ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଅଲ୍ ଇଣ୍ଡିଆ ଟ୍ରେଡ଼୍ ୟୁନିୟନ୍ କଂଗ୍ରେସ୍ (ଏଆଇଟିୟୁସି)ର ୧୦୫ତମ ପ୍ରତିଷ୍ଠା ଦିବସ ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ପାଳିତ ହୋଇଯାଇଛି । ରାଜ୍ୟ କମିଟିର ବରିଷ୍ଠ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ ଓ ସଭାରେ ଅଧ୍ୟକ୍ଷତା କରିଥିଲେ । ପରାଧିନ ଭାରତବର୍ଷରେ ଗତ ୧୯୨୦ ମସିହା ଆଜିର ଦିନରେ ଏଆଇଟିୟୁସି ପ୍ରତିଷ୍ଠାପରେ ନିଜ ପେଟପାଟଣାର ଦାବିସହ ସ୍ୱାଧୀନତା ଆନ୍ଦୋଳନରେ ଶ୍ରମିକ ଶ୍ରେଣୀର ଗୌରବମୟ ସଂଗ୍ରାମର ଇତିହାସ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ ଉପସ୍ଥିତମାନଙ୍କୁ ଶୁଭେଚ୍ଛୁ ଓ ଅଭିନନ୍ଦନ ଜଣାଇଥିଲେ । ଦୀର୍ଘବର୍ଷ ପୂର୍ବରୁ ଶ୍ରମିକମାନେ ହାସଲ କରିଥିବା ୪୪ଟି ଶ୍ରମ ଆଇନ୍କୁ ବର୍ତ୍ତମାନର କେନ୍ଦ୍ର ସରକାର କର୍ପୋରେଟ୍ ହାଉସ୍ର ପୁଞ୍ଜିପତି ମାଲିକମାନଙ୍କ ସପକ୍ଷରେ ସଂଶୋଧନ କରୁଥିବାରୁ ବହୁ ବକ୍ତା ସଭାରେ ଉଦ୍ବେଗ ପ୍ରକାଶ କରି ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ ।ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ଆଇନ ପରାମର୍ଶଦାତା ନିରଞ୍ଜନ ପରିଡ଼ା, ସହସଂପାଦକ ଶରତ ଚନ୍ଦ୍ର ଦଳାଇ, ବିଦ୍ୟୁତ୍ କର୍ମଚାରୀଙ୍କ ନେତା ଭରତ ଚନ୍ଦ୍ର ସେଠୀ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଶଶଧର ପରିଡ଼ା, ପଦ୍ମଲୋଚନ ଦତ୍ତ ଓ ଆଲୋକ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଶ୍ରମିକମାନଙ୍କୁ ଜାତି, ଧର୍ମ ଓ ଆଞ୍ଚଳିକତା ଭିତ୍ତିରେ ବିଭେଦଗ୍ରସ୍ତ କରିବାକୁ ହେଉଥିବା ଉଦ୍ୟମ ପ୍ରତି ସତର୍କ ରହିବାକୁ ସୂଚନା ଦେଇଥିଲେ । ଏହି ସଭାରେ ଏଆଇଟିୟୁସିର ସର୍ବମାନ୍ୟ କେନ୍ଦ୍ରୀୟ ନେତା ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଗୁରୁଦାସ ଦାସଗୁପ୍ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା କମିଟିର କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।