ଭୋଟର ତାଲିକାର ସଂଶୋଧନ ସଚେତନତା ନିମନ୍ତେ ଶୋଭାଯାତ୍ରା ଓ ପଥ ଉତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ମଙ୍ଗଳବାର ତଥା ଆଜି ଠାରୁ ଆରମ୍ଭ ହୋଇଛି । ଆସନ୍ତା ନଭେମ୍ବର ୨୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରତ୍ୟେକ ନାଗରିକ ଯେଉଁ ମାନଙ୍କୁ ୧୮ବର୍ଷ ପୂରଣ ହୋଇଛି ବା ୧୮ବର୍ଷ ହେବାକୁ ଯାଉଛି ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରାଇବେ । ଯେଉଁ ଭୋଟଦାତାଗଣ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ହେଉଛନ୍ତି ସେମାନେ ଭୋଟର ତାଲିକାକୁ ସଂଶୋଧନ କରାଇ ବର୍ତ୍ତମାନ ରହୁଥିବା ସ୍ଥାନରେ ନିଜ ନାମ ଅନ୍ତର୍ଭୁକ୍ତ କରାଇପାରିବେ । ଯେଉଁ ମାନଙ୍କର ନାମ ଭୋଟର ତାଲିକାରେ ରହିଛି କିନ୍ତୁ ସେମାନେ ମୃତ ସେମାନଙ୍କ ସମ୍ପର୍କୀୟ ତାଲିକାରୁ ବାଦ କରାଇବେ । ଭୋଟର ତାଲିକାରେ ଭୂଲ ତଥ୍ୟ ଥିଲେ ତାହା ସଂଶୋଧନ କରାଇ ନେବେ । ଭୋଟଦାତା ଗଣ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ କିମ୍ବା ଅନଲାଇନ୍ ମାଧ୍ୟମରେ ଭୋଟର ଆପ୍ ରେ ସଂଶୋଧନ କରାଇ ନିଅନ୍ତୁ । ଭୋଟର ତାଲିକାଟି କିଭଳି ସମ୍ପୂର୍ଣ୍ଣ ସଂଶୋଧିତ ହେବ ସେଥି ସକାଶେ ମଙ୍ଗଳବାର ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ପୋଲିସ୍ ପଡିଆ ନିକଟସ୍ଥ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇଥିଲେ । ସେହିଠାରେ ପଥ ଉତ୍ସବ ପାଳନ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ଏବଂ ସୁଧାଶୁ କୁମାର ଭୋଇ ମୁଖ୍ଯ ଅତିଥି ତଥା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସମବେତ ଜନତାଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଆବଶ୍ୟକତା ସମ୍ପର୍କରେ ନିଜ ବକ୍ତବ୍ୟରେ ବୁଝାଇଥିଲେ । ଭାରପ୍ରାପ୍ତ ଉପ ଜିଲ୍ଲାପାଳ ତଥା ଅତିରିକ୍ତ ଉପ ଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା ପ୍ରାରମ୍ଭିକ ସୂଚନା ଦେବା ସହିତ ଏହି ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନିର୍ବାଚନ ରାଜେଶ କୁମାର ଇକ୍କା, ଆସିଷ୍ଟାଣ୍ଡ କଲେକ୍ଟର ଓମ୍ ପ୍ରକାଶ ପରିଡା ଭୋଟର ତାଲିକାର ସଂଶୋଧନ ସମ୍ପର୍କରେ ସୂଚନା ଦେଇଥିଲେ । ପରିଶେଷରେ ଆସିଷ୍ଟାଣ୍ଡ କଲେକ୍ଟର ପୁଷ୍ପାଞ୍ଜଳୀ ପୁଷିକା ଧନ୍ୟବାଦ ଅର୍ପଣ କରିଥିଲେ । ପଥ ଉତ୍ସବରେ ରଙ୍ଗୋଲୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ରାଜେନ୍ଦ୍ର ମହାପାତ୍ରଙ୍କ ଦଳ ଦ୍ବାରା ଯୋଡି ଶଙ୍ଖ ଓ ରଣପା ନୃତ୍ୟ ପରିବେଷଣ ହେବା ସହିତ କଳା ବିକାଶ କେନ୍ଦ୍ର ଛତ୍ରପୁର ଦ୍ବାରା ଅଳକା ସାହୁଙ୍କ ଛାତ୍ରୀଗଣ ଓଡିଶୀ ନୃତ୍ୟ, ଡାଲଖାଇ ନୃତ୍ୟ ଏବଂ ଛତ୍ରପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ ଶାଳିନୀ ରାଣୀ ଦାସ, ଶାଳିନୀ ବିଶ୍ବାଳ ଏବଂ ଜି. ଶ୍ରାବଣୀଙ୍କ ଦ୍ବାରା ମୋ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ