ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର ନେଇ କ୍ଷେତ୍ର ପରିଦର୍ଶନ କଲା ବିଦ୍ୟୁତ୍ ବିଭାଗ
ବନ୍ତ, (ଚାନ୍ଦିନୀ ମହାନ୍ତି):ନିର୍ମାଣାଧିନ ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର କରିବା ନେଇ ବନ୍ତ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅଧିନ ନିଳୋକ ଠାରୁ ପଡିଆପଡା ଭାୟା ଘରପଦା ଆର୍.ଡି ରାସ୍ତାରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ନିଳୋକ ମଝି ସାହି ରାସ୍ତା ଉପରେ ପୂର୍ବରୁ ଥିବା ବିଦ୍ୟୁତ୍ ଖୁଣ୍ଟକୁ ସ୍ଥାନାନ୍ତର କରା ନଯାଇ ରାସ୍ତା କାର୍ଯ୍ୟ ଚାଲିଥିବାର ଦେଖାଯାଇଛି । ଫଳରେ ରାସ୍ତା ଉପରେ ବିଦ୍ୟୁତ୍ ଖୁଣ୍ଟ ରହିଲେ ଆଗକୁ ବହୁ ଦୁର୍ଘଟଣା ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ଗ୍ରାମବାସୀ ମାନେ ଉଚ୍ଚ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ଫଳରେ ଆଜି ଟିପିଏନଓଡିଏଲ ବନ୍ତ ସେକ୍ସନର ସହକାରୀ ପରିଚାଳକ ମାନସ ରଞ୍ଜନ ପଣ୍ଡା, ଲାଇନ୍ ମ୍ୟାନ ସତ୍ୟାନନ୍ଦ ସୂତାରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିବା ଜଣାଯାଇଛି । ଏହି ତଦନ୍ତ ମୂଳେ ଏଷ୍ଟିମେଟ ପ୍ରସ୍ତୁତ କରାଯାଇ ବିଦ୍ୟୁତ୍ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାଯାଇଛି ।