ଯକ୍ଷ୍ମା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଉପଖଣ୍ଡ ଚିକିତ୍ସାଳୟ, ହିଞ୍ଜିଳିକାଟୁ ଏଵଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଗଞ୍ଜାମ ମିଳିତ ଆନୁକୁଲ୍ୟରେ ବୁଧବାର ଚିକିତ୍ସାଳୟ ପରିସରରେ ୧୦୦ ଦିନିଆ ଯକ୍ଷ୍ମା ସଚେତନତା ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶିନୀ ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ଯକ୍ଷ୍ମା ବିଭାଗର ଅର୍ଥନୀତି ପରାମର୍ଶଦାତା କେ.କେ.ତ୍ରିପାଠୀ, ଏସଟିଓ ଡାକ୍ତର ଅର୍ଘ୍ୟ ପ୍ରଧାନ, ସିଟିଡି ଗଙ୍ଗାଧର ଦାଶ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅବନୀ କୁମାର ପାତ୍ର, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ହୁ ପରାମର୍ଶଦାତା ଡ଼ାକ୍ତର ସୁବ୍ରତ କୁମାର ପଣ୍ଡା, ଡାକ୍ତର ରଞ୍ଜିତା ନାୟକ ଓ ମିସ ସୋଫିଆ ଖୁମୁ ,ଡିପିସି ବିଦେଶୀ ଜେନା, ଡିପିପିଏମ ସଂଯୋଜକ ସୁଧୀର କାନ୍ତ ବେହେରା ,ବେଲଗାଁ ଅଧୀକ୍ଷକ ଡାକ୍ତର ସୁବ୍ରତ କୁମାର ବେହେରା ଓ ଆଇଆରଇଏଲ ସିଏସ୍ଆର ମୁଖ୍ୟ ଦୀପକ ମିଶ୍ର ପ୍ରମୁଖ ମଞ୍ଚସୀନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପତାକା ପ୍ରଦର୍ଶନ କରି ନିକ୍ଷୟ ବାହାନର ଶୁଭାରମ୍ଭ କରିଥିଲେ। ପରେ ନିଜ ବକ୍ତବ୍ୟରେ ସାଂସଦ ଯକ୍ଷ୍ମା ବିଲୋପ ଅଭିଯାନକୁ ସଫଳ ରୂପାୟନ ପାଇଁ ନିର୍ବାଚିତ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବିଶେଷ, ପଞ୍ଚାୟତ ଓ ସହରାଞ୍ଚଳ ସଂସ୍ଥା ଗୁଡିକ ଅଂଶ ଗ୍ରହଣ କରି ଅଗ୍ରଣୀ ଭୂମିକା ନିଭାଇବା ପାଇଁ ଅନୁରୋଧ କରିଥିଲେ। ସାମୁହିକ ପ୍ରୟାସରେ ଗଞ୍ଜାମ ଜିଲ୍ଲା ଯକ୍ଷ୍ମା ବିରୋଧରେ ଲଢେଇର ସୁଦୃଢ ଉଦାହରଣ ସୃଷ୍ଟି କରିବା ସହ ଜାତୀୟ ଲକ୍ଷ୍ୟରେ ଉଲ୍ଲେଖନୀୟ ଯୋଗଦାନ ଦେବେ ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପଣ୍ଡା ଆଶା ପ୍ରକଟ କରିଥିଲେ। ଅଧୀକ୍ଷକ ଡାକ୍ତର ଶ୍ରୀ ସାହୁ ସୂଚନା ଦେଇଥିଲେ ଯେ ଗତ ଡ଼ିସେମ୍ବର ୭ ରୁ ଆରମ୍ଭ ହୋଇଥିବା ଯକ୍ଷ୍ମା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହାରି ଭିତରେ ହିଞ୍ଜିଳିକାଟୁ ବ୍ଲକ ସମେତ ଧରାକୋଟ, ଭାଟକୁମରଡ଼ା, ଆଡପଡ଼ା, ଶେରଗଡ଼, ଓ ବେଲଗାଁ ଆଦି ସ୍ଥାନରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଓ ଜୀବନ ସୁରକ୍ଷା ଡାଇଗ୍ନୋଷ୍ଟିକ୍ ଦ୍ଵାରା ଆଜି ସୁଦ୍ଧା ୧୧୭୮ଜଣଙ୍କ ସ୍କ୍ରିନିଂ କରାଯାଇ ଏକ୍ସ-ରେ କରଯାଇଛି। ଏହା ବ୍ୟତୀତ ଏହି ଚିକିତ୍ସାଳୟରେ ଅତ୍ୟାଧୁନିକ ସିବିନାଟ ପରୀକ୍ଷା ବ୍ୟବସ୍ଥାରେ ୭୫୮ଜଣଙ୍କ କଫ ପରୀକ୍ଷଣ କରାଯାଇ ୩୧ ଜଣ ଅଧିକ ସଂକ୍ରମିତ ଥିବା କହିଛନ୍ତି। ତାଲିମ ପ୍ରାପ୍ତ ନିକ୍ଷୟ ମିତ୍ର, ଆଶା ଦିଦି ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୦ଟି ଲକ୍ଷଣ ପରିଲକ୍ଷିତ ଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଇ ରୋଗୀଙ୍କୁ ଖାଦ୍ୟ, ସେବା ଯୋଗାଇ ଦିଆଯାଉଛି ବୋଲି ଡ଼ାକ୍ତର ସାହୁ ବିବରଣୀ ପ୍ରଦାନ କରିଥିଲେ। ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡାକ୍ତର ଶ୍ରୀକାନ୍ତ ସାହୁ,ଡାକ୍ତର ସନ୍ତୋଷ ଷଢ଼ଙ୍ଗୀଙ୍କ ସମେତ, ତିନି ଜଣ ସରପଞ୍ଚ, ନିକ୍ଷୟ ମିତ୍ର ଓ ଯକ୍ଷ୍ମା ମୁକ୍ତ ରୋଗୀ ଆଦି ୨୯ ଜଣ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଅତିଥି ମାନେ ସିଲ୍ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସୁଧୀର କୁମାର ବେହେରା ସଞ୍ଚାଳନ କରିଥିଲେ।ବିଜେପି ଘୁମୁସର ଜିଲ୍ଲା ନୂତନ ସଭାପତି ବିଜୟ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଓ ବିଜେପି ନଗର ମଣ୍ଡଳ ପୂର୍ବତନ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ