ମେଗା ଲିଫ୍ଟ ପ୍ରକଳ୍ପ ଘୋଷଣା ରେ ସିମୀତ,ଚାଷୀ କୂଳ ହତାଶ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ହେଉଛି ଏକ ଚାଷ ପ୍ରବଣ ଜିଲ୍ଲା। ଏଠାକାର ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଜଳସେଚନ ଅଭାବ ଓ ବର୍ଷା ର ଅଭାବ ଯୋଗୁଁ ପ୍ରାୟ ୬୦ ପ୍ରତିଶତ ଜମିରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥାଏ। ଯାହା ଫଳରେ ଆମ ଜିଲ୍ଲାର ବହୁତ ଯୁବକ ଯୁବତୀ ମାନେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଚାଲିଯାଈ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ସମସ୍ୟା କୁ ଦୃଷ୍ଟିରେ ରଖି ଚାଷୀ ମାନଙ୍କ ବୃହତ ସ୍ବାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟ କୁ ପଳାୟନ ରୋକିବା ନିମନ୍ତେ ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜମିକୁ ଜଳସେଚନ ସୁନିଶ୍ଚିତ କରିବା ନିମନ୍ତେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରଥମ ପର୍ୟ୍ୟାୟରେ ଆସନ୍ତା ଏକ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ୯୩୧୪ ହେକ୍ଟର ରୁ ୧୪୧୭୩ ହେକ୍ଟର ଅର୍ଥାତ ଶତକଡା ୫୯.୫୧ ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି କରିବା ନିମନ୍ତେ ୬୬ ଟି ପ୍ରକଳ୍ପ ମାଧ୍ୟମରେ ୨୧ ଗ୍ରାମ ପଞ୍ଚାୟତ ଅଞ୍ଚଳରେ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଈଥିଲେ। ସେଥିମଧ୍ୟରୁ ବୃହତ ଓ ମଧ୍ୟମ ଜଳସେଚନ ଜରିଆରେ ୨୬୫୨ ହେକ୍ଟର ଜମି ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଜରିଆରେ ଭୂତଳ ପାଈପଲାଈନ,କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜରିଆରେ ୩୩ ଟି ପ୍ରକଳ୍ପ, ବୃହତ ଉଠା ଜଳସେଚନ ଜରିଆରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯିବ। ସମୁଦାୟ ୨୧ ଟି ପଞ୍ଚାୟତ ଅଞ୍ଚଳରେ ଏସବୁ ପ୍ରକଳ୍ପ କାର୍ୟ୍ୟକାରୀ ହେବ। ଏହା ଦ୍ବାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ। ବିଭିନ୍ନ ପଞ୍ଚାୟତ ର ଅବଶିଷ୍ଟ ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ରେ ଜଳସେଚନ କରାଯାଈ ଶତ ପ୍ରତିଶତ ଲକ୍ଷ୍ୟ ଖୁବ ଶୀଘ୍ର ହାସଲ ହେବ। ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪ ହଜାର ୪୭୦ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ୧୩ ହଜାର ୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳସେଚିତ ହେଉଛି। ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ ଓ ମଧ୍ୟମ ଜଳସେଚନ ଜରିଆରେ ୨୧୯ ହେକ୍ଟର,କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ମୋଟ ଶତକଡା ୯୯.୫୦ ଭାଗ ଜଳସେଚନ ଯୋଗାଇ ଦେବା ଲାଗି,ଏଥିନିମନ୍ତେ ୨୦.୪୫ କୋଟି ଟଙ୍କା ବ୍ୟୟ କରାଯାଈ ମୋଟ ୧୩ ଟି ପଞ୍ଚାୟତ ଅଞ୍ଚଳରେ ୩୭ ଟି ପ୍ରକଳ୍ପ ଜରିଆରେ ବ୍ଲକର ପ୍ରାୟ ୨ ହଜାର ଚାଷୀ ଉପକୃତ ହେବା ଆଶା ରଖାଯାଇଛି। ତତ୍କାଳୀନ ମୂଖ୍ୟମନ୍ତ୍ରୀ ଗତ ୧୬.୧୨.୨୦୨୩ ତାରିଖରେ ଘୋଷଣା କରିଥିଲେ। ଏହାକୁ ଆନୁଷ୍ଠାନିକ ଭାବେ ପୂର୍ବତନ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଶେରଗଡ ବ୍ଲକ ପରିସରରେ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଚାଷୀ ଓ ସାଧାରଣ ଭାବେ ଯେଉଁ ଚାଷୀମାନେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ୟ୍ୟାତନା ର ଶିକାର ହେଉଥିଲେ,ସେମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଈଥିଲା। ଦୁଃଖ ଏବଂ ପରିତାପର ବିଷୟ ଘୋଷିତ ହୋଈଥିବା ଅର୍ଥ ଆଜି ଯାଏଁ ଫଳକରେ ସିମୀତ ହୋଇ ରହିଯାଇଛି। କିନ୍ତୁ ଚାଷୀ ର ମନରୁ ସେହି ଆଶା ଓ ଆକାଂକ୍ଷା ଦୂର ହୋଈନାହିଁ। ଚାଷୀ ଆଶା ରଖିଛି ମେଗା ପ୍ରକଳ୍ପ ନିଶ୍ଚିତ କାର୍ୟ୍ୟକାରୀ ହେବ ଏବଂ ଦାଦନ ଖଟିବା ବନ୍ଦ ହେବ। ଏହି ଆଶା ନେଇ ଚାଷୀ ଆଶା ବାନ୍ଧି ବସିଛି। ପ୍ରକାଶ ଥାଉକି, ଚାଷୀଙ୍କ ଲାଗି ଘୋଷଣା ହୋଈଥିବା ଅନୁଦାନ କାହିଁକି କାର୍ୟ୍ୟକାରୀ ହୋଈନାହିଁ,ତାକୁ ନେଇ ଚାଷୀ କୂଳ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ କଣ ଅଭିସନ୍ଧି ରହିଲା, ଚାଷୀଙ୍କ ବୃହତ ସ୍ବାର୍ଥ କୁ କାହିଁକି ଜଳାଂଜଳି ଦିଆଗଲା, ଏହା ଜନମାନସରେ ବିରାଟ ପ୍ରଶ୍ନବାଚୀ। ଏଥିରେ କାହାର ତୃଟି ଏବଂ କେଉଁ ସମସ୍ୟା ଲାଗି ପ୍ରକଳ୍ପ କାର୍ୟ୍ୟକାରୀ ହେବା ଲାଗି କଣ ପ୍ରତିବନ୍ଧକ ରହିଲା, ତାହାକୁ ସରକାର ଅନୁଧ୍ୟାନ କରି ପ୍ରକଳ୍ପ କାର୍ୟ୍ୟକାରୀ କରାଗଲେ ନିଶ୍ଚିତ ଚାଷୀ କୂଳ ମହଲରେ ଯେଉଁ ହତାଶ ଭାବ ଜାଗ୍ରତ ହୋଈଛି, ସେହି ସମସ୍ୟା ର ସମାଧାନ ହୋଈପାରିବ ବୋଲି ଚାଷୀ ନେତା ସମୀର ପ୍ରଧାନ, ବଳରାମ ରାଉତ, ଚାଷୀ ଅଜୟ କୁମାର ପାଢୀ, ନାରାୟଣ ରଥ,ହଂସ ଗୌଡ, ତ୍ରିନାଥ ଗୌଡ ଙ୍କ ସହ ହଜାର ହଜାର ଚାଷୀ ପ୍ରକାଶ କରିଛନ୍ତି।