ମାର୍ଶାଘାଇ ବ୍ଲକର ଅଙ୍ଗନୱାଡିକେନ୍ଦ୍ର ଗୁଡିକ ଭାଉଚର ନଥାଇ ସାମଗ୍ରୀ କିଣୁଥିବା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇ.ସି.ଡି.ଏସ.) କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡିକେନ୍ଦ୍ର ଗୁଡିକ କିଣୁଥିବା ସାମଗ୍ରୀର କୈାଣସି ଭାଉଚର ରଖିନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଶ୍ରୀଚରଣ ମାହାଳିଙ୍କ ପୁଅ ସୂଚନା ଅଧିକାର ଅଭିଯାନ କର୍ମୀ ରମାକାନ୍ତ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେ ସୂଚନା ଅଧିକାର ଆଇନରେ ମାର୍ଶାଘାଇ ଆଇ.ସି.ଡି.ଏସ.କୁ କେତେକ ତଥ୍ୟ ମାଗିଥିଲେ । ମାର୍ଶାଘାଇ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇ.ସି.ଡି.ଏସ.) କାର୍ଯ୍ୟାଳୟ ସୂଚନା ଅଧିକାର ଆଇନରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ସେହି କାର୍ଯ୍ୟାଳୟ ଅଧିନରେ ୧୮୦ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହି ୧୮୦ଟି ଅଙ୍ଗନୱାଡି କେନ୍ଦ୍ର ପାଖରେ ସେମାନେ କିଣୁଥିବା ଛତୁଆ, ଅଣ୍ଡା, ଲଡୁ, ମୁଆଁ, ସୁଇଟର, ପିଲାଙ୍କ ପୋଷାକ, ଜୋତା ଓ ମୋଜା ପ୍ରଭୃତିର କୈାଣସି ଜିଏସଟି ଭାଉଚର ନଥିବା ସେମାନେ ସୂଚନା ଅଧିକାର ଆଇନରେ ପ୍ରଦାନ କରିଥିବା ତଥ୍ୟ କହୁଛି । ସାରା ମାର୍ଶାଘାଇ ବ୍ଲକର ୧୮୦ଟି ଅଙ୍ଗନୱାଡି କେନ୍ଦ୍ର ନିମନ୍ତେ ପ୍ରତିବର୍ଷ ସରକାରୀ ଅନୁଦାନରେ କିଣା ଯାଉଥିବା କୋଟି କୋଟି ଟଙ୍କାର ସାମଗ୍ରୀ କିଭଳି ବିନା ଜିଏସଟି ଭାଉଚରରେ କିଣା ଯାଉଛି । ତେଣୁ ଏଥିରୁ ଅନୁମେୟ ଯେ କିଭଳି ବେଆଇନ ଭାବେ ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି ବୋଲି ସୂଚନା ଅଧିକାର ଅଭିଯାନର କର୍ମୀ ଶ୍ରୀ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।