ସମସ୍ୟା ଘେରରେ ଗୋପିନାଥପୁର ଗ୍ରାମ ପଞ୍ଚାୟତ, ସମାଧାନ ପାଇଁ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ଗୋପିନାଥପୁର ଗ୍ରାମ ପଞ୍ଚାୟତ ଜନସଂଖ୍ୟା, ଭୋଟର ଓ ପରିସୀମା ଦୃଷ୍ଟିରୁ ସର୍ବବୃହତ । ୧୦ ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା, ୭ ହଜାରରୁ ଅଧିକ ଭୋଟର ଥିବା ବେଳେ ଆଗରପଡା ବଜାରର ମୁଖ୍ୟ ଛକରୁ ବାଲେଶ୍ୱର ଜିଲା ଅଲ୍ଲିହା ଗ୍ରାମ ପଞ୍ଚାୟତ ସଂଲଗ୍ନ ଏହାର ପରିସୀମା ପରିବ୍ୟାପ୍ତ ଅଟେ । ୧୧ ରାଜସ୍ୱ ଗ୍ରାମ, ୪୦ରୁ ଅଧିକ ହାମଲେଟ ଓ ୧୯ଟି ୱାର୍ଡକୁ ନେଇ ଗଠିତ ଏହି ଗ୍ରାମ ପଞ୍ଚାୟତରେ ୯ଟି ପ୍ରାଥମିକ ବିଦ୍ୟାଳୟ, ୨ଟି ଉଚ୍ଚ ବିଦ୍ୟାଳୟ, ୧୨ଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଗୋଟିଏ ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି । ସେହିପରି ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଅଧିନରେ ୧୮୦ ଏସ୍.ଏଚ୍.ଜି ଥିବା ବେଳେ ଏଠାରେ ୮ଟି ଯୁବକ ସଂଘ, ୨ଟି ସକ୍ରିୟ ସ୍ୱେଚ୍ଛାସେବୀ ସଂସ୍ଥା କାର୍ଯ୍ୟ କରୁଛି । ଏଠାରେ ପ୍ରାଣୀଧନ ସହାୟକ କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ପାଇନଥିବାରୁ ପ୍ରାଣୀଧନ ସହାୟକ କେନ୍ଦ୍ର ଅଚଳ ହୋଇପଡିଛି । ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ ନିର୍ମାଣ ସରିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକ ମାନେ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି । ସେହିପରି ଗୋପିନାଥ ଜୀଉ ନୋଡାଲ ଉପ୍ରା ବିଦ୍ୟାଳୟ ଓ ବଡ ସନ୍ଦାଡୋ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ମହିଳା ମହାସଂଘ ଅଧିନରେ ୧୮ ଶହରୁ ଅଧିକ ମହିଳା ଥିଲେ ମଧ୍ୟ ଏଠାରେ ବଡ ସଭା ଗୃହଟିଏ ନାହିଁ । ସେହିପରି ତୁଳିପଦାରୁ ମାର୍କଣ୍ଡପୁର, ସାନ ସାହୁପଡାରୁ ମାର୍କଣ୍ଡପୁରକୁ ସ୍ଥାୟୀ ରାସ୍ତା ନାହିଁ । କଚ୍ଚା ରାସ୍ତାରେ ବର୍ଷା ଦିନେ ଲୋକ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସୁଦର୍ଶନ ପରିଡାଙ୍କୁ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ଅନୁରୋଧ ପରେ ତାଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟା ଓ ତତ୍କାଳୀନ ବିଧାୟକଙ୍କ ଉଦ୍ୟମରେ ମାର୍କଣ୍ଡପୁରରୁ ବଡ ସନ୍ଦାଡୋକୁ ସ୍ଥାୟୀ ରାସ୍ତା ନିର୍ମାଣ ମନ୍ଥର ଗତିରେ ଚାଲୁଥିବାରୁ ଲୋକ ମାନେ ବର୍ଷା ଦିନେ ଅସୁବିଧାରେ ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି । ସେହିଭଳି କେନାଲବନ୍ଧରୁ ଗୋପିନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ମୁଖ୍ୟରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ ତାଜିପୁର ଆଦିବାସୀ ସାହିକୁ ସ୍ଥାୟୀ ରାସ୍ତା ନାହିଁ । ପଣ୍ଡାଘର ପାଖ ଆର୍.ଡି ରାସ୍ତାରୁ ଗୋପିନାଥ ଜୀଉ ମନ୍ଦିର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପାହାଡପୁର, ବଡ ସନ୍ଦାଡୋ, ସାନ ସନ୍ଦାଡୋର ଅନେକ ବସ୍ତିକୁ ସ୍ଥାୟୀ ରାସ୍ତା ନାହିଁ । ଏହି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବନ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହେବା ପରେ ବ୍ଲକର ବିଭିନ୍ନ ଯୋଜନା ଅର୍ଥର ସୁଧ ଅର୍ଥରେ କେତୋଟି ରାସ୍ତା ନିର୍ମାଣ ହେବା ସହିତ କିଛି ରାସ୍ତା ସମସ୍ୟା ସମାଧାନ ହୋଇଥିବା ଜଣାଯାଇଛି । ଏହି ସବୁ ସମସ୍ୟା ସହିତ ଏଠାରେ ଖେଳ ପଡିଆ ନଥିବାରୁ ସାଳନ୍ଦୀ ନଦୀ ପଠାରେ ପିଲା ମାନେ ଖେଳୁଥିବା ଦେଖାଯାଉଛି । ଏହା ବ୍ୟତୀତ ଗୋପିନାଥ ଜୀଉ ମନ୍ଦିର, ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ଉନ୍ନତିକରଣର ଆବଶ୍ୟକତା ଜରୁରୀ ହୋଇପଡିଛି । ଏହି ପଞ୍ଚାୟତରେ ଚିତ୍ତବିନୋଦନ କେନ୍ଦ୍ରଟିଏ ନାହିଁ । ସେହିପରି ଏଠାରେ ଗୋଚର ଜମି ଗୁଡିକ ଜବର ଦଖଲ କରାଯାଇଥିବାରୁ ଗୋରୁଗାଈଙ୍କ ପାଇଁ ଚାରଣ ଭୂମି ନାହିଁ । ଉକ୍ତ ପଞ୍ଚାୟତରେ ବହୁ ବୃଦ୍ଧବୃଦ୍ଧା ଏବେ ମଧ୍ୟ ଭତ୍ତା ପାଇବାରୁ ବଞ୍ôଚତ ରହିଛନ୍ତି । ରାଜ୍ୟ ସରକାର, ସାଂସଦ, ବିଧାୟକ ତଥା ଜିଲା ପ୍ରଶ।।ସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସି.ଏଫ.ଡବ୍ଲ୍ୟୁ.ଏସ୍ଡି, ଲୋକଶକ୍ତି, ଜଗତଜ୍ୟୋତି ମହିଳା ମହାସଂଘ ସମେତ ଅଞ୍ଚଳବାସୀ ମାନେ ଦାବୀ କରିଛନ୍ତି ।