକ୍ଷା ସମ୍ପର୍କରେ ଜନ ଶୁଣାଣୀ ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନୁମୋଦିତ ପ୍ରକଳ୍ପ, କାର୍ଯ୍ୟକାରୀ ହେଉଥିବା ବ୍ୟକ୍ରିଗତ ଓ ଗୋଷ୍ଠୀଗତ ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ, ପ୍ରାପ୍ତ ଅନୁଦାନ,ବ୍ୟୟ ବରାଦ, ପଞ୍ଜିକୃତ ପରିବାର,ଜାରିତ ଜବକାର୍ଡ, କାମ ପାଇଁ ଆବେଦନ କରିଥିବା ପରିବାର, କର୍ମ ନିଯୁକ୍ତି ପାଇଥିବା ପରିବାର,ଶହେ ଦିନ ସମ୍ପୂର୍ଣ୍ଣ କରିଥିବା ପରିବାର, ଶ୍ରମିକ ଦିବସ ସଂଖ୍ୟା,ସକ୍ରିୟ ଥିବା ଜବକାର୍ଡ ଧାରି ସଂଖ୍ୟା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶିବିରରେ ଉପସ୍ଥିତ ଥିବା କିଛି ଜନପ୍ରତିନିଧି ମାନେ ବିଭିନ୍ନ ଅସୁବିଧା ପ୍ରସଙ୍ଗରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୫୬୫ଟି ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ କାର୍ଯ୍ୟକୁ ପଞ୍ଚାୟତ ସମିତି ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ୧୨୬ଟିର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ସେଥିମଧ୍ୟରୁ ୧୯ଟି କାର୍ଯ୍ୟ ଶେଷ ହୋଇଛି। ଜବ୍ କାର୍ଡ ସକାଶେ ୧୬୭୮୭ ପରିବାର ପଞ୍ଜିକରଣ କରିଥିବା ବେଳେ ସମସ୍ତ ପରିବାରକୁ ଅନୁମୋଦନ କରାଯାଇଛି। ୬୮୦୨ ପରିବାର କାମ ପାଇଁ ଆବେଦନ କରିଥିବା ବେଳେ ସମସ୍ତଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଛି। ୧୫ ପରିବାର ୧୦୦ ଦିନର କାର୍ଯ୍ୟ କରିଛନ୍ତି। ୧ଲକ୍ଷ ୨୭ ହଜାର ୮୪୬ ଦିନର ଶ୍ରମ ଦିବସ ହୋଇଥିବା ଜିପିଇଓ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ସଭ୍ୟା ପ୍ରିତି ସାହୁ, ବି. ଗିତାଞ୍ଜଳି, ବହୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଯୋଗାଣ ନିରୀକ୍ଷକ, ଉଦ୍ୟାନ କୃଷି ଅଧିକାରୀ ଅଶୋକ ପାଇକରାୟ, ମୃତ୍ତିକା ସଂରକ୍ଷଣ ବିଭାଗୀୟ ଅଧିକାରୀ ସୋନଜା ପ୍ରିୟଦର୍ଶିନୀ ପାତ୍ର, ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର,କାଳୁ ବେହେରା, କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ସେଠୀ, ବିଏଫଟି ବୃନ୍ଦାବନ ଗୌଡ଼,ବନପାଳ,ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଜିଆରଏସ୍ ଶ୍ରୀକାନ୍ତ ପଣ୍ଡା,ଯୋଗାଣ ସହାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।