ମାଣିତରା ସରପଞ୍ଚଙ୍କ ପୁଣି ଜିଲାପାଳ କ୍ଷମତା ପ୍ରୟୋଗ, ଚାରି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା

ବୁଗୁଡା, (ଅନିଲ ମହାରଣା): ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକ ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ମାଣିତରା ପଞ୍ଚାୟତର ଚାରି ଗୋଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟର ପ୍ରଥମ ସରପଞ୍ଚ ଭାବେ ସାରା ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କରିଥିବା ବେଳେ ବର୍ତ୍ତମାନ ମଧ୍ୟ ପ୍ରଥମ ସରପଞ୍ଚ ଭାବେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୪ ଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ଜୁନ ୧୭ ତାରିଖରେ ବୁଗୁଡା ବ୍ଲକର ମୋଟାବାଡ଼ି ପଞ୍ଚାୟତର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଓ ମାଣିତରା ପଞ୍ଚାୟତର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଜଣେ ତାମିଲନାଡୁ ଫେରନ୍ତାଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ପ୍ରକାଶ ପରେ ମାଣିତରା ସରପଞ୍ଚ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ମାଣିତରା ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମକରାପଲ୍ଲୀ ଗ୍ରାମର ୪ ଜଣ ତାମିଲନାଡୁ ଫେରନ୍ତା ୧୫ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିଜ ନିଜ ଘରକୁ ଯାଇ ସଙ୍ଗରୋଧରେ ଥିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଜ୍ଵର ହେବାଯୋଗୁଁ ଆମ୍ବୁଲାନ୍ସରେ ବ୍ରହ୍ମପୁର ସ୍ଲାବ ଟେଷ୍ଟ ପାଇଁ ପଠାଯାଇଥିଲା। ସ୍ଲାବ ଟେଷ୍ଟରେ ସେହି ବ୍ୟକ୍ତିଙ୍କ ପଜିଟିଭ ବାହାରିଥିଲା। ଖବର ଜାଣିବା ପରେ ମାଣିତରା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନାୟକ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ୧୭ ତାରିଖ ସନ୍ଧ୍ୟାରେ ଆଲୋଚନା କରି ବିଡ଼ିଓଙ୍କ ପରାମର୍ଶ କ୍ରମେ ମାଣିତରା ପଞ୍ଚାୟତର ମକରାପଲ୍ଲୀ, କଣ୍ଡେରାଇ, ମଙ୍ଗରାଜପୁରପୁର ଓ ଦିଗ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଜୁନ ୧୮ ତାରିଖ ଠାରୁ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ସେହି ଚାରି ଗ୍ରାମକୁ କୌଣସି ବ୍ୟକ୍ତି ଯାଇ ପାରିବେ ନାହିଁ ଓ ସେହି ଚାରି ଗ୍ରାମରୁ କେହି ବାହାରକୁ ଆସି ପାରିବେ ନାହିଁ ବୋଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ପଞ୍ଚାୟତର ସମସ୍ତ ଗ୍ରାମରେ ପ୍ରଚାର କରାଇଛନ୍ତି। ଏଥିସହ ସେହି ଚାରି ଗ୍ରାମର ପ୍ରବେଶ ପଥକୁ ବାରିକଡ଼ କରି ଅବରୋଧ କରାଯାଇଛି। ବର୍ତ୍ତମାନ ଯେଉଁ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହୋଇଛି ତାଙ୍କର ଭାଇ ମଧ୍ୟ ମାଣିତରାରେ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ବର୍ତ୍ତମାନ ଘରେ ସଙ୍ଗରୋଧରେ ଅଛନ୍ତି। ସେଥିପାଇଁ ସେହି ପରିବାରର ସମସ୍ତଙ୍କ ସ୍ଲାବ ଟେଷ୍ଟ ପାଇଁ ସରପଞ୍ଚ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏଥିସହ ସେହି ଚାରି ଗ୍ରାମର ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସନ୍ଦେହ ଘେରକୁ ଆସୁଥିବା ବ୍ୟକ୍ତିମାନଙ୍କ ମଧ୍ୟ ସ୍ଲାବ ଟେଷ୍ଟ ପାଇଁ ପ୍ରଶାସନକୁ ସରପଞ୍ଚ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ